ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ ଖର୍ଚ୍ଚ ହେବ ୧୨.୦୨ କୋଟି ଟଙ୍କା: କ୍ରୀଡ଼ାମନ୍ତ୍ରୀ ଶ୍ରୀ କିରେନ ରିଜିଜୁ
• ୪ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବ
ନୂଆଦିଲ୍ଲୀ, (ପିଆଇବି) : ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଉନ୍ନୟନ କାର୍ଯ୍ୟ କରାଯିବ । ଦେଶରେ ପ୍ରଥମ ପର୍ୟ୍ୟାୟରେ ଯେଉଁ ୮ଟି ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରର ବିକାଶ କରାଯିବ ସେଥିମଧ୍ୟରେ କଳିଙ୍ଗ ଷ୍ଟାଡିୟମ ଅନ୍ତର୍ଭୁକ୍ତ । ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସମେତ ୮ଟି ଏଭଳି କେନ୍ଦ୍ରକୁ ବଛାଯାଇଛି । ଏହାଛଡା ମିଜୋରାମ, ତେଲଙ୍ଗାନା, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଓ କେରଳରେ ଏଭଳି ଗୋଟିଏ ଗୋଟିଏ କେନ୍ଦ୍ର ବିକଶିତ କରାଯିବ । ଖେଲୋ ଇଣ୍ଡିଆ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଏକ ପ୍ରମୁଖ କାର୍ଯ୍ୟକ୍ରମ ଏବଂ ଏହା ମାଧ୍ୟମରେ ପ୍ରତିଭା ଚିହ୍ନଟ ଓ ତାହାର ବିକାଶ କାର୍ୟ୍ୟକ୍ରମ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ ୧୨.୦୨ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୪ ବର୍ଷ ମଧ୍ୟରେ ଏହି କାର୍ୟ୍ୟ ଶେଷ ହେବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତୀ ଶ୍ରୀ କିରେନ୍ ରିଜିଜୁ କହିଛନ୍ତି ।
ଏହି ଷ୍ଟାଡିୟମର ବିକାଶ ପାଇଁ ଯେଉଁସବୁ କାର୍ୟ୍ୟକ୍ରମ କାର୍ୟ୍ୟକାରୀ ହେବ ସେଥିରେ ଭିତ୍ତିଭୂମି ଉନ୍ନୟନ, କ୍ରୀଡା ବିଜ୍ଞାନ କେନ୍ଦ୍ର ସ୍ଥାପନ, ଉତ୍କୃଷ୍ଟମାନର ପ୍ରଶିକ୍ଷକ ନିଯୁକ୍ତି, କ୍ରୀଡ଼ା ବିଜ୍ଞାନ ମାନବ ସମ୍ବଳ ବା ଫିଜିଓଥେରାପିଷ୍ଟ ତଥା ସାମର୍ଥ୍ୟ ଓ ବ୍ୟବସ୍ଥା ବିଶେଷଜ୍ଞ ଆଦି ଏଥିରେ ଅନ୍ତର୍ଭୁକ୍ତ । ଏହି ବିକାଶ ଯୋଜନାରେ କ୍ରୀଡାବିତ୍ମାନଙ୍କୁ ଉଚ୍ଚମାନର ଉପକରଣ ଯୋଗାଇ ଦିଆଯିବ ଏବଂ ଏକାଡେମୀରେ ହାଇପରଫର୍ମାନ୍ସ ମ୍ୟାନେଜରମାନଙ୍କ ଜରିଆରେ କ୍ରୀଡା ବିଜ୍ଞାନ ଏବଂ ପ୍ରଦର୍ଶନ ପରିଚାଳନା କ୍ଷେତ୍ରରେ ଉତ୍ତମମାନ ନିଶ୍ଚିତ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।
କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପ୍ରାଦେଶିକ ସହଯୋଗରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା କ୍ରୀଡା ଭିତ୍ତିଭୂମିର ବିକାଶ କାର୍ୟ୍ୟ ଅଂଶୀଦାରୀଭିତ୍ତିରେ କାର୍ୟ୍ୟକାରୀ କରୁଛନ୍ତି । ଏଥିପାଇଁ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଉଛି । ମୋଟାମୋଟିଭାବେ ଏହି ଯୋଜନାର ଲକ୍ଷ୍ୟ ହେଲା ସମଗ୍ର ଦେଶରେ ଏକ ଦୃଢ ଓ ବ୍ୟବସ୍ଥିତ କ୍ରୀଡା ଭିତ୍ତିଭୂମି ସୃଷ୍ଟି କରିବା । ପ୍ରତ୍ୟେକ କ୍ରୀଡା ଉତ୍କର୍ଷ କେନ୍ଦ୍ରରେ ଅଲିମ୍ପିକ୍ ଖେଳକୁଦକୁ ପ୍ରୋତ୍ସାହତ କରାଯିବ । ପ୍ରତ୍ୟେକ ରାଜ୍ୟ ଉତ୍କର୍ଷ କେନ୍ଦ୍ରରେ ସର୍ବାଧିକ ୩ ପ୍ରକାର ଏଭଳି ଖେଳକୁ ପ୍ରୋତ୍ସାହନ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସମଗ୍ର ଦେଶରେ ଏହି ଉକ୍ରର୍ଷ କେନ୍ଦ୍ର ମାଧ୍ୟମରେ ୧୪ଟି ଅଲିମ୍ପିକ୍ କ୍ରୀଡା ପାଇଁ ଅଭ୍ୟାସ ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।
କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି ଯେ ଦେଶରେ ଏକ ଦୃଢ ଭିତ୍ତିଭୂମି ସ୍ଥାପନ କରିବାକୁ ଏହି ପଦକ୍ଷେପ ନିଆଯାଇଛି । ଅଲିମ୍ପିକ୍ ପଦକ ଜିତିବା ଭଳି କ୍ରୀଡାବିତ୍ ସୃଷ୍ଟି କରିବା ଏହାର ଲକ୍ଷ୍ୟ । କ୍ରୀଡାବିତ୍ଙ୍କ ଅଭ୍ୟାସ ପାଇଁ ଏସବୁ କେନ୍ଦ୍ରରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସୃଷ୍ଟି କରାଯିବ ଏବଂ ଅଭ୍ୟାସ ପାଇଁ କ୍ରୀଡାବିତ୍ଙ୍କୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ୨୦୨୮ରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡାରେ ଭାରତ ଯେପରି ପଦକ ତାଲିକାରେ ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ରହେ ସେହି ଲକ୍ଷ୍ୟ ରଖି ଏହି ଉଦ୍ୟମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।