om academy

ତାଳଚେର ବିମଳାଗଡ ରେଳପଥର ଅହେତୁକ ବିଳମ୍ବ ପାଇଁ ଗଣ ଆନ୍ଦୋଳନ ନିମନ୍ତେ ଆହ୍ୱାନ

  • ତାଳଚେର ବିମଳାଗଡ ରେଳପଥ ସଂପର୍କରେ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ବହୁ ଦିନର ଦାବୀ ତାଳଚେର ବିମଳାଗଡ ରେଳପଥ ନିର୍ମାଣ ପ୍ରସଙ୍ଗ ଦୀର୍ଘ ୬ ଦଶନ୍ଧି ଧରି ଦାବୀ ତଥା ଆନ୍ଦୋଳନ ଚାଲି ଆସୁଥିଲେ ହେଁ ନା ଏଥିପ୍ରତି ରାଜ୍ୟ ବା କେନ୍ଦ୍ର କେହି କର୍ଣ୍ଣପାତ କରୁନଥିବା ବା ଟୁଳଟାଳ ନୀତି କରୁଥିବା ଦେଖାଯାଉଛି । ଯାହାକୁ ନେଇ ଦୀର୍ଘ ଦିନରୁ ଅସନ୍ତୋଷ ଲାଗି ରହିଛି । କାର୍ଯ୍ୟରେ ବିଳମ୍ବ ପାଇଁ କେନ୍ଦ୍ର ରାଜ୍ୟକୁ ଓ ରାଜ୍ୟ କେନ୍ଦ୍ରକୁ ଦୋଷ ଦେଉଛି ବୋଲି ମତ ପ୍ରକାଶ ପାଇଛି । ତାଳଚେର ବିମଳାଗଡ ରେଳପଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଉରକେଲା ସଚେତନ ନାଗରିକ ମଞ୍ଚ ଆବାହକତ୍ୱରେ ସହରର ୩୨ଟି ସାମାଜିକ ଅନୁଷ୍ଠାନ ମିଳିତ ଭାବେ ଓଡିଶାର ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ତେବେ ବିଭିନ୍ନ ସମୟରେ ଦାବୀ ନେଇ ଉଭୟ ପକ୍ଷକୁ ଶୁଣାଣି କରି ଓଡିଶା ଉଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟକୁ ନୋଟିସ୍‌ ଜାରି କରିଛନ୍ତି । ଏହି କେଶ୍‌ର ଚୁଡାନ୍ତ ଶୁଣାଣି ପାଇଁ ଆସନ୍ତା ଅକ୍ଟୋବର ୧୦ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି । ଉଭୟ ପକ୍ଷ ଦେଇଥିବା ଆଫିଡେବିଟ୍ ବିଷୟ ବସ୍ତୁ ଉପରେ ଏକ ସାମ୍ବାଦିକ ସମ୍ମିଳନୀ ସଚେତନ ନାଗରିକ ମଞ୍ଚ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଆଦର୍ଶ ପାଠାଗାର ଠାରେ ଆୟୋଜନ କରାଯାଇଥିଲା । ମଂଚର ସାଧାରଣ ସଂପାଦକ ପି ପି ରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶିଶିର ଦାସ, ଡ. ପୀତବାସ ମିଶ୍ର, ବିମଳ ବିଶି, ଇଂ ଅଭୟ କୁମାର ଦାସ, ଅମୂଲ୍ୟ ଚରଣ ବରାଳ ପ୍ରମୁଖ ମଂଚାସୀନ ରହି ସାମ୍ବାଦିକଙ୍କୁ ସମ୍ବୋଧିତ କରିଥିଲେ । ଆଇନଜୀବୀ ଶ୍ରୀ ଦାସ ଏହି ଅବସରରେ ସୂଚନା ପ୍ରଦାନ କରି କହିଲେ ଯେ, ତାଳଚେର ବିମଳାଗଡ ରେଳପଥ ୧୪୯.୭୮କି.ମି. ରେଳପଥ ରାଜ୍ୟର ୩ଗୋଟି ଜିଲ୍ଲା ଅନୁଗୁଳ, ଦେବଗଡ ଓ ସୁନ୍ଦରଗଡ ଜିଲ୍ଲା ଦେଇ ଯିବ । ଯେଉଁଥିରେ ଅନୁଗୁଳ ଜିଲ୍ଲାର ୮୨.୬୫ କି.ମି., ଦେବଗଡ ଜିଲ୍ଲାର ୩୨.୧ କି.ମି. ଓ ସୁନ୍ଦରଗଡ ଜିଲ୍ଲାର ୩୫.୦୩ କି.ମି. ରେଳପଥ ରହିବ । ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ୨୦୦୭-୦୮ ଆର୍ଥିକ ବର୍ଷରେ ୮୧୦.୭୮ କୋଟି ବ୍ୟୟ ବରାଦ କରିଥିବା ବେଳେ ଏହା ୨୦୧୬ ନଭେମ୍ବର ମାସ ବେଳକୁ ୧୯୨୮.୦୭ କୋଟିରେ ପହଞ୍ଚିଥିଲା । ଏହି ପ୍ରକଳ୍ପ ୨୦୨୨ ମସିହା ଡିସେମ୍ବର ମାସରେ ସରିବାର ଥିଲା । ଯଦି ଆକଳନ ଅନୁସାରେ ଏହି ପ୍ରକଳ୍ପ ୨୦୨୫ ମସିହା ବେଳକୁ ସମାପ୍ତ ହୁଏ ତାହା ହେଲେ ଏହାର ବ୍ୟୟ ୩ ହଜାର କୋଟିକୁ ଛୁଇଁବାର ସମ୍ଭାବନା ଅଛି । ତେବେ ଆଜି ପର୍ଯ୍ୟନ୍ତ ତାଳଚେର ସୁନାଖଣି ମଧ୍ୟରେ ୧୭.୬୨୫ କି.ମି. ଓ ପରେ ସୁନାଖଣି ଠାରୁ ସମଲ ଓ ପାରାବିଲି ୩୩.୯୨୫ କି.