ସିନାପାଲି ଅଂଚଳରେ ଗଙ୍ଗାଧର ଜ୍ୟୋତିରଥକୁ ଭବ୍ୟ ସ୍ୱାଗତ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମ ସମେତ ସିନାପାଲି ଅଂଚଳରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜ୍ୟୋତିରଥକୁ ଭବ୍ୟ ସ୍ୱାଗତ ସହ ପୂଜାଅର୍ଚ୍ଚନା କରାଯାଇଛି । ନିଖିଳ ଓଡ଼ିଶା ମେହେର ସମାଜ ପକ୍ଷରୁ କବିପୀଠ ବରପାଲିଠାରେ ଆସନ୍ତା ମାସରେ ହେବାକୁ ଥିବା କବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଉତ୍ସବକୁ ନେଇ ଜନଜାଗରଣ ସୃଷ୍ଟି ଲକ୍ଷ୍ୟରେ ଗତ ୧୮ ତାରିଖ ବରପାଲିଠାରୁ ବାହାରି ଥିବା ଏହି ରଥ ବିଭିନ୍ନ ଜିଲ୍ଲା ଦେଇ ହାତୀବନ୍ଧାଠାରେ ନୂଆପଡ଼ା ଜିଲ୍ଲାକୁ ପ୍ରବେଶ କରିଥିଲା । ହାତୀବନ୍ଧାର ମେହେର ସମାଜ ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ରଥକୁ ସ୍ୱାଗତ କରିବା ସହ ଗ୍ରାମ୍ୟ ପରିକ୍ରମା କଲା ପରେ ଜିଲ୍ଲା ମେହେର ସମାଜର ସାଧାରଣ ସଂପାଦକ ସୁରେଶ୍ୱର ମେହେରଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଜୋନାଲ ସଂପାଦକ ନବୀନ ଚଂଦ୍ର ମେହେର, ସିନାପାଲି ଗଙ୍ଗାଧର ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର ଉଦ୍‌ବୋଧନ ଦେଇଥିଲେ । ଜିଲ୍ଲା ସଂପାଦକ ରୂପେଶ ଚଂଦ୍ର ମେହେର ଧନ୍ୟବାଦ ଦେଇଥିଲେ । ଏହା ପରେ ଜ୍ୟୋତିରଥ ସିନାପାଲି ସହର ପରିକ୍ରମା କରିଥିବା ବେଳେ ଶୋଭାଯାତ୍ରାରେ ଗ୍ରାମ୍ୟ ମେହେର ସମାଜ, ଜିଲ୍ଲା ମେହେର ସମାଜ, ମେହେର ଯୁବା ମଂଚ, ଗଙ୍ଗାଧର ସାରସ୍ୱତ ସମିତିର ସଦସ୍ୟ ସମେତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶତାଧିକ ଗଙ୍ଗାଧର ପ୍ରେମୀ ଭଦ୍ର ବ୍ୟକ୍ତି, ମାଆ, ଭଉଣୀ ଉପସ୍ଥିତ ରହି କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସିନାପାଲିଠାରେ ନିଖିଳ ଓଡ଼ିଶା ମେହେର ସମାଜର ଉପଦେଷ୍ଟା ଡମ୍ୱରୁଧର ମେହେର, ଗ୍ରାମ୍ୟ ସଭାପତି ଟେଣୋ ମେହେର, ବରିଷ୍ଠ ସଦସ୍ୟ ପୂର୍ଣ୍ଣଚଂଦ୍ର ମେହେର, କ୍ଷୀରସିନ୍ଧୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ନୂଆପଡ଼ା ଜିଲ୍ଲା ମେହେର ସମାଜର ନେତୃତ୍ୱରେ ଜ୍ୟୋତିରଥ ଯୋଗିବାହାଲ, ବରଗାଁ, ଗଣ୍ତାବାହାଲି, ଡୁଆଝର, ଖଡ଼ିଆଳ, ଭୁଲିଆ ସିକୁଆଁ, ତୁକୁଲା ଆଦି ଗ୍ରାମ ପରିକ୍ରମା କରିଥିବା ବେଳେ ସବୁଠି କଳସ ସ୍ଥାପନ ଓ ବନ୍ଧାପନା କରି ଭବ୍ୟ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

ten − 7 =