
- ମଦ୍ୟପ ବଡ଼ବାବୁ ଲମ୍ବୋଦର ଭୋଇ ସସପେଣ୍ଡ
- ୪ଥର ଥାନାରେ ଅଟକ ଓ ତାଗିଦ୍ ପରେ ବି ନିଶା ଛାଡିନଥିଲା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ ଅଫିସର ସେକ୍ସନ ଅଫିସର (ବଡ଼ବାବୁ) ଲମ୍ବୋଦର ଭୋଇ ଅଫିସ କାର୍ଯ୍ୟ ସମୟରେ ସବୁବେଳେ ପ୍ରଚୁର ମଦପିଇ ନିଶାଗ୍ରସ୍ତ ରହି ଢୁଲୁଥିବାରୁ ବିଭିନ୍ନ ଅଫିସ କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଗତ ୦୮ ତାରିଖରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଥିଲା । ନିଜ ସରକାରୀ କାର୍ଯ୍ୟ ତୁଲାଇବାରେ ଗୁରୁତର ଅବହେଳା ଓ ଉଚ୍ଚ କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ବଲାଙ୍ଗିର ଜିଲ୍ଲାପାଳ ତାଙ୍କୁ ଚାକିରୀରୁ ସସପେଣ୍ଡ କରିଛନ୍ତି । ଜିଲ୍ଲପାଳଙ୍କ ଚିଠି ସଂଖ୍ୟା ୧୦୨୫ ତା ୧୦/୦୪/୨୬ରେ ତାଙ୍କୁ ସସପେଣ୍ଡ କରାଯାଇଥିବା ଜଣାପଡ଼ିଛି । ସସପେଣ୍ଡ ସମୟରେ ସେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଅଧୀନରେ ତାଙ୍କ କାର୍ଯ୍ୟାଳୟରେ ପ୍ରତିଦିନ ଉପସ୍ଥିତ ରହିବେ । ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ପୂର୍ବରୁ ପ୍ରତିଦିନ ସକାଳୁ ହିଁ ଅଫିସରେ ବାରମ୍ବାର ମଦପିଇ ଅପଦସ୍ତ ହେବା ସହ ଅଫିସ କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି କରିବା ଭଳି ତାଙ୍କ ନାମରେ ସଙ୍ଗୀନ ଅଭିଯୋଗ ହୋଇଆସୁଥିଲା । ସେ ପ୍ରଚୁର ନିଶାରେ ମାତାଲ୍ ଥାଇ ଚଣାବାହାଲ ଗ୍ରାମର ଜଣେ ବ୍ୟକ୍ତି ଆବେଦନ କରିଥିବା ଅତି ଜରୁରୀ କାଗଜପତ୍ରକୁ ଅଫିସରୁ ହଜାଇ ଦେଇଥିଲେ । ଏହାକୁ ନେଇ ତହସିଲଦାର ଜଗଦୀଶ କର୍ତ୍ତାମୀ ତାଙ୍କୁ ତାଗିଦ୍ କରିବାରୁ ସେ ଓଲଟି ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଫଳରେ ସେ ପୁଣି ଥାନା ପୁଲିସକୁ ଡାକି ତାଙ୍କୁ ହସ୍ତାନ୍ତର କରିଥିଲେ । ଏହା ପୂର୍ବରୁ ଗତ ମାର୍ଚ୍ଚ ୨୦ତାରିଖରେ ମଧ୍ୟ ଶ୍ରୀ ଭୋଇ ଅଫିସରେ ପ୍ରଚୁର ମଦପିଇ ଢୁଲୁଥିଲେ । ଫଳରେ ବିଭିନ୍ନ ଅଫିସ କାର୍ଯ୍ୟ ପାଇଁ ଆସିଥିବା ଲୋକେ ଗୁରୁତର ହଇରାଣ ହେଉଥିଲେ । ଖବର ପାଇ ତହସିଲଦାର ପହଞ୍ଚି ତାଙ୍କୁ ତାଗିଦ୍ କରିଥିଲେ । ସେ କିନ୍ତୁ ଓଲଟି ତାଙ୍କ ସହିତ ଯୁକ୍ତିତର୍କ କରିବାକୁ ପଛାଇ ନଥିଲେ । ଫଳରେ ତହସିଲଦାର ସେତେବେଳେ ମଧ୍ୟ ବାଧ୍ୟ ହୋଇ ମୁରିବାହାଲ ଥାନା ପୁଲିସକୁ ଡାକିଥିଲେ । ପୁଲିସ ପହଞ୍ଚି ନିଶାରେ ମାତାଲ୍ ବଡ଼ବାବୁଙ୍କୁ ଥାନାକୁ ନେଇଥିଲା । ରାତି ପର୍ଯ୍ୟନ୍ତ ସେ ଥାନାରେ ଅଟକ ରହିବା ପରେ ଆଉ ଏମିତି ମଦ ପିଇ ଭୂଲ କରିବି ନାହିଁ ବୋଲି ଏକ ଲିଖିତ ଅଣ୍ଡର ଟେକିଂ ଦେବା ସହ କ୍ଷମା କରିବାକୁ ଅନୁରୋଧ କରିଥିଲେ । ହେଲେ ଏହି ଘଟଣା ପରେ ବି ସେ ସୁଧୁରିବା ପରିବର୍ତ୍ତେ ନିଜ ମଦ ପିଇବା ନିଶା ପାସୋରି ପାରିନଥିଲେ । ଅତି ନିଶାସକ୍ତ ଅବସ୍ଥାରେ ସେ ଲୋକଙ୍କୁ ଭୁଲ୍ ରିପୋର୍ଟ ଦେଉଥିବାରୁ ଏହାକୁ ନେଇ ଲୋକେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ମଧ୍ୟ କରୁଥିବା ଜଣାପଡିଥିଲା । ଏ ସମ୍ପର୍କରେ ତହସିଲଦାର ଜଗଦୀଶ କର୍ତ୍ତାମୀଙ୍କୁ ପଚାରିବାରୁ ପୂର୍ବରୁ ମଧ୍ୟ ବାରମ୍ବାର ତାଙ୍କୁ ତାଗିଦ୍ ଓ ଚେତାବନୀ ଦିଆଯାଇଥିଲେ ମଧ୍ୟ ସେ ସୁଧୁରିବାର ନାଁ ନେଉନଥିଲେ, ତହସିଲକୁ ବିଭିନ୍ନ ଅତି ଜରୁରୀ କାମ ପାଇଁ ଆସୁଥିବା ଲୋକେ ହଇରାଣ ହେଉଥିଲେ ଏଣୁ ଏଥରକୁ ମିଶାଇ ମୋଟ ୪ଥର ପୁଲିସକୁ ଡାକି ତାଙ୍କୁ ହସ୍ତାନ୍ତର କରାଯାଇସାରିଥିବା ତଥା ତାଙ୍କୁ ଏଠାରୁ ବଦଳି ପାଇଁ ଜିଲ୍ଲାପାଳ, ଏଡିଏମ୍ ଓ ଉପଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅନୁରୋଧ କରାଯାଇଥିଲା । ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଚାକିରୀରୁ ସସପେଣ୍ଡ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କୁ ପଚାରିବାରୁ ତହସିଲଦାରଙ୍କ ସୂଚନା ଆଧାରରେ ବାରମ୍ବାର ଶ୍ରୀ ଭୋଇଙ୍କୁ ଆଣି ଥାନାରେ ଅଟକ ରଖି ତାଗିଦ୍ ସହ ଚେତାବନୀ ଦେଇଥିଲେ ମଧ୍ୟ ସେ ସୁଧୁରିବାର ନାଁ ନେଉନଥିଲେ । ପୁଣିଥରେ ତାଙ୍କୁ ଥାନାକୁ ଆଣି ତାଙ୍କ ବାଇକ୍ ଜବତ ସହ ଡ୍ରଙ୍କେନ୍ ଡ୍ରାଇବରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି କରାଯାଇଥିଲା । ମଦୁଆ ବଡ଼ବାବୁଙ୍କ ପାଇଁ ତହସିଲ କାମ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ତାଙ୍କୁ ଏଠାରୁ ତୁରନ୍ତ ବଦଳି ପାଇଁ ଜିଲ୍ଲାପାଳ ଦୃଷ୍ଟିଦେବାକୁ ଜନସାଧାରଣରେ ଦୃଢ଼ ଦାବି ହୋଇଥିଲା । ବଡବାବୁଙ୍କ ସସପେଣ୍ଡ ପରେ ତାଙ୍କ ସ୍ଥାନରେ ତୁରନ୍ତ ଅନ୍ୟଜଣଙ୍କୁ ଏଠାରେ ନିଯୁକ୍ତି ଦେବା ସହ ତହସିଲର ଖାଲି ପଡ଼ିଥିବା କର୍ମଚାରୀ ପଦବୀ ପୂରଣ ପାଇଁ ଅଞ୍ଚଳର ଜନସାଧାରଣ ଦୃଢ଼ ଦାବି କରିଛନ୍ତି ।