ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ପକ୍ଷରୁ ଏକ ସାଧାରଣ ବୈଠକ ବେବି ବବଲ୍ସ ପ୍ଲେ ସ୍କୁଲ, ଖୁଜେନପାଲି ଠାରେ ଆୟୋଜିତ ହୋଇଥିଲା । ଏହି ବୈଠକରେ ସମାଜର ବର୍ତ୍ତମାନ ସମସ୍ୟା, ସାମାଜିକ କାର୍ଯ୍ୟର ଆବଶ୍ୟକତା, ସଂଗଠନର ଶକ୍ତି ବୃଦ୍ଧି ଓ ସର୍ବୋପରି ଶିକ୍ଷାକୁ ସମାଜ ପରିବର୍ତ୍ତନର ମୂଳ ଆଧାର ଭାବେ ନେଇ ଗଭୀର ଆଲୋଚନା କରାଯଇଥିଲା । ଅଶିକ୍ଷା, ନିଶା ଆସକ୍ତି, ନୀତିହୀନତା ଓ ସାମାଜିକ ଅସମାନତା ହେଉଛି ଆଜିର ସମାଜର ପ୍ରମୁଖ ସମସ୍ୟା । ଏହାର ସ୍ଥାୟୀ ସମାଧାନ କେବଳ ଗୁଣାତ୍ମକ ଓ ସାର୍ବଜନୀନ ଶିକ୍ଷା ମାଧ୍ୟମରେ ହିଁ ସମ୍ଭବ । ଶିଶୁ ଶିକ୍ଷାରୁ ଆରମ୍ଭ କରି ଯୁବପିଢି ପର୍ଯ୍ୟନ୍ତ ସଠିକ୍ ଶିକ୍ଷା ଓ ମୂଲ୍ୟବୋଧ ଦେବାକୁ ସଭାରେ ଜୋର ଦିଆଯାଇଥିଲା । ବିଶେଷ କରି ଗ୍ରାମାଂଚଳ ଓ ଆର୍ଥିକ ଭାବେ ପଛୁଆ ଶିଶୁମାନଙ୍କ ପାଇଁ ଶିକ୍ଷା ସୁଯୋଗ ବୃଦ୍ଧି, ଶିକ୍ଷା ସେଚତନତା କାର୍ଯ୍ୟକ୍ରମ, ନୀତିମୂଳକ ଶିକ୍ଷା ଓ ଯୁବଶକ୍ତିକୁ ସେବାମୂଳକ କାର୍ଯ୍ୟରେ ଯୋଡିବା ଉପରେ ଆଲୋଚନା ହୋଇଥିଲା । ଏହା ସହିତ ସ୍ୱାସ୍ଥ୍ୟ ସଚେତନତା, ବୃଦ୍ଧ ଓ ଅସହାୟ ଲୋକଙ୍କ ସେବା ଓ ସମାଜର ନକରାତ୍ମକ ପ୍ରବୃତ୍ତି ବିରୋଧରେ ସଂଗଠିତ ପ୍ରୟାସ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ବରିଷ୍ଠ ସଦସ୍ୟମାନେ ନିଜ ଅନୁଭବ ଆଦାନ ପ୍ରଦାନ କରି ଯୁବ ସଦସ୍ୟମାନଙ୍କୁ ଶିକ୍ଷା ଓ ସମାଜ ସେବାକୁ ଜୀବନର ପ୍ରାଥମିକତା କରିବାକୁ ଆହ୍ୱାନ କରିଥିଲେ । ନୂଆ ସଦସ୍ୟମାନେ ମଧ୍ୟ ଶିକ୍ଷା ପ୍ରସାର, ସାମାଜିକ କାର୍ଯ୍ୟ ଓ ସଂଗଠନୀୟ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନେବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଏହି ବୈଠକ ମାଧ୍ୟମରେ ମାହେଶ୍ୱରୀ ପୁଣିଥରେ ସ୍ପଷ୍ଟ କରି ଦେଇଛି ଯେ ଶିକ୍ଷା, ସାମାଜିକ ସେବା ଓ ସୁଦୃଢ ସଂଗଠନ ହିଁ ସମାଜ ପରିବର୍ତ୍ତନର ପ୍ରମୁଖ ଆଧାର ଓ ଆଗାମୀ ଦିନରେ ସମାଜ ହିତରେ ମାହେଶ୍ୱରୀ ଆହୁରି ସକ୍ରିୟ ଭୂମିକା ନେବ ବୋଲି ମାହେଶ୍ୱରୀର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ କହିଛନ୍ତି ।