କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲାରୁ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ତୁରେକେଲା ବ୍ଲକ କୁଇବାହାଲ ପଂଚାୟତର ସମରସିଂ ଗ୍ରାମରେ ମନରେଗା ଯୋଜନାରେ କାମ କରିଥିବା ଶ୍ରମିକମାନଙ୍କୁ ଟଙ୍କା ମିଳି ନ ଥିବା ବିଷୟ ଶନିବାର ଦିନ ଅଭିଯୋଗ କରିଛନ୍ତି । ଖବର ସଂଗ୍ରହ ବେଳେ କେତେକ ଶ୍ରମିକ କରିଥିବା ଅଭିଯୋଗରୁ ଜଣାଯାଏ ଯେ, ସମରସିଂ ଫଟାମୁଣ୍ଡା ମୁଣ୍ଡାରେ ଚଳିତ ଆର୍ଥିକ ବର୍ଷରେ ଜମିର ଗାତ ଖୋଲିବା ଏବଂ ମରାମତି ପାଇଁ ଶ୍ରମ ଦିବସ ସୃଷ୍ଟି କରାଯାଇ କାର୍ଯ୍ୟ କରାଯାଇଛି । କରାଯାଇଥିବା ଜମିରେ ଏକ ସୂଚନା ଫଳକ ଲଗାଯାଇଛି । ହେଲେ ସୂଚନା ଫଳକରେ ଅଟକଳ ଟଙ୍କା ୫ ଲକ୍ଷ ଦର୍ଶା ଯାଇଥିବା ବେଳେ କେତେ ହେକ୍ଟର କାର୍ଯ୍ୟ କରାଯାଇଛି, କେତେକ ଶ୍ରମିକ କାର୍ଯ୍ୟ କରିଛନ୍ତି, ଶ୍ରମ ଦିବସ କେତେ ଆଦୌ ଦର୍ଶା ଯାଇ ନଥିବା ଦେଖାଯାଇଛି । ଏପରିକି କାର୍ଯ୍ୟ ଆରମ୍ଭ ଓ ଶେଷ ତାରୀଖ ସୂଚନା ଫଳକରେ ଲେଖାଯାଇ ନ ଥିବା ବେଳେ କାର୍ଯ୍ୟ ସଂପୂର୍ଣ୍ଣ ହେବାର ୨ ମାସ ବିତି ଯାଇଥିଲେ ମଧ୍ୟ ଶ୍ରମିକ ମାନଙ୍କୁ ଟଙ୍କା ଦିଆଯାଇନାହିଁ ।
କେତେକ ଶ୍ରମିକ କରିଥିବା ଅଭିଯୋଗରୁ ଜଣାଯାଏ ଯେ, ସମରସିଂ ଗ୍ରାମର ଶତାଧିକ ଶ୍ରମିକ ନିୟୋଜିତ ହୋଇଥିଲେ । କିନ୍ତୁ କାର୍ଯ୍ୟ ଶେଷ ହେବାର ୨ ମାସ ବିତି ଯାଇଥିଲେ ସୁଦ୍ଧା ସେମାନଙ୍କ ଟଙ୍କା ନ ମିଳିଥିବାରୁ ସରକାରଙ୍କ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଫେଲ ମାରିଥିବା କହିଛନ୍ତି । ଏପରିକି ସରକାରଙ୍କ ଅନେକ ଯୋଜନାରେ ଅଂଚଳର ଶ୍ରମିକମାନେ କାମ କରୁଥିଲେ ମଧ୍ୟ ଠିକ୍ ସମୟରେ ଟଙ୍କା ମିଳୁ ନ ଥିବାରୁ ବାଧ୍ୟ ହୋଇ ଅଂଚଳର ଲୋକେ କାମ ଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଆନ୍ତି ବୋଲି ଜଣେ ଶ୍ରମିକ କହିଛନ୍ତି । ଏହି କାର୍ଯ୍ୟର କାର୍ଯ୍ୟ ନିର୍ବାହୀ ସଂସ୍ଥା କୁଇବାହାଲ ଗ୍ରାମ ପଂଚାୟତ । କିନ୍ତୁ ପଂଚାୟତ କାର୍ଯ୍ୟାଳୟ ସବୁବେଳେ ତାଲା ମରା ହୋଇଥିବାରୁ ସରପଂଚ, ନିର୍ବାହୀ ଅଧିକାରୀ କିମ୍ବା ଅନ୍ୟ ଗ୍ରାମସାଥୀ ପଂଚାୟତରେ ରହୁ ନ ଥିବାରୁ କୌଣସି ମତାମତ ମିଳି ପାରିନଥିବା ସୂଚନାରୁ ପ୍ରକାଶ ।