ପ୍ରତି ୧୦ ଲକ୍ଷରେ ସର୍ବନିମ୍ନ ସଂକ୍ରମିତ ଓ ମୃତ୍ୟୁ ହାର ସହ ଅଧିକ ଟେଷ୍ଟିଂ କ୍ଷେତ୍ରରେ ଭାରତ ବିଶ୍ୱରେ ଅଗ୍ରଣୀ

• ସକ୍ରିୟ ମାମଲା କ୍ରମାଗତ ଭାବେ ନିମ୍ନମୁଖୀ ରହିଛି
• ଗତକାଲି ୨୪ ଘଣ୍ଟା ମଧ୍ୟରେ ୫୫,୩୪୨ ନୂଆ ପଜିଟିଭ

ନୂଆଦିଲ୍ଲୀ, (ପିଆଇବି) : ନିର୍ଦ୍ଦିଷ୍ଟ ରଣକୌଶଳ ଏବଂ କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ପକ୍ଷରୁ ସମନ୍ୱିତ ପ୍ରଚେଷ୍ଟା ଯୋଗୁ ପ୍ରତି ନିୟୁତ ଜନସଂଖ୍ୟାରେ କମ୍ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ସେହିପରି କମ୍ ମୃତ୍ୟୁ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ସାମିଲ ହୋଇପାରିଛି ।
ବିଶ୍ୱସ୍ତରରେ ପ୍ରତି ୧୦ ଲକ୍ଷରେ ପଜିଟିଭ୍ ସଂଖ୍ୟା ୪୭୯୪ ଥିବା ବେଳେ ଭାରତରେ ରହିଛି ୫୧୯୯ । ବ୍ରିଟେନ, ରୁଷ, ଦକ୍ଷିଣ ଆଫ୍ରିକା, ଆମେରିକା ଏବଂ ବ୍ରାଜିଲରେ ଏହି ସଂଖ୍ୟା ଅଧିକ ରହିଛି ।
ପ୍ରତି ୧୦ ଲକ୍ଷରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧୩୮ ଥିବା ବେଳେ ଭାରତରେ ରହିଛି ୭୯ ।
କରୋନା ପରୀକ୍ଷା କ୍ଷେତ୍ରରେ ଭାରତ ବିଶ୍ୱରେ ପ୍ରମୁଖ ସ୍ଥାନ ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୧୦,୭୩,୦୧୪ ନମୁନା ପରୀକ୍ଷା ହୋଇଥିବା ବେଳେ ଦେଶରେ ଏ ପର୍ୟ୍ୟନ୍ତ ମୋଟ ୮.୮୯ କୋଟି (୮,୮୯,୪୫,୧୦୭) ନମୁନା ପରୀକ୍ଷା ହୋଇଛି ।
ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା ହେଉଥିବାରୁ ଶୀଘ୍ର ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇପାରୁଛି । ଠିକ୍ ସମୟରେ ସେମାନଙ୍କ ଚିକିତ୍ସା ହେଉଛି ଓ ଅଧିକ ସୁସ୍ଥ ହେଉଛନ୍ତି ଏବଂ ମୃତ୍ୟୁ ସଂଖ୍ୟା କମ୍ ରହୁଛି ।
ଅଧିକ ଆୟସମ୍ପନ୍ନ ରାଷ୍ଟ୍ର ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ରୁଷ ଏବଂ ଫ୍ରାନ୍ସ ସହ ଭାରତର ତୁଳନା ଅନୁଚିତ, ଯେହେତୁ ସେମାନେ ସମାନ ସ୍ତରରେ ନାହାନ୍ତି । ଜନସଂଖ୍ୟା ଦୃଷ୍ଟିରୁ ଭାରତରେ ସମ୍ବଳ ବଣ୍ଟନରେ ଅସମାନତା ରହିଛି । ପ୍ରତି ନିୟୁତ ଜନସଂଖ୍ୟାରେ ଡାକ୍ତର ଓ ନର୍ସଙ୍କ ଉପଲବ୍ଧତା ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉଥିବା ଖର୍ଚ୍ଚକୁ ତୁଳନା କଲେ ଅନ୍ୟାନ୍ୟ ଆୟସମ୍ପନ୍ନ ରାଷ୍ଟ୍ରଙ୍କ ତୁଳନାରେ ଭାରତରେ କମ୍ । କିନ୍ତୁ କୋଭିଡ-୧୯ ପରିଚାଳନା ଏବଂ ଗତ କିଛି ମାସ ମଧ୍ୟରେ ହୋଇଥିବା ଜନସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯୋଗୁ ଭଲ ଫଳ ମିଳିପାରିଛି ।
ଭାରତରେ କ୍ରମାଗତ ଭାବେ ନୂଆ ପଜିଟିଭ୍ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତକାଲି ୨୪ ଘଣ୍ଟାରେ ଦେଶରେ ୫୫,୩୪୨ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି ।
