ନୂଆଁଖାଇ ବେଳେ ସଟ୍ ଡାଉନ ପ୍ରତ୍ୟାହାର ପାଇଁ ସାମାଜିକ ସଂଗଠନର ଦାବୀ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : କୋଶଳ ରାଜ୍ୟ ସମନ୍ୱୟ ସମିତି ଏବଂ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ପଶ୍ଚିମଓଡିଶାର ମହାନ ଗଣପର୍ବ ନୂଆଁଖାଇର ପୁର୍ବ ଏବଂ ପର ଦିନକୁ ଲକ୍ ଡାଉନରୁ ବିରତି ଦେବା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ପାଟଣାଗଡ ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ୨ କୋଟି ପଶ୍ଚିମ ଓଡିଶାବାସୀଙ୍କ ଭାବାବେଗ ସହିତ ଜଡିତ ଏହି ଭାଇଚାରାର ମହାନ ଗଣପର୍ବ ସମୟରେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ଅନେକ ସାମାଜିକ ସଂଗଠନ ବିରୋଧ କରୁବା ସହ ପୁର୍ବ ଓଡିଶାର ରଜ ସମୟରେ ସମସ୍ତ ଲକ୍ ଡାଉନକୁ କୋହଳ କରାଯାଇ ସୁଯୋଗ ଦେଇ ପାରୁଥିବା ବେଳେ ପଶ୍ଚିମ ଓଡିଶା ପ୍ରତି ଏଭଳି ପାତରଅନ୍ତର କାହିଁକି ବୋଲି ଅଭିଯୋଗ କରିଛନ୍ତି କୋଶଳ ସମନ୍ୱୟ ସମିତିର କର୍ମକର୍ତ୍ତାବୃନ୍ଦ । ଅନ୍ୟପକ୍ଷରେ ଏହି ମହାନ ଗଣପର୍ବ ସମୟରେ ଆମ ପ୍ରଥା ଓ ପରମ୍ପରାକୁ ହୀନଚକ୍ଷୁରେ ରାଜ୍ୟ ସରକାର ଦୁଖିଛନ୍ତି, ଯାହାକୁ କେବେ ହେଲେ ବରଦାସ୍ତ କରାଯିବ ନାହିଁ ବୋଲି ସୂଚନା ଦେଇ ନୂଆଁଖାଇ ସମୟରେ ନୂଆଁଖାଇର ପୁର୍ବ ଦିନ ଏବଂ ପର ଦୁଇ ଦିନକୁ ଲକ୍ ଡାଉନରୁ ବାଦ ଦିଆଯାଉ ବୋଲି ବଲାଙ୍ଗିର ଜିଲାପାଳଙ୍କ ପାଖରେ ଅନୁରୋଧ କରିଛନ୍ତି ଏହି ଦୁଇ ସଂଗଠନ । ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ଦେବା ସମୟରେ କୋଶଲ କର୍ମୀ ସିପୁନ ଖମାରୀ, ବନମାଲୀ ନାଏକ, ସଂଜୀବ ଶର୍ମା, ବଳଦେବ ପୁଟେଲ ଏବଂ ଆଦିବାସୀ ସଂଘର ଗିରିଧାରି ଭୋଇ, ମନବୋଧ ବରିହା, ସନ୍ୟାସୀ ନାଏକ ପ୍ରମୁଖ ଉପସ୍ଥିତ ରହି ଦାବୀ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.