om academy

ଛୋଟ ସ୍କୋର ପରେ ରୋମାଞ୍ଚକ ଭାବେ କୋଲକାତାକୁ ଅଟକାଇ ମୁମ୍ବାଇର ପ୍ରଥମ ବିଜୟ

jsm

ଚେନ୍ନାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୧ର ୫ମ ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍‌ସ କୋଲକାତା ନାଇଟ୍‌ ରାଇଡର୍ସକୁ ୧୦ ରନରେ ହରାଇ ତାର ବିଜୟ ଯାତ୍ରା ଆରମ୍ଭ କରିଛି । ମାତ୍ର ୧୫୩ ରନର ବିଜୟ ଲକ୍ଷ୍ୟକୁ ହାସଲ କରି ନ ପାରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା କୋଲକାତା ଦଳ । ଚେନ୍ନାଇ ସ୍ଥିତ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଇଅନ୍‌ ମୋର୍ଗାନଙ୍କ ନେତୃତ୍ବରେ ଖେଳୁଥିବା କୋଲକାତା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ରୋହିତ ଶର୍ମାଙ୍କ ବାହିନୀ ମୁମ୍ବାଇ ଇଣ୍ଡିଆନ୍‌ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିଥିଲା । ମୁମ୍ବାଇ ଟିମ୍‌ର ଅଧିନାୟକ ରୋହିତ ଶର୍ମା ଓ କ୍ବିଣ୍ଟନ୍‌ ଡି’କକ୍‌ ମୁମ୍ବାଇର ଇନିଂସ ଆରମ୍ଭ କରିଥିଲେ । ରୋହିତ ୩୨ଟି ବଲ୍‌ ଖେଳି ୪୩ ରନ୍‌ ସଂଗ୍ରହ କରିଥିଲେ । ଏଥିରେ ସେ ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଡି’କକ୍‌ ୬ଟି ବଲ୍‌ ଖେଳି ମାତ୍ର ୨ ରନ୍‌ ଦଳ ପାଇଁ ଯୋଡ଼ିଥିଲେ । ସେ ବରୁଣ ଚକ୍ରବର୍ତ୍ତୀଙ୍କ ଶୁବମନ୍‌ ଗିଲଙ୍କୁ କ୍ୟାଚ୍‌ ଦେଇ କୋଲକାତାର ପ୍ରଥମ ଶିକାର ହୋଇଥିଲେ । ଯୁବ ବ୍ୟାଟ୍‌ସମ୍ୟାନ୍‌ ସୂର୍ୟ୍ୟକୁମାର ଯାଦବ ଦଳ ପାଇଁ ସର୍ବାଧିକ ୫୬ ରନ୍‌ ସଂଗ୍ରହ କରିଥିଲେ । ସେ ୩୬ଟି ବଲ ଖେଳି ୭ଟି ଚୌକା ଓ ୨ଟି ଛକା ମାରିଥିଲେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ୍‌ରୁ ୧୫ ରନ୍‌ ମିଳିଥିଲା । ପାଣ୍ଡ୍ୟା ପ୍ରସିଦ୍ଧ କୃଷ୍ଣାଙ୍କ ବଲରେ ଆଉଟ୍‌ ହେବା ପୂର୍ବରୁ ୧୭ଟି ବଲ ଖେଳି ୨ଟି ଚୌକା ମାରିଥିଲେ । ମୁମ୍ବାଇ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୫୨ ରନ୍‌ ସଂଗ୍ରହ କରିବା ପରେ କୋଲକାତାକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୫୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଏହି ମ୍ୟାଚ୍‌ରେ କୋଲକାତା ଟିମ୍‌ର ଆନ୍ଦ୍ରେ ରସେଲ୍‌ ସର୍ବାଧିକ ୫ଟି ୱିକେଟ୍‌ ନେଇଥିଲେ । ମୁମ୍ବାଇ ଇଣ୍ଡିଆନ୍‌ସର ଅନ୍ୟ ବ୍ୟାଟ୍‌ସମ୍ୟାନଙ୍କର ପ୍ରଦର୍ଶନ ଉତ୍ସାହଜନକ ନ ଥିଲା । କୋଲକାତା ନାଇଟ୍‌ ରାଇଡର୍ସର ବୋଲରମାନେ ରଣନୀତି ମୁତାବକ ବୋଲିଂ କରିଥିଲେ । କୋଲକାତା ପାଇଁ ପ୍ୟାଟ୍‌ କମିନ୍ସ ୨ଟି ୱିକେଟ୍‌ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ସାକିବୁଲ ହାସନ୍‌ ଓ ପ୍ରସିଦ୍ଧ କୃଷ୍ଣଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା । କୋଲକାତା ପକ୍ଷରୁ ନୀତିଶ ରାଣା ଓ ଶୁବମନ୍ ଗିଲ୍ ଇନିଂସ ଆରମ୍ଭ କରି ସାବଧାନତାର ସହ ସ୍କୋରକୁ ଆଗକୁ ବଢ଼ାଇଥିଲେ। ମାତ୍ର ଗିଲ୍ ୨୪ ବଲ ଖେଳି ୩୩ ରନ କରିଥିବା ବେଳେ ରାହୁଲ୍ ଚହରଙ୍କ ବଲରେ ପୋଲାର୍ଡଙ୍କୁ କ୍ୟାଚ ଦେଇ ଆଉଟ୍ ହୋଇଯାଇଥିଲେ । ଏହାପରେ ରାଣା ଗୋଟିଏ ପଟେ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟ ପଟେ ରାହୁଲ୍ ତ୍ରିପାଠୀ (୫), ଅଧିନାୟକ ଇଅନ୍ ମୋର୍ଗାନ (୭), ଆନ୍ଦ୍ରେ ରସେଲ୍ ( ୯) ଓ ପାଟ୍ କମିନ୍ସ (୦) ଶସ୍ତାରେ ଆଉଟ୍ ହୋଇଯାଇଥିଲେ । ମାତ୍ର ନୀତିଶ ରାଣା ୫୭ ରନ୍ କରିଥିବା ସମୟରେ ଆଉଟ୍ ହେବା ପରେ ଦଳର ବିଜୟ ଆଶା ମଉଳି ଯାଇଥିଲା । ମୁମ୍ବାଇ ପକ୍ଷରୁ ରାହୁଲ୍ ଚହର ସର୍ବାଧିକ ୪ଟି ଉଇକେଟ୍ ହାସଲ କରିଥିଲେ ।

Leave A Reply

Your email address will not be published.