
ବରଗଡ, (ମୁନ୍ନା ସାହୁ) : ଷଡ଼ଯନ୍ତ୍ର କରି ଜମି ହଡ଼ପର ସାଙ୍ଘାତିକ ଅଭିଯୋଗ । ଭୁଆଁ ବୁଲେଇ ନିରୀହ ଜମିମାଲିକଙ୍କୁ ଠକି ଦେଲେ ଦଲାଲ । ଘଟଣାର ତିନି ଦିନ ପରେ ସବୁ କିଛି ଜଣାପଡ଼ିବା ପରେ ପ୍ରଶାସନର ଦ୍ୱାରସ୍ଥ ହେଲେ ପରିବାର, ହେଲେ ମିଳିଲାନି ନ୍ୟାୟ । ଦଲାଲଙ୍କ କୁଚକ୍ରାନ୍ତରେ ପଡ଼ି ଆଜି ସର୍ବସ୍ୱ ହରାଇ କାନ୍ଦୁଛି ଗୋଟିଏ ପରିବାର । ବରଗଡ଼ ଜିଲ୍ଲା ଗାଇସିଲେଟ୍ ଅଞ୍ଚଳରୁ ଆସିଛି ଏମିତି ଏକ ଦୁଃଖଦ ଖବର । ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ୍ ବ୍ଲକ୍ ରାଇସଲପଦର ଗାଁ ରେ ରହନ୍ତି ଜୟଦେବ ସାହୁଙ୍କ ୧୨ ଜଣିଆ ପରିବାର । ବେଉସା କହିଲେ ଚାଷବାସ, ଆଉ ସେଥିରୁ ଚଳେ ପରିବାର, ହେଲେ ଏହି ହସଖୁସିର ପରିବାର ଉପରେ ଏବେ ଦଲାଲଙ୍କ ନଜର ପଡ଼ିଛି । ଅଭିଯୋଗ ଅନୁଯାୟୀ, ଜୟଦେବଙ୍କ ନାମରେ ଥିବା ୨୧ ଡିସିମିଲ୍ ଜମିକୁ ହଡ଼ପ କରିବା ପାଇଁ ହୋଇଛି ଏକ ବଡ଼ ଧରଣର ଚକ୍ରାନ୍ତ । ତହସିଲ ଅଫିସରେ ଅସ୍ଥାୟୀ ଭାବେ କାମ କରୁଥିବା ଡୋଳାମଣି ସାହୁ ଏବଂ ରାଇସଲପଦର ଗାଁର ଚିନ୍ତାମଣି ସାହୁ ମିଶି ଜମି ବନ୍ଧକ ରଖିବା ନାମରେ ରେଜିଷ୍ଟ୍ରି କରିଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜୟଦେବଙ୍କ ପରିବାର । ଗରିବ ଓ ନିରୀହ ଲୋକଙ୍କୁ ଭୁଆଁ ବୁଲେଇ ଗାଇସିଲେଟ୍ ତହସିଲ ଅଫିସ ପରିସରରେ ଦଲାଲ୍ ରାଜ ଚାଲିଥିବା ଚର୍ଚ୍ଚା ହେଉଛି । ଜୟଦେବଙ୍କ ପରିବାରରେ ଜଣେ ଦିବ୍ୟାଙ୍ଗ ସଦସ୍ୟ ଦୁଃଖୀ ସାହୁ ମଧ୍ୟ ଅଛନ୍ତି । ପରିବାରର ଋଣ ପରିଶୋଧ ପାଇଁ ଜମି ବନ୍ଧକ ଦେଇ ଟଙ୍କା ଆଣିବାକୁ ଯାଇଥିବା ବେଳେ ସେଠାରେ ହୋଇଥିବା ଦସ୍ତଖତ ଆଜି ସେମାନଙ୍କ ପାଇଁ କାଳ ସାଜିଛି । ତିନି ଦିନ ପରେ ଜମିଟି ଅନ୍ୟ ନାମରେ ରେଜିଷ୍ଟ୍ରି ହୋଇସାରିଥିବା ଜାଣିବା ପରେ ପରିବାର ଲୋକେ ଅତିରିକ୍ତ ତହସିଲଦାରଙ୍କୁ ଜଣାଇଥିଲେ, ହେଲେ ସେଠାରୁ ମଧ୍ୟ ନିରାଶା ମିଳିଲା । ନ୍ୟାୟ ପାଇଁ ତହସିଲରୁ ଥାନା ଦଉଡ଼ି ଦଉଡ଼ି ଶେଷରେ କାନ୍ଦି କାନ୍ଦି ଘରକୁ ଫେରିଛନ୍ତି ଏହି ଅସହାୟ ପରିବାର । ଏପଟେ ପ୍ରଶାସନ ଏହି ଘଟଣାରେ ଚୁପ୍ ରହିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୁର୍ଖ ଓ ନିରୀହ ଭାବି ଗୋଟିଏ ପରିବାରର ଭବିଷ୍ୟତ ସହ ଖେଳ ଖେଳିଥିବା ଦଲାଲଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ, ତାହା ଦେଖିବାକୁ ବାକି ରହିଲା । ଏନେଇ ଆମେ ଗାଇସିଲେଟ୍ ତହସିଲଦାରଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଏବେ ଅପେକ୍ଷାରେ, ଜୟଦେବଙ୍କ ପରିବାରକୁ ନ୍ୟାୟ ମିଳୁଛି ନା ଜମି ମାଫିଆଙ୍କର ବିଜୟ ହେଉଛି ।