ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ଭିଜନ କର୍ମକର୍ତ୍ତା

ନବରଙ୍ଗପୁର : ରାଜ୍ୟ ବାଣିଜ୍ୟ ଓ ପରିବହନ ଏବଂ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଭୁବନେଶ୍ୱରରେ ଭେଟିଛନ୍ତି ଭିଜନ ନବରଙ୍ଗପୁରର କର୍ମକର୍ତ୍ତା । ଜିଲ୍ଲା ପରିଷଦ ସଭାପତି ମୋତି ରାମ ନାୟକଙ୍କ ସମେତ ଭିଜନର ଆବାହକ ବିରେନ୍ଦ୍ର ମୋହନ ନାୟକ, ସଂଯୋଜକ ବାଙ୍କ ବିହାରୀ ବିଷୋୟୀ ଓ ଭବାନୀ ଶଙ୍କର ବିଷୋୟୀ ଯୋଗ ଦେଇଥିଲେ । ଭିଜନ ପକ୍ଷରୁ ମନ୍ତ୍ରୀଙ୍କୁ ନବରଙ୍ଗପୁରରୁ ପୁରୀ ଓ ପୁରୀରୁ ନବରଙ୍ଗପୁରକୁ ଭଲବୋ ଦୃତଗାମୀ ସରକାରୀ ବସ , ଇନ୍ଦ୍ରାବତୀରୁ ବିଶାଖାପାଟଣା ଓ ବିଶାଖା ପାଟଣାରୁ ଇନ୍ଦ୍ରାବତୀ ଭଲବୋ ବସ ଏବଂ ନବରଙ୍ଗପୁରରୁ ରାୟପୁର ଓ ରାୟପୁରରୁ ନବରଙ୍ଗପୁରକୁ ଭଲବୋ ବସ ପାଇଁ ଲିଖିତ ଭାବରେ ଜଣାଇ ଆଲୋଚନା କରିଥିଲେ । ଏହି ଅଞ୍ଚଳର ଯାତାୟାତ ଅସୁବିଧା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଏହି ଜିଲ୍ଲାରେ ଟ୍ରେନର ସୁବିଧା ନ ଥିବାରୁ ଲୋକ ମାନେ ବସ ଉପରେ ନିର୍ଭର କରୁଛନ୍ତି । ପୁରୀକୁ ତୀର୍ଥ ଯାତ୍ରୀ ମ।ନେ ନିୟମିତ ଯାତାୟାତ କରୁଥିବା ବେଳେ ଏଠାରୁ ସିଧା ବସ ନାହିଁ । ଫଳରେ ଯାତ୍ରୀମାନେ ବହୁ ଅସୁବିଧା ଭୋଗୁଛନ୍ତି । ଏହାଛଡା ରାୟପୁରକୁ ବ୍ୟବସାୟ ପାଇଁ ନିୟମିତ ଲୋକମାନେ ଯାଉଛନ୍ତି । ବିଶାଖାପାଟଣାକୁ ବ୍ୟବସାୟ ଓ ଚିକିତ୍ସା ପାଇଁ ଲୋକମାନେ ନିୟମିତ ଯାଉଛନ୍ତି । ଏହି ତିନୋଟି ସ୍ଥାନକୁ ଯାତାୟାତର ଜରୁରୀ ଆବଶ୍ୟକତା ରହିଥିବା ଦର୍ଶାଇଥିଲେ । ଏହାକୁ ନେଇ ଜିଲାପାଳ ଡ଼ଃ.କମଳ ଲୋଚନ ମିଶ୍ର ମଧ୍ୟ ରାଜ୍ୟ ପରିବହନ ସଚିବଙ୍କୁ ଚିଠି ଲେଖିଥିବା ଅବଗତ କରାଯାଇଥିଲା । ତେବେ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀମତି ସାହୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

Leave A Reply

Your email address will not be published.

error: Content is protected !!