csstore

ଜଙ୍ଗଲରେ ଯୁବକଙ୍କୁ ହତ୍ୟା ଅଭିଯୋଗ : ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ

ନୂଆପଡ଼ା, (ସନ୍ତୋଷ କୁମାର ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ତିଲେଇଝର ଓ ଅଇଁଲାଯୁବା ଗାଁ ମଧ୍ୟସ୍ଥ ଜଙ୍ଗଲ ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ଜଣକ ହେଉଛନ୍ତି ତିଲେଇଝର ଗାଁର କହ୍ନେୟା ସାହୁଙ୍କ ପୁଅ ରାଜେଶ ସାହୁ (୨୨) । ଏହା ଏକ ସାଧାରଣ ଦୁର୍ଘଟଣା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ରାଜେଶ ଟ୍ରାକ୍ଟରରେ କାମ କରିବାକୁ ଯାଇଥିଲେ । ତେବେ ରାତି ପ୍ରାୟ ୯ଟା ସମୟରେ ଟ୍ରାକ୍ଟର ଚାଳକ ରାଜେଶଙ୍କ ବାପା କହ୍ନେୟାଙ୍କୁ ଫୋନ୍ କରି ଜଣାଇଥିଲେ ଯେ, ଏକ ଦୁର୍ଘଟଣାରେ ତାଙ୍କ ପୁଅର ମୃତ୍ୟୁ ହୋଇଯାଇଛି । ଖବର ପାଇ ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ସେଠାକାର ପରିସ୍ଥିତି ଏବଂ ମୃତଦେହକୁ ଦେଖିବା ପରେ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ନୁହେଁ ବରଂ ହତ୍ୟାକାଣ୍ଡ ବୋଲି ସେମାନଙ୍କର ସନ୍ଦେହ ହୋଇଥିଲା । ଆଜି ସକାଳେ ପରିବାର ପକ୍ଷରୁ ଜୋଙ୍କ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ରାଜେଶଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିବା ପରେ, ପ୍ରମାଣ ନଷ୍ଟ କରିବା ଏବଂ ପୁଲିସକୁ ଭ୍ରମିତ କରିବା ଉଦ୍ଦେଶ୍ୟରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଜୋଙ୍କ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ରହସ୍ୟଜନକ ମୃତ୍ୟୁ ପଛର ପ୍ରକୃତ କାରଣ କଣ ? ସେ ନେଇ ପୁଲିସ ବିଭିନ୍ନ ଦିଗକୁ ଭିତ୍ତି କରି ଅଧିକ ତଦନ୍ତ ଚଲାଇଛି ।

jayashree
Leave A Reply

Your email address will not be published.