ବାୟୁବୀରଙ୍କ ଆକାଶ ମାର୍ଗରେ ସାହସିକ ପ୍ରର୍ଦଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜଧାନୀର କୁଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆରେ ଶୁକ୍ରବାର ‘ସୂର୍ଯ୍ୟକିରଣ ଏୟାର ଶୋ’ର ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ବାୟୁବୀରମାନେ ଆକାଶ ମାର୍ଗରେ ନିଜର ସାହସିକତା ପ୍ରଦର୍ଶନ କରିଛନ୍ତି । ଭିନ୍ନ ଭିନ୍ନ ଦୁଃସାହସିକ କ୍ରୀଡ଼ା କୌଶଳ ଦେଖାଇ ଓଡ଼ିଶାବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛନ୍ତି ବାୟୁବୀର । ଶୁକ୍ରବାର ସକାଳୁ ଭୁବନେଶ୍ୱରର କୁଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ସେଠାରେ ଲୋକଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି । ପୂର୍ବାହ୍ନ ୧୦ଟା ପରେ ରାଜଧାନୀ ଆକାଶରେ ଦେଖିବାକୁ ମିଳିଥିଲା ବାୟୁସେନାର ଚିତ୍ତାକର୍ଷକ ଶୋ’ । ଏକା ସାଙ୍ଗରେ ୯ଟି ହକ୍‌ ଲଢୁଆ ବିମାନ ଆକାଶରେ ଗର୍ଜନ କରି ଭିନ୍ନ କୌଶଳରେ ଉଡ଼ିଥିଲେ । ଏହାକୁ ଦେଖିବା ପାଇଁ ଘରର ଛାତ ଉପରେ ଲୋକଙ୍କ ଭିଡ଼ ଜମିଥିଲା ।

ଗୋଟିଏ ପରେ ଗୋଟିଏ ଏରୋବେଟିକ୍‌ ଟିମ୍‌ ଆକାଶରେ ଉଡ଼ି ନିଜର କୌଶଳ ପ୍ରଦର୍ଶନ କରିଥିଲେ । ଏହି ଶୋ’ପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଓଡ୍ରାଫ୍‌ ଟିମ୍‌ ସହ ୪୫ ସେକ୍ସନ ଫୋର୍ସ ମୁତୟନ କରାଯାଇଥିଲା । ଅନ୍ୟପଟେ ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ କୁଆଖାଇ ବାଲିଯାତ୍ରା ପଡିଆରେ ଉପସ୍ଥିତ ରହି ବାୟୁବୀରଙ୍କ ଦୁଃସାହସିକ ପ୍ରଦର୍ଶନ ଦେଖିଥିଲେ ।

Leave A Reply

Your email address will not be published.