
ଖପ୍ରାଖୋଲ (ଅଶୋକ କୁମାର ବାଗ) : ବିକାଶର ଲମ୍ବା ଦାବି ଭିତରେ ମାନବିକତାକୁ ଦୋହଲାଇ ଦେବା ଭଳି ଏକ ଚିତ୍ର ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ସିନ୍ଧବାହାଲି ଗ୍ରାମରୁ । ଗ୍ରାମଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଜଙ୍ଗଲରେ କୁଡ଼ିଆ କରି ଅସହାୟ ଜୀବନ କାଟୁଛନ୍ତି ବୃଦ୍ଧ ଜୀବର୍ଦ୍ଧନ ବିନ୍ଧାଣି ଓ ତାଙ୍କ ସ୍ତ୍ରୀ ଉଆଁସୀ ବିନ୍ଧାଣି । ଦମ୍ପତିଙ୍କ ପାଖରେ ନାହିଁ ଆଧାର କାର୍ଡ, ନାହିଁ ଭୋଟର ପରିଚୟ ପତ୍ର । ଫଳରେ ବାର୍ଦ୍ଧକ୍ୟ ଭତ୍ତାଠାରୁ ଆରମ୍ଭ କରି ପିଡିଏସ୍ ଚାଉଳ ପର୍ଯ୍ୟନ୍ତ ସରକାରୀ ସୁବିଧାରୁ ସେମାନେ ବଞ୍ଚିତ ଥିବା କହିଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମଧ୍ୟ ନାହିଁ । ଉଆଁସୀ ଅଜଣା ରୋଗରେ ପୀଡ଼ିତ ହୋଇ ଚାଲିବା ଓ କାମ କରିବାକୁ ଅସମର୍ଥ । ଜୀବର୍ଦ୍ଧନଙ୍କ ଦୃଷ୍ଟିଶକ୍ତି ମଧ୍ୟ ଅତ୍ୟନ୍ତ କ୍ଷୀଣ । ତଥାପି ଅସୁସ୍ଥ ସ୍ତ୍ରୀଙ୍କ ପେଟରେ ଦାନା ଦେବା ପାଇଁ ସେ ଭିକ୍ଷା ମାଗୁଛନ୍ତି । ଗୋଟିଏ ବେଳ ଖାଇଲେ କେବେ କେବେ ଦୁଇ ଦିନ ଭୋକରେ କାଟିବାକୁ ପଡ଼ୁଥିବା ସେମାନେ କହିଛନ୍ତି । ପୂର୍ବରୁ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ମାସକୁ କିଛି ଚାଉଳ ମିଳୁଥିଲା । ବର୍ତ୍ତମାନ ତାହା ମଧ୍ୟ ମିଳୁନଥିବାରୁ ସେମାନଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଛି । ଗରିବଙ୍କ ପାଇଁ ଆବାସ, ଖାଦ୍ୟ ସୁରକ୍ଷା, ଭତ୍ତା ଓ ଚିକିତ୍ସାର ଅନେକ ଯୋଜନା ଥିବାବେଳେ ଜୀବର୍ଦ୍ଧନ ଓ ଉଆଁସୀଙ୍କ ପରି ଅସହାୟ ଲୋକ ଯଦି ସେସବୁରୁ ବାହାରେ ରହିଯାଆନ୍ତି, ତେବେ ବିକାଶର ହିସାବ ଓ ଗ୍ରାଉଣ୍ଡ ଜିରୋର ସତ୍ୟ ମଧ୍ୟରେ ଏତେ ବଡ଼ ଫାଟ କାହିଁକି ? ପ୍ରଶାସନ ତୁରନ୍ତ ଦମ୍ପତିଙ୍କ ପାଖରେ ପହଞ୍ଚି ପରିଚୟ ପତ୍ର, ଖାଦ୍ୟ, ଭତ୍ତା, ଆବାସ ଓ ଚିକିତ୍ସା ସହାୟତାର ବ୍ୟବସ୍ଥା କରିବାକୁ ଦାବି ହେଉଛି । କାରଣ ସେମାନଙ୍କୁ ଏବେ କାଗଜରେ ବିକାଶ ନୁହେଁ, ବଞ୍ଚିବା ପାଇଁ ସହାୟତା ଦରକାର ।