ସାଧୁପାଲିରେ ସରକାରୀ ଆବାସ ଯୋଜନା ଫେଲ୍, ତାଲିକାରେ ଥାଇ ବି ହିତାଧିକାରୀ ବଂଚିତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) ; ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ପଂଚାୟତ ଅଧୀନସ୍ଥ ସାଧୁପାଲି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫେଲ ମାରିଥିବା ଜଣାଯାଇଛି । ଗ୍ରାମର ବହୁ ଗରିବ ଯୋଗ୍ୟ ହିତାଧିକାରୀ ତାଲିକାରେ ଥାଇ ମଧ୍ୟ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ମିଲିଥିବା ସୂଚନା ଅନୁ୍ୟାୟୀ, ଗ୍ରାମର ସମାରୁ ସାହୁ ନାମକ ଜଣେ ବ୍ୟକ୍ତି ଗରିବ ସହ ଭୂମିହୀନ ଅଟନ୍ତି । ଏପରିକି ତାଙ୍କର ୭ଟି ଝିଅ ଥିବା ବେଳେ ସ୍ତ୍ରୀ ସହ ୯ ପ୍ରାଣୀ, କୁଟୁମ୍ବ ପରିପୋଷଣ କରିବା ପାଇଁ ଦିନ ମଜୁରୀ କରନ୍ତି । ରହିବା ପାଇଁ ୨ ବଖରା ଖପର ଘର ରହିଛି । ଯାହାକି ବର୍ଷା, ଖରା ଓ ଶୀତ ସମୟରେ ବହୁ ଅସୁବିଦା ଦେଖାଦିଏ । ଏହିପରି ଧନଂଜୟ ସାହୁଙ୍କ ପରିବାର ମଧ୍ୟ ଏକ ଭଙ୍ଗା ଘରେ ରହନ୍ତି । ଯାହାକି ବିପଦସଂକୁଳ ରହିଛି । ଏହାସହ ଅନେକ ଯୋଗ୍ୟ ହିତାଧିକାରୀ ମଧ୍ୟ ସରକାରୀ ଆବାସ ପାଇବାକୁ ଆଶା ବାନ୍ଧିଛନ୍ତି । ସେମାନଙ୍କ କହିବା ଅନୁ୍ୟାୟୀ, ତାଲିକାରେ ଥିଲେ ମଧ୍ୟ ସେମାନଙ୍କୁ ଘର ମିଲୁନାହିଁ, ବରଂ ଅନ୍ୟମାନଙ୍କୁ ମିଳୁଛି । ଏନେଇ ଗ୍ରାମବାସୀ ଗତ ସପ୍ତାହରେ ଲୋଇସିଂହା ବିଡିଓଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ସପ୍ତାହ ମଧ୍ୟରେ ତଦନ୍ତ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଅଦ୍ୟାବଧି ତଦନ୍ତ ହୋଇନାହିଁ । ଏନେଇ ସରପଂଚଙ୍କୁ ପଚାରିବାରେ କିପରି ସେମାନେ ବାଦ ପଡୁଛନ୍ତି ନୋଡାଲ ଅଫିସରଙ୍କୁ ବୁଝିଲେ ଜଣାପଡିବ ବୋଲି କହିଛନ୍ତି । ତେଣୁ ଉକ୍ତ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଆବାସ ଯୋଜନାରେ ସାମିଲ କରି ସରକାରୀ ଘର ସହାୟତା ଯୋଗାଇବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.