ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ଵରର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ରାଜ୍ୟ ସ୍ତରୀୟ ଓଡ଼ିଆ ଭାଷା ସମ୍ପାନ ‘ଓଡ଼ିଆ ଭାଷା ଓ ସାହିତ୍ୟ ସମୃଦ୍ଧିରେ ସୋନପୁର ରାଜ ଦରବାରର ଭୂମିକା’ ଶୀର୍ଷକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଧାକାନ୍ତ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡକ୍ଟର ସୌରଭ ରଞ୍ଜନ ଖମାରୀ ସମ୍ପାନର ଆଭିମୁଖ୍ୟ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଓ ଉପଜିଲ୍ଲାପାଳ ଡକ୍ଟର ସୌମ୍ୟରୂପା ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଷୟ ବିଶେଷଜ୍ଞ ଭାବରେ ବିଶିଷ୍ଟ ଐତିହାସିକ ଓ ଗବେଷକ ସୁଦାମ ନାଏକ ଓ ଅଧ୍ୟାପିକା ଇତିଶ୍ରୀ ଦାସ ଯୋଗଦେଇ ଓଡ଼ିଆ ସାହିତ୍ୟକୁ ସୋନପୁର ରାଜଦରବାର ଅବଦାନ ସମ୍ପର୍କରେ ଆଲୋଚନା କରିବାକୁ ଯାଇ କାବ୍ୟ, ନାଟକ, ଇତିହାସ ରଚନା ଏବଂ ପ୍ରକାଶନ କ୍ଷେତ୍ରରେ ସୋନପୁର ରାଜଦରବାର ଦାନ ଅତୁଳନୀୟ ଥିଲା । ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ନିମନ୍ତେ କଲିକତା ବିଶ୍ଵବିଦ୍ୟାଳୟରେ ଓଡ଼ିଆ ବିଭାଗ ଖୋଲିବା ନିମନ୍ତେ ସୋନପୁର ରାଜା ବୀରମିତ୍ର ସିଂହଦେଓଙ୍କ ଅବଦାନକୁ ବକ୍ତାମାନେ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟରେ ଅନୁଷ୍ଠିତ ବିବିଧ ପ୍ରତିଯୋଗିତା ପ୍ରବନ୍ଧ, ବକ୍ତୃତା ଓ ଶ୍ରୁତ ଲିଖନରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପାଠଚକ୍ର ସମ୍ପାଦିକା ରୁବି ବେହେରା ସଭା ସଂଯୋଜନା କରିଥିଲାବେଳେ ଅଧ୍ୟାପକ ଡ଼କ୍ଟର ମୀନକେତନ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ପାନରେ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ଵରର କାର୍ଯ୍ୟକର୍ତ୍ତା, ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସମ୍ପାନକୁ ସଫଳ କରିଥିଲେ ।