ଗୁରୁଦିବସ ଅବସରରେ ଲେଖକ ଦେଖାର ନାୟକ ଅଧ୍ୟାପକ ଡଃ. ସଞ୍ଜୟ ମିଶ୍ରଙ୍କୁ ଶ୍ରେଷ୍ଠ ଗୁରୁ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁରୁଦିବସ ଅବସରରେ ଲେଖକ ଦେଖାର ନାୟକ ଅଧ୍ୟାପକ ଡଃ. ସଞ୍ଜୟ ମିଶ୍ରଙ୍କୁ ଶ୍ରେଷ୍ଠ ଗୁରୁ ସମ୍ମାନ ପ୍ରଦାନ କରାଯାଇଛି । ଏଇ ଅବସରରେ ବକ୍ତାମାନେ କହିଛନ୍ତି ଯେ, ଗୁରୁମାନେ ହେଉଛନ୍ତି ଜଣେ ଜଣେ ମଣିଷ ରୂପି ଦେବତା । ଏକ ଉତ୍ତମ ସମାଜ ଓ ରାଷ୍ଟ୍ର ଗଠନରେ ଗୁରୁମାନଙ୍କ ରହିଛି ଅପାର ଭୂମିକା । ଏ ମତ ପ୍ରକାଶ ପାଇଛି ବଲାଙ୍ଗିର ଠାରେ ଆୟୋଜିତ ‘ଗୁରୁଦିବସ’ ପାଳନ ଅବସରରେ । ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ତଥା ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫଙ୍କ ‘ନୀଡ଼’ରେ ଏକ ଗୁରୁଦିବସ କାର୍ଯ୍ୟକ୍ରମ ‘ସଂଜ୍ୟୋତ କଳା କେନ୍ଦ୍ର’ ପକ୍ଷରୁ ଆୟୋଜିତ ହୋଇଥିଲା । ଜୟକୃଷ୍ଣ ମିଶ୍ରଙ୍କ ଆବାହନା କ୍ରମେ ଗାୟତ୍ରୀ ସରାଫ ସଭାପତି, ବିଶିଷ୍ଟ ଶିକ୍ଷକ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି, ନୃତ୍ୟଗୁରୁ ଘାସିରାମ ମିଶ୍ର ଓ ଶିକ୍ଷାବିତ୍‌ ସନାତନ ଠାକୁର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ନିର୍ଦ୍ଧେଶିକା ସଂଗୀତା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉତ୍ସବରେ କେ.ଭି ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ବିଶିଷ୍ଟ କବି ଡ଼ଃ. ସଞ୍ଜୟ କୁମାର ମିଶ୍ରଙ୍କୁ ଶିକ୍ଷାର ପ୍ରଚାର ପ୍ରସାର ତଥା ତାଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କୁ ନେଇ ପରିଚାଳିତ ‘ଲେଖକ ଦେଖା’ କାର୍ଯ୍ୟକ୍ରମ ପାଇଁ ‘ଶ୍ରେଷ୍ଠଗୁରୁ ସମ୍ମାନ -୨୦୨୪’ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ଲେଖକ ଦେଖା କାର୍ଯ୍ୟକ୍ରମ ଉପରେ ଲିଖିତ ଗାୟତ୍ରୀ ସରାଫଙ୍କ ଗଳ୍ପ ‘ସମ୍ପର୍କର ମହୋଦଧି’ କୁ ପାଠ କରିଥିଲେ କବି ସସ୍ମିତା ସରାଫ । ସନ୍ଦୀପ କୁମାର କୁଅଁର, ରତ୍ନମୟ ତ୍ରିପାଠୀ, ମଦନ ମୋହନ ରଥ, କବି ବିଜୟ କୁମାର ତ୍ରିପାଠୀ, ଡ଼ଃ. ସୁରେଶ କୁମାର ଷଡ଼ଙ୍ଗୀ, ବିଜୟ କୁମାର ଯାନୀ, ଜୟକୁମାର ଆଚାର୍ଯ୍ୟ, ଅମଲ ଜେନା, ଅଚ୍ୟୁତ ପୁରୋହିତ, ପ୍ରଶାନ୍ତ ମହାକୁର, ସାମ୍ବାଦିକ ପୂର୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ଅରୁଣ କୁମାର ଖୁଆସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.