ଏପ୍ରିଲ ୩ରୁ ଜାପାନ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଏପ୍ରିଲ ୩ରୁ ୯ ତାରିଖ ଯାଏଁ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ, କ୍ୱୋଟୋ ଏବଂ ଓସାକାରେ ହେବାକୁ ଥିବା ବ୍ୟବସାୟିକ ସମ୍ମିଳନୀରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟକୁ ବିଦେଶ ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରଣ କରିବା ଉଦ୍ଦେଶ୍ୟରେ ନବୀନ ଜାପାନ ଗସ୍ତ କରୁଥିବା ଜଣାପଡ଼ିଛି । ଏହି ଗସ୍ତ ସମୟରେ ନବୀନ ଜାପାନର କିଛି ବଡ଼ ଶିଳ୍ପପତିଙ୍କ ସହ ସାକ୍ଷାତ ଓ ଆଲୋଚନା କରିପାରନ୍ତି । ଓଡିଶାକୁ କିଭଳି ଅଧିକ ପୁଞ୍ଜିନିବେଶ ଆସିପାରିବ ସେଥିପାଇଁ ସେ ଏକାଧିକ ବାଣିଜ୍ୟିକ ସମ୍ମିଳନୀରେ ଯୋଗଦେବେ । ସେଠାରେ ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲ, ଟେକ୍ସଟାଇଲ୍‌, ପୋଷାକ ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ଥିବା ବ୍ୟାପକ ପୁଞ୍ଜିନିବେଶ ସୁଯୋଗ ଓ ସମ୍ଭାବନାକୁ ନବୀନ ଉପସ୍ଥାପିତ କରିବେ । ରାଜ୍ୟ ସରକାରଙ୍କ ମେକ୍‌ ଇନ୍‌ ଓଡ଼ିଶା ସମ୍ମେଳନରେ ଜାପାନ ଅଂଶୀଦାର ରହିଛି । ଗତ ଡିସେମ୍ବରରେ ହୋଇଥିବା ଏହି ସମ୍ମେଳନରେ ଜାପାନରୁ ପୁଞ୍ଜିନିବେଶର ପ୍ରସ୍ତାବ ଆସିଥିଲା । ଏହି ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀର ଅଗ୍ରଗତିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ନବୀନଙ୍କ ଏହି ଗସ୍ତ ଯୋଗୁଁ ଖାଲି ପୁଞ୍ଜିନିବେଶ ନୁହେଁ ବରଂ ଉଭୟ ଜାପାନ ଏବଂ ଓଡ଼ିଶା ଭିତରେ ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ସେହିଭଳି କ୍ରୀଡ଼ା, ପର୍ଯ୍ୟଟନ ଓ ସାଂସ୍କୃତିକ ସମ୍ପର୍କ ମଧ୍ୟ ଆହୁରି ମଜବୁତ୍‌ ହେବ । ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ବରିଷ୍ଠ ଅଧିକାରୀ ଓ ରାଜ୍ୟର ଏକ ଶିଳ୍ପପତି ପ୍ରତିନିଧି ମଣ୍ଡଳୀ ମଧ୍ୟ ନବୀନଙ୍କ ସହ ଜାପାନ ଗସ୍ତ କରିବେ । ଗତ ୨୩ ବର୍ଷର ଶାସନ ଭିତରେ ନବୀନଙ୍କର ଏହା ତୃତୀୟ ବିଦେଶ ଗସ୍ତ ।

Leave A Reply

Your email address will not be published.