jayashree

ରାଉରକେଲାରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଉଦିତନଗର ପଡ଼ିଆଠାରେ ୮୦ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ସେ କହିଥିଲେ ଯେ, ରାଉରକେଲାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ରାଉରକେଲା ବିକାଶ ଦିଗରେ ସରକାର ଅନେକ ଯୋଜନା କରିଛନ୍ତି । ରାଉରକେଲାରେ ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ବିକାଶ ହୋଇଛି । ୨୦୨୩ରେ ପୁରୁଷ ହକି ବିଶ୍ୱକପ୍, ହକି ପ୍ରୋଲିଗ, ହକି ଇଣ୍ଡିଆ ଲିଗ ରାଉରକେଲାରେ ସଫଳତାର ସହିତ ଆୟୋଜନ ପରେ ରାଉରକେଲା କ୍ରୀଡା ହବ ହୋଇପାରିଛି । ରାଉରକେଲାର ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଦେଶର ପ୍ରତିନିଧିତ୍ୱ କରି ସୁନ୍ଦରଗଡ଼ ଜିଲ୍ଲା ସହିତ ରାଉରକେଲା ପାଇଁ ଗୌରବ ଆଣିଛନ୍ତି । ଏହା ବ୍ୟତୀତ ସେ କହିଥିଲେ ଯେ, ରାଉରକେଲା ମହାନଗର ନିଗମର ପ୍ରୟାସରେ ସହରର ପରିମଳ ବ୍ୟବସ୍ଥା ସୁଦୃଢ ହୋଇ ପାରିଛି । ସହରରେ ସ୍ୱଚ୍ଛତା ଦିଗରେ କରାଯାଉଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ୧୫  ସ୍ୱଚ୍ଛ ସହରରେ ସ୍ଥାନ ପାଇଛି । ସେ ରାଉରକେଲାକୁ ଏକ ସ୍ୱଚ୍ଛ ଓ ସୁନ୍ଦର ସହର ଗଠନ ଦିଗରେ ସମସ୍ତେ ସହଯୋଗ କରନ୍ତୁ ବୋଲି ଆହ୍ୱାନ କରିଥିଲେ । ଏହା ସହିତ ସେ କହିଥିଲେ ଯେ, ଗୁରୁବାର ହୋଇଥିବା ଲଗାଣ ବର୍ଷା ରାଉରକେଲାକୁ ବିଶେଷ ପ୍ରଭାବିତ କରିଥିଲା । ଏହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଉରକେଲାବାସୀଙ୍କ ଧୌର୍ଯ୍ୟ ଓ ସହଯୋଗରେ ଖୁବ କମ ସମୟରେ ଏହାର ମୁକାବିଲା କରାଯାଇପାରିଥିଲା । ଏହି ସମୟରେ ପ୍ରଶାସନ ସହିତ ବିଭିନ୍ନ ସ୍ୱେଚ୍ଛସେବୀ ଅନୁଷ୍ଠାନ, ସାଧାରଣ ଜନତା, ସଫେଇ କର୍ମଚାରୀଙ୍କ ସହଯୋଗ ପ୍ରଶଂସନୀୟ । ରିଜର୍ଭ ପୋଲିସର ସମିତ ସାମଲଙ୍କ ନେତୃତ୍ୱରେ ପ୍ୟାରେଡ ହୋଇଥିଲା । ପ୍ୟାରେଡରେ ୫୪ ଦଳ ଅଂଶ ଗ୍ରହଣ କରିଥିଲେ । ପ୍ୟାରେଡ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୯ ଜଣ କ୍ରୀଡ଼ା ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ଏଥି ସହ ସ୍କୁଲ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସମାରୋହରେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନି, ଡିଏଫ୍‌ଓ ରାଉରକେଲା ରବିକାନ୍ତ ମୀନା,  ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରାଉରକେଲା ମୁଖ୍ୟ ଜେଲର ଅନ୍ତେବାସୀ ଓ ରାଉରକେଲା ସରକାରୀ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ମହେନ୍ଦ୍ର ମିଶ୍ର ମଂଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.