ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସରସ୍ଵତୀ ଶିଶୁ ମନ୍ଦିରର ୨୧ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଯୋଗେଶ୍ୱର ବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସରସ୍ଵତୀ ଶିଶୁ ମନ୍ଦିର ପରିଚାଳନା ସମିତି ସଭାପତି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀ ମୁଖ୍ୟ ଅତିଥି, ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ମୁରିବାହାଲ ଅଲେଖ ମହିମା ମଠାଧୀଶ ସାଧୁ ସୁଶୀଲ ଦାସ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ପଶ୍ଚିମ ଓଡ଼ିଶା ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ମାତୃଶକ୍ତି ସଂଯୋଜିକା ସରସ୍ଵତୀ ନନ୍ଦ ମୁଖ୍ୟବକ୍ତା ରୂପେ ଯୋଗଦେଇ ମାଟି ପିତୁଳା ଭଳି ଛୁଆମାନଙ୍କୁ ଆମେ ଯେମିତି ଚାହିଁଲେ ସେମିତି ରୂପେ ଗଢି ପାରିବା, ଆମେ ଚାହିଁଲେ ସେମାନଙ୍କୁ ଏକ ଉନ୍ନତ ଓ ଆଦର୍ଶ ମଣିଷ ରୂପେ ଗଢି ତୋଳିପାରିବା ବୋଲି ସେ ପ୍ରକାଶ କରି ସାରଗର୍ଭକ ଭାଷଣ ଦେଇଥିଲେ । ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସୁମନାନନ୍ଦ ଖମାରୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଆଚାର୍ଯ୍ୟ ଗୋବିନ୍ଦ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବାର୍ଷିକ କ୍ରୀଡାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥଲା । ଏଥିରେ ସରସ୍ଵତୀ ଶିଶୁ ମନ୍ଦିରର ସମସ୍ତ ଆଚାର୍ଯ୍ୟ, ଆଚର୍ଯ୍ୟା, ପରିଚାଳନା ସମିତି ସଦସ୍ୟ ଓ ଅଭିଭାବକ ସହଯୋଗ କରିଥିଲେ । ସରସ୍ଵତୀ ଶିଶୁ ମନ୍ଦିର ପରିଚାଳନା ସମିତି ସମ୍ପାଦକ ଭରତ ଦାସ ପରିଚୟ ପ୍ରଦାନ, ଉପସଭାପତି ଶିବ ଧରୁଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହସମ୍ପାଦକ ସୁବାସ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।