ସିବିଆଇ ପକ୍ଷରୁ ଓଡ଼ିଶାରେ ବ୍ୟାପକ ତଦନ୍ତ ଓ ଚଢ଼ାଉ : ୬୭ଟି ସ୍ଥାନରେ ଖାନତଲାସୀ ଜାରି

  • ୬୩ ଜଣ ଗ୍ରାମୀଣ ଡାକ ସେବକ ପ୍ରାର୍ଥୀ ଓ ଡାକ ବିଭାଗର ଅଜ୍ଞାତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର, (ପିଆଇବି) : ଓଡ଼ିଶାରେ ଡାକ ବିଭାଗ ନିଯୁକ୍ତି ଅନିୟମିତା ମାମଲାରେ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ବ୍ୟାପକ ତଦନ୍ତ ଓ ଚଢ଼ାଉ ଆରମ୍ଭ କରାଯାଇଛି । ଭୁବନେଶ୍ୱର ସ୍ଥିତ ଡାକ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ଅଭିଯୋଗ ଆଧାରରେ ସିବିଆଇ ଅଧିକାରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୭ରୁ ଅଧିକ ସ୍ଥାନରେ ଚଢ଼ାଉ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛନ୍ତି । କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଚଢ଼ାଉ କରାଯାଇଛି । ଏହି ବ୍ୟାପକ ତଦନ୍ତ ଅଭିଯାନରେ ୧୦୪ ଜଣ ସିବିଆଇ ଅଧିକାରୀ ଓ ଅନ୍ୟ ବିଭାଗର ୮୨ ଜଣ ଅଧିକାରୀଙ୍କ ସମେତ ୨୦୪ରୁ ଅଧିକ ତଦନ୍ତ ଅଧିକାରୀ ସାମିଲ ହୋଇଛନ୍ତି । ଏହା ତଦନ୍ତ ପ୍ରକ୍ରିୟାର ବ୍ୟାପକତା ଓ ଗମ୍ଭୀରତାକୁ ଦର୍ଶାଉଛି । ନକଲି ଶିକ୍ଷାଗତ ପ୍ରମାଣପତ୍ର ଯୋଗାଇବା ପଛରେ ସମ୍ପୃକ୍ତ ଥିବା ଆନ୍ତଃରାଜ୍ୟ ସଂଗଠିତ ଗୋଷ୍ଠୀକୁ ଠାବ କରିବା ଲାଗି ତଦନ୍ତକାରୀ ଦଳଗୁଡ଼ିକ ପ୍ରୟାସ ଜାରି ରଖିଛନ୍ତି । ଡାକ ବିଭାଗ ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ୯ ମେ’ ୨୦୨୩ରେ ଓଡ଼ିଶା ଡାକ ପରିମଣ୍ଡଳ ଅଧୀନରେ ଆୟୋଜିତ ଗ୍ରାମୀଣ ଡାକ ସେବକ ପରୀକ୍ଷା ୨୦୨୩ର ୬୩ ଜଣ ପ୍ରାର୍ଥୀ ଏବଂ ଡାକ ବିଭାଗର କିଛି ଅଜ୍ଞାତ ଅଧିକାରୀଙ୍କ ସମେତ କେତେଜଣ ଅଜ୍ଞାତ ବ୍ୟକ୍ତିବିଶେଷଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି । ଆଇପିସିର ଧାରା ୧୨୦-ବି, ୪୨୦, ୪୬୮ ଓ ୪୭୧ ସହ ପଠିତ ୫୧୧ ଏବଂ ଦୁର୍ନୀତି ନିବାରଣ ଆଇନ ୧୯୮୮ (୨୦୧୮ରେ ସଂଶୋଧିତ)ର ଧାରା ୭(କ) ଅଧୀନରେ ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୨୭ ଜାନୁଆରୀ ୨୦୨୩ରେ ଓଡ଼ିଶାରେ ୧୩୮୨ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପ୍ରକ୍ରିୟା ପାଇଁ ଅନ୍‌ଲାଇନ୍‌ ଆବେଦନ ଆହ୍ୱାନ କରାଯାଇଥିଲା । ଏହି ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଗ୍ରାମୀଣ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଥିଲା । କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଶିକ୍ଷାଗତ ପ୍ରମାଣପତ୍ର ଏଥି ସହିତ ପ୍ରାଞ୍ଜଳ ଭାବେ ସ୍ଥାନୀୟ ଭାଷାରେ କଥା ହେବାର ଦକ୍ଷତାକୁ ବାଧ୍ୟତାମୂଳକ କରାଯାଇଥିଲା । ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ, ଆବେଦନକାରୀଙ୍କୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ମାର୍କଶିଟ୍କୁ ଏକ କେନ୍ଦ୍ରିକୃତ ସର୍ଭରରେ ଅପଲୋଡ୍ କରିବାକୁ କୁହାଯାଇଥିଲା । ଦଶମ ପରୀକ୍ଷାରେ ରଖିଥିବା ନମ୍ବର ଆଧାରରେ ସ୍ୱୟଂକ୍ରିୟ ପ୍ରକ୍ରିୟାରେ ନିଯୁକ୍ତି ହୋଇଥିଲା । ମନୋନିତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବାର ୧୫ ଦିନ ପୂର୍ବରୁ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବାକୁ ଏସ୍‌ଏମ୍‌ଏସ୍‌ ଓ ଇମେଲ୍ ଜରିଆରେ ସୂଚନା ଦିଆଯାଇଥିଲା । ଯାଞ୍ଚ ପ୍ରକ୍ରିୟା ସମୟରେ ବାଲେଶ୍ୱର, ମୟୂରଭଞ୍ଜ, କଳହାଣ୍ଡି ଓ ବ୍ରହ୍ମପୁର ସମେତ ଓଡ଼ିଶା ଡାକ ପରିମଣ୍ଡଳ ଅଧୀନରେ ଥିବା ବିଭିନ୍ନ ଡାକ ଡିଭିଜନ୍‌ରେ ୬୩ ଜଣ ପ୍ରାର୍ଥୀ ଜାଲ ଓ ନକଲି ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାର ପ୍ରମାଣପତ୍ର ଦାଖଲ କରିଥିବା ଜଣାପଡ଼ିଥିଲା । ଏସବୁ ଶିକ୍ଷାଗତ ପ୍ରମାଣପତ୍ର ଆହ୍ଲାବାଦର ବୋର୍ଡ ଅଫ୍ ହାଇସ୍କୁଲ ଆଣ୍ଡ ଇଣ୍ଟରମିଡିଏଟ୍ ଏଜୁକେସନ୍‌, କୋଲକାତାର ପଶ୍ଚିମବଙ୍ଗ ବୋର୍ଡ, ରାଞ୍ଚିର ଝାଡ଼ଖଣ୍ଡ ଏକାଡେମିକ କାଉନ୍ସିଲ ଆଦି ପକ୍ଷରୁ ଜାରି କରାଯାଇଥିବା ଜଣାପଡ଼ିଥିଲା । ଏକ ଆନ୍ତଃରାଜ୍ୟ ରାକେଟ୍ ପ୍ରାର୍ଥୀଙ୍କ ସହିତ ମିଶି ଏସବୁ ନକଲି ଓ ଜାଲ ଶିକ୍ଷାଗତ ପ୍ରମାଣପତ୍ର ପ୍ରସ୍ତୁତ କରିଥିବା ଏବଂ ଯୋଗାଇ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି ।

Leave A Reply

Your email address will not be published.

error: Content is protected !!