ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବୁଣାକାର ସଂଘ ପକ୍ଷରୁ ରାଜ୍ୟରେ ସୂତା ଓ ରଙ୍ଗର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୫ଦଫା ଦାବୀରେ ସଂଘ ସଭ୍ୟସଭ୍ୟାମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୫ ଦଫା ଦାବୀ ମଧ୍ୟରେ ରାଜ୍ୟରେ ସୂତା ଓ ରଙ୍ଗର ଅହେତୁକ ମୂଲ୍ୟ ବୃଦ୍ଧିକୁ କମ୍ କରିବା, ସୂତା ବ୍ୟାଙ୍କଗୁଡ଼ିକରେ ସବୁ ସମୟରେ ସୂତା ମହଜୁଦ ରଖିବା, ସୂତା ବ୍ୟାଙ୍କଗୁଡ଼ିକରୁ ବୁଣାକାରମାନଙ୍କ ପାଇଁ ସୂତା କିଣାରେ ଥିବା ନିୟମକୁ ସରଳୀକରଣ କରିବା, ଅନ୍ୟ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ପରି ବୁଣାକାରମାନଙ୍କୁ ୪୦/୫୦ ପ୍ରତିଶତ ରିହାତିରେ ସୂତା ପ୍ରଦାନ କରିବା, ବରଗଡ଼ ସ୍ଥିତ ତୋରା ସମବାୟ ସୂତାକଳ ସହ ରାଜ୍ୟରେ ବନ୍ଦ୍ ପଡ଼ିଥିବା ସମସ୍ତ ସୂତାକଳ ଚଳାଇବା ସହ ଆଉ ଦୁଇଟି ନୂତନ ସୂତାକଳ ପ୍ରତିଷ୍ଠା କରିବା ଆଦି ଦାବୀରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ସଭାପତି ଅଯୋଧ୍ୟା ମେହେରଙ୍କ ନେତୃତ୍ବରେ ସଂଘର ସଭ୍ୟମାନେ ଏଥି ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ଈଶ୍ୱର ବେହେରା, ଉପସଭାପତି ବିଜୟ ମେହେର, ଶିବ ମେହେର, ପ୍ରସନ୍ନ ମେହେର, ନବ କିଶୋର ମେହେର, ଗାନ୍ଧୀ ମେହେର, ସେବା ରାମ ମେହେର, ଗିରିଧର ମେହେର ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲଙ୍କୁ ପ୍ରଦାନ କରିଥିଲେ ।