- ଚରିତ୍ର ନିର୍ମାଣ ଓ ଦକ୍ଷତା ବୃଦ୍ଧି ଶିକ୍ଷାର ମୂଳ ଉଦ୍ଦେଶ୍ୟ – ଧର୍ମେନ୍ଦ୍ର ପ୍ରଧାନ
- ପରମ ପୂଜ୍ୟ ଆଚାର୍ଯ୍ୟ ମହାଶ୍ରମଣଜୀଙ୍କ ଆଶୀର୍ବାଦ ଦେଲେ କେନ୍ଦ୍ରମନ୍ତ୍ରୀ
- ବିଶ୍ୱଭାରତୀ ଇନଷ୍ଟିଚ୍ୟୁଟ୍ ଅନୁଭୂତିମୂଳକ ଶିକ୍ଷାର ବୃହତ ପ୍ରୟୋଗଶାଳା
- ପ୍ରଧାନମନ୍ତ୍ରୀ ପ୍ରାକୃତ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି
- ଏହି ଅନୁଷ୍ଠାନରେ ପ୍ରାକୃତ ଭାଷା ଉପରେ ଏକ ସ୍ୱତନ୍ତ୍ର ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଆମ ଦାୟିତ୍ୱ
- ଜୈନ ଧର୍ମର ମୂଲ୍ୟବୋଧ ଓ ଜୀବନ ଦର୍ଶନ ଆଜି ଏକ ବୈଶ୍ୱିକ ଆବଶ୍ୟକତା
- ସମ୍ମାନ, ଡିଗ୍ରୀ ଏବଂ ପଦକଧାରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
ସୁରଟ/ଗୁଜୁରାଟ, (ପିଆଇବି) : ଚରିତ୍ର ନିର୍ମାଣ ଓ ଦକ୍ଷତା ବୃଦ୍ଧି କରିବା ହେଉଛି ଶିକ୍ଷାର ମୂଳ ଉଦ୍ଦେଶ୍ୟ । ଭାରତୀୟତା ମୂଲ୍ୟବୋଧ ଉପରେ ଆଧାରିତ ରାଷ୍ଟ୍ରୀୟ ଶିକ୍ଷା ନୀତି ; ଭବିଷ୍ୟତର ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ ବୋଲି ସୋମବାର ଗୁଜୁରାଟର ସୁରଟରେ ଜୈନ ବିଶ୍ୱଭାରତୀ ଅନୁଷ୍ଠାନର ୧୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ମାନ, ଡିଗ୍ରୀ ଏବଂ ପଦକଧାରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଯେ ଜୈନ ବିଶ୍ୱଭାରତୀ ଇନଷ୍ଟିଚ୍ୟୁଟ୍ ହେଉଛି ଅନୁଭୂତିମୂଳକ ଶିକ୍ଷାର ଏକ ବୃହତ ପ୍ରୟୋଗଶାଳା । ବିଶ୍ୱବିଦ୍ୟାଳୟ ସମାବର୍ତ୍ତନର ପରମ୍ପରା ଏହାର ଏକ ଜୀବନ୍ତ ଉଦାହରଣ । ଜୈନ ବିଶ୍ୱ ଭାରତୀ ଅନୁଷ୍ଠାନ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ବଟ୍ଟବୃକ୍ଷ ଭାବରେ ନିଜକୁ ପ୍ରତିଷ୍ଠିତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାକୃତ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି । ଏହି ଅନୁଷ୍ଠାନରେ ପ୍ରାକୃତ ଭାଷା ଉପରେ ଏକ ସ୍ୱତନ୍ତ୍ର ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ଆମର ଦାୟିତ୍ୱ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ଜୈନ ଧର୍ମର ମୂଲ୍ୟବୋଧ ଓ ଜୀବନ ଦର୍ଶନ ଆଜି ଏକ ବୈଶ୍ୱିକ ଆବଶ୍ୟକତା । ଜୈନ ବିଶ୍ୱଭାରତୀ ଅନୁଷ୍ଠାନ ବିକଶିତ ଭାରତର ଲକ୍ଷ୍ୟ ନେଇ ଆଗକୁ ବଢିବା ପାଇଁ ପ୍ରଚେଷ୍ଟା କରୁଥିବା ଏକ ସମ୍ମାନସ୍ପଦ ଶିକ୍ଷାନୁଷ୍ଠାନ । ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ନେଇ ଯେଉଁ ସବୁ ଲକ୍ଷ୍ୟ ରଖାଯାଇଛି, ସେ ସବୁକୁ ନିଶ୍ଚୟ ପୂରଣ କରାଯିବ । ତେବେ ପରବର୍ତ୍ତୀ ଟେକ୍ନୋଲୋଜି ଯୁଗରେ ଏକ ବଡ ଆହ୍ୱାନ ରହିଛି । ଆହ୍ୱାନଟି ହେଉଛି, ଆଗାମୀ ଦିନରେ ‘ବିଜ୍ଞାନ ମଣିଷକୁ ଚଳାଇବ ନା ମଣିଷ ବିଜ୍ଞାନର ନିୟନ୍ତ୍ରକ ହେବ ? ତେବେ ମୂଲ୍ୟବୋଧ, ସଂସ୍କାର ଓ ଉତ୍ତମ ବ୍ୟକ୍ତିତ୍ୱ ଦ୍ୱାରା ହିଁ ଏହି ଦ୍ୱନ୍ଦକୁ ଦୂର କରାଯାଇପାରିବ । ତେଣୁ ଏହି ଆଧାରରେ ଉକ୍ତ ଆହ୍ୱାନର ସମାଧାନ ଦିଗରେ ଆଗଭର ହେବା ପାଇଁ କେନ୍ଦ୍ରମନ୍ତ୍ରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛନ୍ତି । ଜୈନ ବିଶ୍ୱଭାରତୀ ଅନୁଷ୍ଠାନ ଜ୍ଞାନର ବଡ ପୁଞ୍ଜି ହେଇ ମାନବତାକୁ ଏକ ନୂଆ ଜୀବନ ପ୍ରଦାନ କରିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି । ଜୈନ ବିଶ୍ୱ ଭାରତୀ ଅନୁଷ୍ଠାନର ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ପ୍ରଧାନ ପରମ ପୂଜ୍ୟ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣଜୀଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ ।