ସୁଶ୍ରୀ ସ୍ନେହଲତା
ମହିଳାମାନେ ଆଧ୍ୟାତ୍ମିକତା ପ୍ରତି ଆସ୍ଥାବାନ୍ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି କୁହାଯାଏ । ଏହାଦ୍ୱାରା ମାନସିକ ସ୍ଥିତି ଠିକ୍ ରୁହେ ତଥା ଜୀବନରେ ଦେଖା ଦେଉଥିବା ବିମୁଖତା ଠାରୁ ତ୍ରାହି ମିଳିଥାଏ । ଏ ସଂପର୍କରେ କେତୋଟି ଟିପ୍ସ୍କୁ ନେଇ ଆମେ ଆଲୋଚନା କରିବା ଏଥର ।
- ଆଧ୍ୟାତ୍ମିକ ଚିନ୍ତା ଦ୍ୱାରା ମନରେ ରହିଥିବା ନାନା ପ୍ରକାର ଗ୍ଲାନିରୁ ମୁକ୍ତି ମିଳିଥାଏ । ମନରେ ଭରି ରହିଥିବା କ୍ଷୋଭର ଯନ୍ତ୍ରଣା ମଣିଷକୁ ଭିତରେ ଭିତରେ ଅନେକ କଷ୍ଟ ଦିଏ । କିନ୍ତୁ ଯଦି ଆଧ୍ୟାତ୍ମିକ ଚିନ୍ତନ ପ୍ରତି ଆମେ ଯଦି ଆସ୍ଥାବାନ୍ ହେବା, ତେବେ ଗ୍ରହଣ କରିବାର ଶକ୍ତି ବଳିୟାନ ହେବା ସଂଗେ ସଂଗେ ସାତ୍ତ୍ୱିକତା ମାଧ୍ୟମରେ ସମସ୍ୟାର ସମାଧାନ କରିବାର ଦିଗ ଆପେ ଆପେ ଉନ୍ମୋଚିତ ହୋଇପାରିବ ।
- କାର୍ଯ୍ୟବ୍ୟସ୍ତତା ହେତୁ କିମ୍ବା ବହୁ ଦାୟିତ୍ୱ ବହନ କରିବା ହେତୁ କେତେକାଂଶରେ ମହିଳାମାନେ ଉତ୍କ୍ଷିପ୍ତ ହୋଇ ପଡ଼ନ୍ତି । ଏହାକୁ ଦମନ କରିବାର ଏକମାତ୍ର ସିଦ୍ଧାନ୍ତମୂଳକ ପଥ ହେଉଛି ଆଧ୍ୟାତ୍ମିକ ଚିନ୍ତନ । ଆଧ୍ୟାତ୍ମିକ ଭାବଧାରା ଉପରେ ବିଶ୍ୱାସ ରଖିପାରିଲେ ଅନେକ କାର୍ଯ୍ୟବ୍ୟସ୍ତତା ମଧ୍ୟ ବିଚଳିତ କରିପାରେ ନାହିଁ । ବହୁ ଦାୟିତ୍ୱ ବହନ କଲେ ମଧ୍ୟ ଯେହେତୁ ଦାୟିତ୍ୱ ବହନରେ ଆଧ୍ୟାତ୍ମିକତା ଦ୍ୱାରା ସ୍ୱଚ୍ଛତା ପରିବେଷିତ ହୁଏ, ତେଣୁ ଦାୟିତ୍ୱର ବୋଝ କବଳିତ କରିପାରେ ନାହିଁ ।
- ମହିଳାମାନଙ୍କୁ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପରିବର୍ତ୍ତନ ସହ ଖାପ ଖୁଆଇ ଚଳିବାକୁ ପଡ଼ିଥାଏ । ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳିବା ବେଳେ ସମୟ ସମୟରେ ନାକାରାତ୍ମକ ଚିନ୍ତାଧାରା ଯୋଗୁଁ ଆମମାନଙ୍କୁ ଅଯଥା କଷ୍ଟ ସହ୍ୟ କରିବାକୁ ପଡ଼ିଥାଏ । ଯଦି ଆଧ୍ୟାତ୍ମିକତା ପ୍ରତି ଆମେ ଆସ୍ଥାବାନ୍ ହୋଇପାରିବା ତେବେ ସବୁ ପରିସ୍ଥିତି ଆମ ପାଇଁ ସମାନ୍ ମନେ ହେବ । ପରିସ୍ଥିତି ଅନୁସାରେ ଆମେ ନିଜକୁ ଗଢ଼ି ତୋଳିବାରେ ସକ୍ଷମ ହେବା ସହ ଅନ୍ୟାୟକୁ ମଧ୍ୟ ସାମ୍ନା କରି କଂଟକିଟ ପଥକୁ ପୁଷ୍ପମୟ କରିଦେଇ ପାରିବାରେ ସଫଳତା ଅର୍ଜନ କରିବା ।
- ଜୀବନର ପ୍ରତ୍ୟେକ ଅଧ୍ୟାୟକୁ ଯୁକ୍ତାତ୍ମକ ଭାବେ ଗ୍ରହଣ କରିବାକୁ ଆଧ୍ୟାତ୍ମିକ ଚିନ୍ତନ ହିଁ ଶିକ୍ଷା ଦେଇଥାଏ । ପ୍ରତ୍ୟେକ ସ୍ଥିତିର ସାମ୍ନା କରିବାକୁ ସାହାସ ଯୋଗାଡ଼ କରିବାରେ ସକ୍ଷମତା ପ୍ରଦାନ ମଧ୍ୟ କରିଥାଏ ଆଧ୍ୟାତ୍ମିକ ଚିନ୍ତନ । ଏଣୁ ଏହାକୁ ପାଥେୟ କରି ଜୀବନର ପଥ ଅତିକ୍ରମ କଲେ ଦୁଃଖ ଲାଘବ ହୋଇପାରେ ।
- ସମୟ ସମୟରେ ମହିଳାମାନେ ନିଜର ଅସଲ୍ କର୍ତ୍ତବ୍ୟକୁ ଭୁଲି ପଥଚ୍ୟୁତ ହୋଇଥା’ନ୍ତି । କିନ୍ତୁ ଆଧ୍ୟାତ୍ମିକତା ପ୍ରତି ବିଶ୍ୱାସ ରଖୁଥିବା ମହିଳା କେବେ ମଧ୍ୟ ପଥଚ୍ୟୁତ ହୋଇ ନପାରେ ।
- ଆମ ପୁରାଣ ଓ ଇତିହାସରେ ମହିଳା ଚରିତ୍ରମାନେ ବିଶେଷ ଦୃଷ୍ଟାନ୍ତ ସୃଷ୍ଟି କରି ପାରିଛନ୍ତି । ସୀତା ହୋଇ ରାମଙ୍କ ବିଚାରକୁ ସମ୍ମାନ ଦେବା, ସାବିତ୍ରୀ ହୋଇ ସ୍ୱାମୀଙ୍କୁ ଯମଙ୍କଠାରୁ ଛଡେ଼ଇ ଆଣିବା, ରାଧା ହୋଇ କୃଷ୍ଣଙ୍କ ପ୍ରତି ଅନାବିଳ ପ୍ରେମର ସମ୍ଭାର ପ୍ରସ୍ତୁତ କରିବା, ଲକ୍ଷ୍ମୀବାଈ ହୋଇ ଅସୀ ଉତ୍ତୋଳନ ପୂର୍ବକ ନିଜ ମାଟି ମା’କୁ ତା’ର ହକ୍ ପ୍ରଦାନ କରିବା ଆଦି ଅନେକ ଦୃଷ୍ଟାନ୍ତରେ ଭରପୂର ଆମ ପୁରାଣ ସାହିତ୍ୟ ତଥା ଇତିହାସ ପୃଷ୍ଠା । ଆଧ୍ୟାତ୍ମିକତା ପ୍ରତି ବିଶ୍ୱାସ ବଜାୟ ରଖି ପାରିଲେ ଉପରୋକ୍ତ ସମସ୍ତ ଚରିତ୍ରଙ୍କୁ ଅନୁଧ୍ୟାନ କରିବା ପାଇଁ ମାନସିକତା ସୃଷ୍ଟି ହେବ ଏବଂ ମାନସିକ ଜଂଜାଳରୁ ମୁକ୍ତି ମଧ୍ୟ ମିଳିପାରିବ ।
- ସବୁବେଳେ ମନେ ରଖିବା ଉଚିତ ଯେ, ମହିଳାଙ୍କ ମାନସିକତାର ପ୍ରଭାବ ସାରା ପରିବାର ଉପରେ ପଡ଼ିଥାଏ । ଗୃହିଣୀମାନେ ଯଦି ଆଧ୍ୟାତ୍ମିକ ଚିନ୍ତନ ପ୍ରତି ଆଗ୍ରହୀ ହୋଇ ଆଦର୍ଶ ଗୃହିଣୀର ଭୂମିକା ନିର୍ବାହ କରିପାରିବେ, ତେବେ ତାଙ୍କ ଗର୍ଭରୁ ଜନ୍ମିତ ସନ୍ତାନ ସନ୍ତତିଙ୍କ ଚରିତ୍ର ଗଠନରେ କୌଣସି ପ୍ରକାର ତୃଟି ହୁଏତ ପରିଲକ୍ଷିତ ହୋଇ ନପାରେ । ଘରେ ମଧ୍ୟ ଆଧ୍ୟାତ୍ମିକ ବାତାବରଣଟିଏ ସୃଷ୍ଟି ହୋଇ ପାରିବ । ସାତ୍ତ୍ୱିକ ଚିନ୍ତା ଯୋଗୁଁ ଅଯଥା କଳହ ପରିବାରରେ ଜମାରୁ ରହିବ ନାହିଁ । ଶାନ୍ତ-କାନ୍ତ-କୋମଳ ଜୀବନ ଯାପନ ପାଇଁ ସୁଯୋଗ ମିଳିବ ।
- ମାନବିକ ମୂଲ୍ୟବୋଧକୁ ଠିକ୍ ଭାବରେ ବୁଝିବା ପାଇଁ ସହାୟକ ହୋଇଥାଏ ଆଧ୍ୟାତ୍ମିକ ଚିନ୍ତନ । ପ୍ରତ୍ୟେକ ପଦକ୍ଷେପରେ ଏବଂ ପ୍ରତ୍ୟହ ସାମ୍ନା କରୁଥିବା ପ୍ରତ୍ୟେକ ଚରିତ୍ରଙ୍କ ପ୍ରତି ଉଚିତ୍ ସମ୍ମାନ ପ୍ରଦାନ ଓ ବୋଧ ଶକ୍ତିର ଯତ୍ନ ନିମନ୍ତେ ମହିଳାମାନଙ୍କୁ ନିଶ୍ଚୟ ଆଧ୍ୟାତ୍ମ୍ୟବାଦୀ ହେବା ଆବଶ୍ୟକ ।
- ଜଗତ୍ସ୍ରଷ୍ଟାଙ୍କ ପ୍ରତି ନିଜକୁ ସମର୍ପିତ କରିପାରିଲେ ପରମ ଶାନ୍ତି ପ୍ରାପ୍ତ ହୁଏ । ଜୀବନ ଜଂଜାଳ ଭିତରେ ଉତ୍ପନ୍ନ ହେଉଥିବା ନାନାପ୍ରକାର ଅଘଟଣ ବିଚଳିତ କରିବାରେ ସକ୍ଷମ ହୋଇ ନପାରେ । ସ୍ଥିତପ୍ରଜ୍ଞତା ଯୋଗୁଁ ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେବାକୁ ବାଟ ଦେଖାଏ ଆଧ୍ୟାତ୍ମିକ ମନୋବଳ ।
- କାହାପ୍ରତି ଅଯଥା ହିଂସା ବା ଈର୍ଷା ସୃଷ୍ଟିକୁ କେବେ ବି ଆଧ୍ୟାତ୍ମ୍ୟ ଚିନ୍ତା ସୁଯୋଗ ଦିଏନାହିଁ । ଆଧ୍ୟାତ୍ମିକ ଚିନ୍ତନରେ ବ୍ରତୀ ମହିଳାମାନଙ୍କ ମଧ୍ୟରେ ଅଯଥା ଅହଂକାର ମଧ୍ୟ ସୃଷ୍ଟି ହୋଇ ପାରେନାହିଁ । ଏଣୁ ଏମାନେ ଶାନ୍ତ-ଶିଷ୍ଠ ଓ ଆଦର୍ଶ ଜୀବନ ଯାପନ ପାଇଁ ସମର୍ଥ ହୋଇପାରନ୍ତି ।
- ଜୀବ ପ୍ରତି ଦୟା ଓ ଦାୟିତ୍ୱ ପ୍ରତି କର୍ମନିଷ୍ଠତା ତଥା ସମାଜ ପ୍ରତି ଶିଷ୍ଠତା ପ୍ରଦାନ କରିଥାଏ ଆଧ୍ୟାତ୍ମିକ ଚିନ୍ତା । ଏଣୁ ଏହାକୁ ପାଥେୟ କରି ବଂଚି ପାରିଲେ ଆଦର୍ଶ ମହିଳା ହୋଇପାରିବାରେ କୌଣସି ବାଧା ସୃଷ୍ଟି ହେବନାହିଁ ।