ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ : ୫ ଦଫା ଦାବୀରେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଜୁନ ୩୦ ସୁଦ୍ଧା ରାଜ୍ୟ ସରକାର ସମସ୍ତ ବକାୟା ଧାନ କିଣି ନେବା ପ୍ରତିଶୃତି ଦେବା ପରେ ମଧ୍ୟ ଜିଲ୍ଲାରେ ଶହ ଶହ ଚାଷୀଙ୍କ ଧାନ ପଡି ରହିଛି । ଧାନ କିଣାରେ ଏହି ଅବ୍ୟବସ୍ଥା ବିରୁଦ୍ଧରେ ଆଜି ଜିଲ୍ଲା ବିଜେପି ଓ କୃଷକ ମୋର୍ଚା ତରଫରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟଳୟ ଘେରାଉ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ସମସ୍ତ ସରକାରୀ ପ୍ରସ୍ତୁତି ସତ୍ୱେ ଖରିପ ଧାନ କିଣା ପରେ ଏବେ ରବି ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି । ମିଲ ମାଲିକ ଓ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଚାଷୀମାନେ କ୍ୱିଣ୍ଟାଲ ପିଛା ୮ରୁ ୧୦ ଧାନ କଟନୀ ଛାଟନୀର ଶିକାର ହେଉଛନ୍ତି । ତା’ଛଡା ମିଲର୍ସ ମାନେ ଚାଷୀମାନଙ୍କ ବସ୍ତା, ସୁତୁଲୀ ଓ ପରିବହନ ଖର୍ଚ୍ଚ ମଧ୍ୟ ମିଲର୍ସ ମାନେ ହଡପ କରୁଛନ୍ତି । ସେହିପରି ଟୋକନ ବ୍ୟବସ୍ଥା ସିଧା ସିଧା ଭୁବନେଶ୍ୱରରୁ ପରିଚାଳିତ ହେଉଥିବା ବେଳେ ଧାନ କିଣା ଅବ୍ୟବସ୍ଥାକୁ ନେଇ ଅଭିଯୋଗ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ହାତ ଟେକି ଦେଉଛନ୍ତି । ଏଭଳି ସ୍ଥଳେ ଟୋକନ ବ୍ୟବସ୍ଥା ଚାଷୀଙ୍କ ଧାନ କିଣା ପରିବର୍ତେ ମିଲର୍ସଙ୍କୁ ବେସି ସୁହାଉଛି । ଚାଷୀମାନେ ସରକାରୀ ବ୍ୟବସ୍ଥାରେ ଧାନ ବିକି ନପାରି ଖୋଲା ବଜାରରେ କ୍ୱିଣ୍ଟାଲ ପିଛା ୧୦୦୦ରୁ ୧୨୦୦ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟରେ ଚାଷୀଙ୍କ ଧାନ କିଣାକୁ ନେଇ ଏହି ଅବ୍ୟବସ୍ଥା ଦେଖିବା ପରେ କେନ୍ଦ୍ର ସରକାରଙ୍କ ଏକ ନିର୍ଦ୍ଧିଷ୍ଟ ଦଳ କିଛି ମଣ୍ଡିରେ ଧାନ କିଣା ସମୀକ୍ଷା କରି ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ । ବିଜେପିର ଏକ ବିଧାୟକ ଦଳର ଧାରଣ ପରେ ଯୋଗାଣ ବିଭାଗ ନିର୍ଦେଶକ ୩୦ ତାରିଖ ସୁଦ୍ଧା ସମସ୍ତ ଧାନ କିଣି ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ରାଜ୍ୟ ସରକାର ନା ସେ ରିପୋର୍ଟକୁ ସର୍ବସାଧାରଣ କରୁଛନ୍ତି ନା ନିଜ ପ୍ରତିଶୃତି ରକ୍ଷା କରି ପାରିଛନ୍ତି ବୋଲି ବିଜେପି କହିଛି । ତେବେ ଏଭଳି ସ୍ଥିତିରେ ରାଜ୍ୟ ସରକାର ବିନା ବିଳମ୍ବରେ ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣି ନିଅନ୍ତୁ, ଧାନ ମଣ୍ଡିରେ ମିଲର୍ସଙ୍କ ରାଜୁତି ବନ୍ଦ କରନ୍ତୁ, କଟନୀ ଛଟନୀକୁ ସମ୍ପୂର୍ଣ ବନ୍ଦ କରନ୍ତୁ, ଚାଷୀଙ୍କ ସୁତୁଲୀ, ବସ୍ତା ଓ ପରିବହନ ଖର୍ଚ୍ଚ ତାଙ୍କୁ ପ୍ରଦାନ କରନ୍ତୁ ଓ କେନ୍ଦ୍ର ସରକାର ପ୍ରେରିତ ଟିମର ରିପୋର୍ଟକୁ ସମୀକ୍ଷା କରିବା ସହ ରାଜ୍ୟବାସୀଙ୍କ ସମ୍ମୁଖରେ ପ୍ରକାଶ କରିବା ଆଦି ଏକ ୫ ସମ୍ମିଳିତ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଲୋଇସିଂହା ବିଧାୟକ ମୁକେଶ ମହଲିଙ୍ଗ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଲଖମନ ବାଗ, ମହାଦେବ ସାଏ, ଭାରତୀ ମହନନ୍ଦ, ଅମିତ ସିଂ ନିନା, ରାକେଶ ମିଶ୍ର, ଚିତ୍ତ ବାଗ ଓ ଦିନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.