jsm

ପୋଲିସ ଉପରେ ଭରଷା କରିପାରୁନାହାନ୍ତି ସାଧାରଣ ଲୋକେ : ବାଲେଶ୍ୱରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

csstore

ବାଲେଶ୍ଵର, (କେପିଏନ୍‌ଏଦ୍‌) : ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ ସମେତ ବିଭିନ୍ନ ବ୍ଲକରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଲାଣି । ବ୍ରାଉନ ସୁଗାର କାରବାର ଠାରୁ ଆରମ୍ଭ କରି ସୁପାରୀ କିଲିଂ ବେଧଡ଼କ ଭାବେ ଚାଲିଛି । ଗୃହ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲା ପୋଲିସ ପ୍ରଶାସନ ଜିଲ୍ଲାରେ ଅପରାଧୀ ମାନଙ୍କୁ ଠାବ କରିବାକୁ ବିଫଳ ହୋଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଦର କଂଗ୍ରେସର ଯୁବନେତା ତଥା ଜିଲ୍ଲା କଂଗ୍ରେସ ଉପସଭାପତି ସରୋଜ କୁମାର ଲେଙ୍କା ଏ କଥା ଉଲ୍ଲେଖ କରି ଉଦବେଗ ପ୍ରକାଶ କରିଛନ୍ତି । ସମ୍ପ୍ରତି ଗତ ଜୁନ ୨୫ ତାରିଖରେ ଅରଡ଼ ବଜାରରେ ଶେଖ ହମିଦ ନାମକ ବ୍ୟବସାୟୀଙ୍କୁ ବିଚ୍‌ ରାସ୍ତାରେ ଦୁଇଜଣ ସୁପାରୀ କିଲର ବାଇକରେ ଆସି ଲୋକଙ୍କ ସମ୍ମୁଖରେ ଆଠ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ । ଇତି ମଧ୍ୟରେ ତେର ଦିନ ବିତି ଯାଇଥିଲେ ହେଁ ପୋଲିସର ଚାରୋଟି ଟିମ ସୁପାରୀ କିଲର ଓ ମୁଖ୍ୟ ଆସାମୀଙ୍କୁ ଧରି ପାରିନାହିଁ । ଏହାଫଳରେ ସାଧାରଣ ଲୋକେ ପୋଲିସକୁ ଭରଷା କରି ପାରୁନାହାନ୍ତି । କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ସେ ସମ୍ପର୍କରେ ପୋଲିସ ପାଖରେ ସୂଚନା ନାହିଁ । ତୁରନ୍ତ ହମିଦଙ୍କ ପ୍ରକୃତ ହତ୍ୟାକାରୀଙ୍କୁ ଗିରଫ କରିବାକୁ ଶ୍ରୀ ଲେଙ୍କା ଦାବି କରିଛନ୍ତି । ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା କହିଥିଲେ କି ଏସ୍‌ପିଙ୍କ ତତ୍ୱାବଧାନରେ ଚାରୋଟି ପୋଲିସ ଟିମ ଗଠନ ସତ୍ୱେ କାହାରିକୁ ଗିରଫ କରାଯାଇ ପାରିନାହିଁ । ଶେଖ ହମିଦଙ୍କ ପରିବାର ଲୋକେ ମଧ୍ୟ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଶ୍ରୀ ଜେନା ଆଗାମୀ ସାତ ଦିନ ମଧ୍ୟରେ ଜିଲ୍ଲା ପୋଲିସ ପ୍ରଶାସନ ଶେଖ ହମିଦଙ୍କ ହତ୍ୟାକାରୀମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ନଚେତ ଦଳ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କାଉନସିଲର ପଦ୍ମଲୋଚନ ଲେଙ୍କା ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରିଥିବା ବେଳେ ଟାଉନ କଂଗ୍ରେସ ସଭାପତି ଅନୁପ କୁମାର ସ୍ୱାଇଁ, ପିସିସି ସଭ୍ୟା ଅର୍ଚ୍ଚନା ନନ୍ଦୀ, ଗୌତମ ସାହୁ ଓ ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ଜ୍ୟୋତ୍ସ୍ନା ସେନାପତି ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.