କେନ୍ଦ୍ର ଦ୍ୱାରା ନିର୍ଦ୍ଧାରିତ ରଣକୌଶଳ ଅନୁଯାୟୀ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ତ୍ୱରିତ ନମୁନା ପରୀକ୍ଷଣ, ତୁରନ୍ତ ଟ୍ରାକିଂ ଏବଂ ନିରୀକ୍ଷଣ, ଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରିବା ଏବଂ ଉଭୟ ସରକାରୀ ଓ ବେସରକାରୀ ହସପିଟାଲରେ ନିର୍ଦ୍ଦିଷ୍ଟ ପଦ୍ଧତିରେ ଚିକିତ୍ସା କରାଯିବା ଯୋଗୁ ତଥା ହୋମ୍ ଆଇସୋଲେସନ ନୀତି ଫଳରେ କରୋନା ନିୟନ୍ତ୍ରଣରେ ସଫଳତା ମିଳିପାରିଛି ।
ଗତ ୫ ସପ୍ତାହ ମଧ୍ୟରେ ଦୈନିକ ନୂଆ ମାମଲା ହ୍ରାସ ପାଇବାରେ ଲାଗିଛି । ସାପ୍ତାହିକ ହାରାହାରୀ ସଂଖ୍ୟା ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ୯୨,୮୩୦ ଥିବା ବେଳେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଏହା ହୋଇଛି ୭୦,୧୧୪ ।
ଭାରତରେ ଦୈନିକ ସକ୍ରିୟ ମାମଲାର ନିମ୍ନମୁଖୀ ଧାରା ରହିଛି । ଦେଶରେ ଏବେ ମୋଟ ପଜିଟିଭ୍ ମାମଲାର ମାତ୍ର ୧୧.୬୯% (୮,୩୮,୭୨୯) ରହିଛି ସକ୍ରିୟ ମାମଲା । କ୍ରମାଗତ ପଞ୍ଚମ ଦିନ ପାଇଁ ଦେଶରେ ସକ୍ରିୟ ମାମଲା ୯ ଲକ୍ଷ ତଳେ ରହିଛି ।
ନୂଆ ପଜିଟିଭ୍ ମାମଲାର ୭୬% ଆସିଛି ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ । ନୂଆ ମାମଲା ଚିହ୍ନଟରେ କର୍ଣ୍ଣାଟକ ମହାରାଷ୍ଟ୍ରକୁ ଅତିକ୍ରମ କରିଯାଇଛି । ଉଭୟ ରାଜ୍ୟରେ ଏବେ ବି ୭ ହଜାରରୁ ଅଧିକ ମାମଲା ସାମନାକୁ ଆସୁଛି । କର୍ଣ୍ଣାଟକ, କେରଳ, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ରେ ମାମଲା ସଂଖ୍ୟା ଅଧିକ ରହୁଛି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୭,୭୬୦ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ମୋଟ ସୁସ୍ଥଙ୍କ ସଂଖ୍ୟା ୬୨ ଲକ୍ଷ (୬୨,୨୭,୨୯୫)କୁ ଅତିକ୍ରମ କରିଛି । ଦୈନିକ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଜାତୀୟ ସୁସ୍ଥ ହାର ବୃଦ୍ଧି ପାଉଛି । ଏବେ ଏହି ହାର ରହିଛି ୮୬.୭୮% ।
ଏଥିରୁ ୭୮% ସୁସ୍ଥ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ।
ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୫ ହଜାରରୁ ଅଧିକ ସୁସ୍ଥ ହୋଇଥିବା ବେଳେ କର୍ଣ୍ଣାଟକରେ ୧୨ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।
କ୍ରମାଗତ ଦଶମ ଦିନରେ କୋଭିଡ-୧୯ ମୃତ୍ୟୁ ସଂଖ୍ୟା ୧୦୦୦ ତଳେ ରହିଛି । ଗତକାଲି ୨୪ ଘଣ୍ଟା ମଧ୍ୟରେ ୭୦୬ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୭୯% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ମୃତ୍ୟୁର ୨୩% (୧୬୫ ଜଣ) ମହାରାଷ୍ଟ୍ରରୁ ଆସିଛି ।

Leave A Reply

Your email address will not be published.