jayashree

ଆସନ୍ତାକାଲି ଭୁବନେଶ୍ୱରରେ ହେବ ସ୍ୱତନ୍ତ୍ର ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର

  • ଚଳିତ ମାସ ଦେଶବ୍ୟାପୀ ୮୦୦ଟି ସ୍ଥାନରେ ଆୟୋଜନ କରାଯାଉଛି ଡିଏଲ୍‌ସି ୩.୦ ଅଭିଯାନ
  • ପେନ୍‌ସନ୍‌ଭୋଗୀମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଧାର ପ୍ରମାଣିକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ

ନୂଆଦିଲ୍ଲୀ, (ପିଆଇବି) : ପେନ୍‌ସନ୍‌ ଏବଂ ପେନ୍‌ସନ୍‌ଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ବା ଚେହେରା ପ୍ରମାଣିକରଣ ପ୍ରଯୁକ୍ତି ମାଧ୍ୟମରେ ପେନସନଭୋଗୀଙ୍କ ନିମନ୍ତେ ଜୀବନ ପ୍ରମାଣପତ୍ର ଦାଖଲକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଚଳିତ ମାସ ଏହି ବିଭାଗ ଦେଶବ୍ୟାପୀ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ (ଡିଏଲସି) ଅଭିଯାନ ୩.୦ ଆୟୋଜନ କରୁଛି । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଆୟୋଜନ କରାଯାଉଥିବା ବେଳେ ପେନ୍‌ସନ୍‌ଭୋଗୀମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଧାର ଭିତ୍ତିକ ପ୍ରମାଣୀକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ । ଆସନ୍ତାକାଲି, ଅର୍ଥାତ୍ ୭ ନଭେମ୍ବରରେ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଆୟୋଜନ କରାଯିବ । ସିସିଏ ଓଡ଼ିଶା ଭୁବନେଶ୍ୱର, ବାପୁଜୀନଗର, ନୟାପଲ୍ଲୀ, ଜନପଥ, ରାମମନ୍ଦିର, ଖଣ୍ଡଗିରି, ସାମନ୍ତରାପୁର ଓ ଝାରପଡ଼ାଠାରେ ଡିଏଲ୍‌ସି ଶିବିର ଆୟୋଜନ କରାଯିବ । ଏଥିରେ ଦୂରସଞ୍ଚାର ବିଭାଗ, ବ୍ୟାଙ୍କ ଅଫ୍ ବରୋଦା ଓ କେନ୍ଦ୍ର ସରକାରୀ ପେନ୍‌ସନ୍‌ଭୋଗୀ ସଂଘ ସହଯୋଗ ଯୋଗାଇ ଦେବେ । ବିଭାଗର ଜଣେ ବରିଷ୍ଠ ଅଧିକାରୀ ବିଭିନ୍ନ ସ୍ଥାନ ପରିଦର୍ଶନ କରି ପେନସନଭୋଗୀଙ୍କୁ ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିବା ପାଇଁ ବିଭିନ୍ନ ଡିଜିଟାଲ ମାଧ୍ୟମରେ ସାହାଯ୍ୟ କରିବେ । ଏହି ଶିବିରଗୁଡ଼ିକରେ ଆବଶ୍ୟକସ୍ଥଳେ, ପେନ୍‌ସନ୍‌ଭୋଗୀମାନଙ୍କୁ ସେମାନଙ୍କର ଆଧାର ରେକର୍ଡ ଅପଡେଟ୍ କରିବା ଏବଂ ଯେକୌଣସି ବୈଷୟିକ ସମସ୍ୟାର ସମାଧାନ କରିବାରେ ୟୁଆଇଡିଏଆଇ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ । ଏଥିପୂର୍ବରୁ ପେନ୍‌ସନ୍‌ଭୋଗୀମାନଙ୍କୁ ପେନ୍‌ସନ୍‌ ବିତରଣ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା, ଯାହା ବୟସ୍କ ବ୍ୟକ୍ତିଙ୍କ ପାଇଁ ଅନେକ ସମୟରେ ଆହ୍ୱାନପୂର୍ଣ୍ଣ ଥିଲା । ୨୦୧୪ରେ, ଡିଓପିପିଡବ୍ଲ୍ୟୁ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ (ଜୀବନ ପ୍ରମାଣ) ଏବଂ ୨୦୨୧ରେ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ଆରମ୍ଭ କରିଥିଲା । ଏହି ଅଗ୍ରଗତି ବାୟୋମେଟ୍ରିକ୍ ଡିଭାଇସର ଆବଶ୍ୟକତାକୁ ଦୂର କରିଥିଲା, ପ୍ରକ୍ରିୟାକୁ ଅଧିକ ସୁଗମ କରିଥିଲା । ୨୦୨୨ରେ ଡିଓପିପିଡବ୍ଲ୍ୟୁ ୩୭ଟି ସ୍ଥାନରେ ଏକ ଅଭିଯାନ ଆୟୋଜନ କରିଥିଲା, ଯେଉଁଥିରେ ୧.୪୧ କୋଟି ଡିଏଲ୍‌ସି କରାଯାଇଥିଲା । ୨୦୨୩ ଅଭିଯାନ ୧୦୦ଟି ସ୍ଥାନକୁ ବିସ୍ତାରିତ ହୋଇଥିଲା, ଯେଉଁଥିରେ ୧.୪୭ କୋଟିରୁ ଅଧିକ ଡିଏଲ୍‌ସି କରାଯାଇଥିଲା । ୨୦୨୪ ନଭେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ଏହି ଅଭିଯାନର ତୃତୀୟ ପର୍ଯ୍ୟାୟକୁ ଦେଶର ୮୦୦ଟି ସ୍ଥାନରେ ଆୟୋଜନ କରାଯାଉଛି । ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ପେନସନଭୋଗୀ ସଂଘ, ୟୁଆଇଡିଏଆଇ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଏବଂ ଦୂରସଂଚାର ବିଭାଗ ଏଥିରେ ପ୍ରମୁଖ ଅଂଶୀଦାର ରହିଛନ୍ତି । ପେନ୍‌ସନ୍‌ଭୋଗୀମାନଙ୍କୁ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲରେ ସାହାଯ୍ୟ କରିବା ପାଇଁ ସହରରେ ଶିବିର ସ୍ଥାପନ କରାଯିବ । ଅତ୍ୟଧିକ ବୟସ୍କ କିମ୍ବା ଭିନ୍ନକ୍ଷମ ପେନସନଭୋଗୀଙ୍କ ପାଇଁ ସ୍ୱଗୃହ ପରିଦର୍ଶନ ସମେତ ଅନ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଡିଏଲସି ପୋର୍ଟାଲ ମାଧ୍ୟମରେ ଡିଓପିପିଡବ୍ଲ୍ୟୁ ଅଭିଯାନର ତଦାରଖ କରିବା ସହିତ ସୋସିଆଲ ମିଡିଆରେ ଏହାର ପ୍ରଚାରପ୍ରସାର କରାଯିବ । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଦୁର୍ଗମ ଅଞ୍ଚଳରେ ରହୁଥିବା କିମ୍ବା ଚଲାବୁଲା କରିପାରୁନଥିବା ପେନ୍‌ସନ୍‌ଭୋଗୀମାନଙ୍କୁ ଏହି ବ୍ୟବସ୍ଥା ମାଧ୍ୟମରେ ପେନ୍‌ସନ୍‌ ଯୋଗାଇ ଦେବା ।

Leave A Reply

Your email address will not be published.