oum

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କେନ୍ଦ୍ର କ୍ୟାବିନେଟର ଶୋକ

jsm

● ଶ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା
ନୂଆଦିଲ୍ଲୀ, (ପିଆଇବି) : ସେପ୍ଟେମ୍ବର ୨୩, ୨୦୨୦ ନୂଆଦିଲ୍ଲୀ ଠାରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କେନ୍ଦ୍ର କ୍ୟାବିନେଟ ଶୋକ ବ୍ୟକ୍ତ କରିଛନ୍ତି ।
ଶ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ସ୍ମୃତିରେ କ୍ୟାବିନେଟ ଦୁଇ ମିନିଟ ନୀରବତା ଅବଲମ୍ବନ କରିଥିଲା ।
କେନ୍ଦ୍ର କ୍ୟାବିନେଟରେ ଆଜି ନିମ୍ନ ପ୍ରସ୍ତାବଗୁଡ଼ିକ ଗୃହୀତ ହୋଇଛି ।
ସେପ୍ଟେମ୍ବର ୨୩, ୨୦୨୦ ନୂଆଦିଲ୍ଲୀ ଠାରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କ୍ୟାବିନେଟ ଗଭୀର ଶୋକ ବ୍ୟକ୍ତ କରିଛି । ତାଙ୍କ ମୃତ୍ୟୁରେ ଦେଶ ଜଣେ ପ୍ରବୀଣ ନେତା, ଶିକ୍ଷାବିତ, ପ୍ରତିଷ୍ଠିତ ସାଂସଦ ଓ ଦକ୍ଷ ପ୍ରଶାସକଙ୍କୁ ହରାଇଛି ।
ଜୁନ ୧, ୧୯୫୫ରେ କର୍ଣ୍ଣାଟକର ବେଲଗାଭି ଜିଲ୍ଲାର କେକେ କୋପ୍ପା ଗାଁରେ ଜନ୍ମିତ ଶ୍ରୀ ଅଙ୍ଗାଡି ଏସ.ଏସ.ଏସ. ସମିତି କଲେଜ, ବେଲଗାଭିରୁ ସ୍ନାତକ କରିବା ପରେ ରାଜା ଲକ୍ଷ୍ମଣଗୌଡା ଆଇନ କଲେଜ, ବେଲଗାଭିରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ ।
ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ସେ ୧୯୯୬ରେ ପାର୍ଟିର ବେଲଗାଭି ଜିଲ୍ଲା ୟୁନିଟର ଉପସଭାପତି ହୋଇଥିଲେ । ୨୦୦୧ରେ ବେଲଗାଭି ଜିଲ୍ଲା ୟୁନିଟ ସଭାପତି ଭାବେ ମନୋନୀତ ହୋଇଥିଲେ ଓ ୨୦୦୪ରେ ବେଲଗାଭି ଲୋକସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ ହେବା ପର୍ୟ୍ୟନ୍ତ ସେ ବେଲଗାଭି ଜିଲ୍ଲା ୟୁନିଟ ସଭାପତି ଭାବେ କାର୍ୟ୍ୟ କରିଥିଲେ । ବିପୁଳ ବ୍ୟବଧାନରେ ଜିତି ସେ ୧୪ତମ ଲୋକସଭା ସଦସ୍ୟ ହୋଇଥିଲେ । ୨୦୦୯, ୨୦୧୪ ଓ ୨୦୧୯ରେ ସେ ବେଲଗାଭିରୁ ଲୋକସଭାକୁ ପୁନଃନିର୍ବାଚିତ ହୋଇଥିଲେ ।
ସେ ଖାଦ୍ୟ, ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ, ମାନବ ସମ୍ବଳ ବିକାଶ ଓ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିର ସଦସ୍ୟ ତଥା ଅର୍ଥ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପେନସନ, ସାଂସଦମାନଙ୍କ ଦରମା ଓ ଭତ୍ତା ଯୁଗ୍ମ କମିଟି ସଦସ୍ୟ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରାମର୍ଶଦାତା କମିଟି, ହାଉସ କମିଟି ଓ ପିଟିସନ କମିଟି ସଦସ୍ୟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ମେ, ୨୦୧୯ରେ ଶ୍ରୀ ଅଙ୍ଗାଡି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ ।
ସେ ବହୁ ସାମାଜିକ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ସହିତ ଜଡ଼ିତ ଥିଲେ । ଶିଳ୍ପ,କୃଷି, ଗରିବଙ୍କ ପାଇଁ ଶିକ୍ଷା ଆଦି ପ୍ରତି ତାଙ୍କର ବିଶେଷ ଋଚି ରହିଥିଲା । ସେ ୨୦୦୯ରୁ ସୁରେଶ ଅଙ୍ଗାଡି ଏଜୁକେଶନ ଫାଉଣ୍ଡେସନ, ବେଲଗାମର ଅଧ୍ୟକ୍ଷ ଥିଲେ । ପଢ଼ିବାକୁ ଓ ବୁଲିବାକୁ ସେ ଭଲ ପାଉଥିଲେ ।
ସରକାର ଓ ସାରା ଦେଶ ପକ୍ଷରୁ କେନ୍ଦ୍ର କ୍ୟାବିନେଟ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛି ।

Leave A Reply

Your email address will not be published.