ବିଜାଖମନ ରାସ୍ତାରେ ବଢ଼ୁଛି ଲୁଟ୍ ତରାଜ୍ : ଜଣେ ଗିରଫ୍, ୪ ଫେରାର୍

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟିଟିଲାଗଡ଼ ରୋଡ଼ରେ ବାରମ୍ବାର ଡକାୟତି, ଲୁଟ୍ ତରାଜ୍, ରାହାଜାନି ହେଉଥିବା ବେଳେ ଅସାମାଜିକ ତତ୍ତ୍ୱଙ୍କର କାୟା ବିସ୍ତାର ବିଢ଼ି ଚାଲିଛି । ସାମାନ୍ୟ ଟଙ୍କା ଲୁଟ୍ ପାଇଁ ଲହୁଲୁହାଣ ହେଉଛନ୍ତି ନିରୀହ ଲୋକେ । ଆଜି ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ସ୍ଥାନୀୟ ଲଳିତନଗରର ଦାମ ବରାଡ଼ ଆଜି ସକାଳୁ ଗାଇ ଚରାଇବାକୁ ଯାଇଥିବା ବେଳେ କିଛି ଅସାମାଜିକ ଯୁବକ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଦାମଙ୍କ ମୁଣ୍ଡରେ ଗଭୀର ଆଘାତ ସହିତ ତାଙ୍କର କାନ ଛିଣ୍ଡି ଯାଇଛି । ଏହି ଘଟଣାରେ ଜଣକୁ ପୁଲିସ ଗିରଫ କରିଥିବା ବେଳେ ୪ ଜଣ ଫେରାର ଥିବା କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଲଳିତନଗରର ଦାମ ବରାଡ଼ ସକାଳୁ ଗାଇ ଚରାଇବାକୁ ଯାଇଥିଲେ । ଏତିକି ବେଳେ ହଠାତ୍ ତାଙ୍କ ଉପରେ ପାଂଚ ଜଣ ଅସାମାଜିକ ଯୁବକ ଅତର୍କିତ ଆକ୍ରମଣ କରିବା ସହ ଟଙ୍କା ମାଗିଲେ । ତାଙ୍କଠୁ ଟଙ୍କା ନପାଇବାରୁ ନିର୍ଘାତ ମାଡ଼ ମାରିଥିଲେ । ବିଶେଷ ଆଘାତ ଲାଗିଥିବା ସତ୍ୱେ ଏହି ଆକ୍ରମଣରେ ଦାମ ଜଣକୁ କାବୁ କରି ନେଇ ଲଳିତନଗରକୁ ଟାଣି ଟାଣି ଆଣିଥିଲେ । ପରେ ଲଳିତନଗରବାସୀ ପୁଲିସକୁ ଡାକି ଏହି ଯୁବକଙ୍କୁ ଜିମା ଦେଇଛନ୍ତି । ଉକ୍ତ ଯୁବକଙ୍କ ନାମ ଜିତୁ ବାଗ(୧୮) ଓ ସିଏ ବିଜାଖମନ ବାସିନ୍ଦା ବୋଲି ଜଣାପଡ଼ିଛି । ତେବେ ଏହି ଘଟଣା ସଂପର୍କରେ ଦାମ ବରାଡ଼ ତରଫରୁ ଆଦର୍ଶ ଟାଉନ ଥାନାକୁ ଲିଖିତ ଅଭିଯୋଗ କରାଯାଇଛି । ଅନ୍ୟ ୪ ଜଣ ଆକ୍ରମଣକାରୀ ଫେରାର୍ ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.