ମି. କାର୍ଯ୍ୟ ଚାଲୁରହିଛି । ତେବେ ଏଥିପାଇଁ ଆବଶ୍ୟକ ୩ଟି ଜିଲ୍ଲାର ଜମି ଅଧିଗ୍ରହଣ ୨୦୭୬.୨୦୯ ଏକର ମଧ୍ୟରୁ ୧୨୦୫.୦୪୭ ଏକର ଜମି ଅଧିଗ୍ରହଣ ହୋଇ ସାରିଥିବା ବେଳେ ୮୭୧.୧୬୨ଏକର ଜମି ଅଧିଗ୍ରହଣ ହୋଇନାହିଁ । ସେହିପରି ଉପରୋକ୍ତ ଜିଲ୍ଲା ଗୁଡ଼ିକରେ ଜଙ୍ଗଲ ଜମି ୬୬୩.୭୮ଏକର ଅଧିଗ୍ରହଣ କରାଯାଇଛି । ବେସରକାରୀ ଜମି ୯୯୦.୦୪୫ ଏକର ମଧ୍ୟରୁ ୩୭୮.୫୫ଏକର ଅଧିଗ୍ରହଣ କରାଯାଇଥିବା ବେଳେ ୬୧୦.୪୯୫ ଏକର ଜମି ଅଧିଗ୍ରହଣ ହୋଇନାହିଁ । ତେବେ ଜମି ଅଧିଗ୍ରହଣ ବାବଦରେ ରେଳ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ୩୦୯.୧୫ କୋଟି ଟଙ୍କା ଦାଖଲ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାରେ ଗୁଣ୍ଠେ ଜମି ମଧ୍ୟ ଅଧିଗ୍ରହଣ କରାଯାଇନାହିଁ ବୋଲି ମତ ପ୍ରକାଶ ପାଇଛି । ଅନୁଗୁଳ ଜିଲ୍ଲାରେ ମୋଟ ୫୪୯.୯୩୫ଏକର ଜମି ଅଧିଗ୍ରହଣ କରିବାକୁ ଥିବା ବେଳେ ୩୭୯.୫୫ ଏକର ଏଯାବତ ଅଧିଗ୍ରହଣ ହୋଇଅଛି ଏବଂ ୨୦୨.୮୨୪ଏକର ସରକାରୀ ଜମି ହସ୍ତାନ୍ତର କରିବା ସ୍ଥାନରେ ୧୫୪.୯୫୭ ଏକର ଜମି ରେଳବାଇକୁ ହସ୍ତାନ୍ତର କରିଛନ୍ତି । ଇତିମଧ୍ୟରେ ନୋଟିଫିକେସନର ୧୯ ବର୍ଷ ବିତିଯାଇଥିଲେ ହେଁ ଦୁଇଟି ଜିଲ୍ଲାରେ ଗୁଣ୍ଠେ ଜମି ଅଧିଗ୍ରହଣ ନକରିବା ରାଜ୍ୟ ସରକାରଙ୍କ ଅପାରଗତା ଓ ଆନ୍ତରିକତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଯାହାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯଦି ସରକାର ଜମି ଅଧିଗ୍ରହଣ କରିବାରେ ବାଧା ସୃଷ୍ଟି ହେଉଥାଏ ତେବେ ସରକାର ଜମି ଅଧିଗ୍ରହଣ ଆଇନ ୨୦୧୩ର ଧାରା ୪୦କୁ ପ୍ରୟୋଗ କରୁନାହାନ୍ତି କାହିଁକି ବୋଲି ପ୍ରଶ୍ନ କରାଯାଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ମିଳିତ ମହାସଂଘର ଆବାହକ ବିମଳ ବିଶି ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଆସନ୍ତା ଡିସେମ୍ବର ମାସ ସୁଦ୍ଧା ରାଜ୍ୟ ସରକାର ତାଳଚେର ବିମଳାଗଡ ପାଇଁ ଉଦ୍ଦିଷ୍ଟ ସମସ୍ତ ଜମି ରେଳ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ନକଲେ ଆଗାମୀ ଦିନରେ ଏକ ବିରାଟ ଗଣ ଆନ୍ଦୋଳନ ଗଢିତୋଳିବା ସହ ସଂପୃକ୍ତ ଜିଲ୍ଲା (ଦେବଗଡ ଓ ସୁନ୍ଦରଗଡ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବା ସହ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରାଯିବା ପାଇଁ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଗୋପୀନାଥ ପଟ୍ଟନାୟକ, ପଞ୍ଚାନନ ସେନାପତି, ଜଗବଂଧୁ ଜେନା, ଡାକ୍ତର ବସନ୍ତ ଦାସ, ଜଗନ୍ନାଥ ରାଉତ, ଅକ୍ଷୟ ଦାସ, ନିରଞ୍ଜନ ଦାସ, ଶୈଳେନ୍ଦ୍ର ମହାନ୍ତି, ଦେବେନ୍ଦ୍ରନାଥ ଆଚାର୍ଯ୍ୟ, ଚକ୍ରାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ କୁଞ୍ଜବିହାରୀ ରାଉତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ମଂଚର ସାଧାରଣ ସଂପାଦକ ପି ପି ରାୟ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.

1 × one =