ସଂପର୍କ ସଂପର୍କେ

ଶରଦିନ୍ଦୁ ଭୂଷଣ ହୋତା

ଅନୁଭବି ଲୋକେ କହନ୍ତି – ସଂପର୍କ ହିଁ ଜୀବନ । କଥାଟିକୁ ପରିଷ୍କାର ଭାବେ ବୁଝାଯିବା ଦରକାର । ଠିକ୍‌ ଠିକ୍‌ ବୁଝି ନ ହେଲେ ବୋଧ ବାଉଳା ହେବା ସାର ହେବ । ତହିଁରୁ ମହତି ବିନଷ୍ଟି ।

ଜନ୍ମ ମଣିଷକୁ ଏକ ସ୍ଥୂଳ ପରିଚୟ ଦିଏ । ଅମୁକ ଘରର ଛୁଆ, ସମୁକ ତା’ର ମା’ବୁଆ, ଏମିତି ତାର ବଂଶ, ଗୋତ୍ର ଓ ବୈଶିଷ୍ଟ୍ୟ, ସେମିତି ତାଙ୍କ ରେତଧାରାର ଲକ୍ଷଣା ଲକ୍ଷଣ ଆଦି ଇତ୍ୟାଦି । ଏସବୁର ଆଧାରରେ ନିଜେ ଏବଂ ନିଜର ବୋଲି ମାନି ନେଇଥିବା ଗଣ୍ଡିବଦ୍ଧ ଏବଂ ମୁଁ ପଣର ସୃଷ୍ଟି ହୁଏ ।

କଥାଟି କେବଳ ସେତିକିରେ ସରେନାହିଁ । ସରୁଥିଲେ ବଡ଼ ବିପଜ୍ଜନକ ହୁଅନ୍ତା । ପୃଥିକ ପୃଥକ ଗଣ୍ଡିସ୍ୱାର୍ଥୀ ମୁଁ ପଣ ଗୁଡ଼ିକ ଉଭା ହୋଇ ରହିଥାନ୍ତେ । ତାଙ୍କ ମଧ୍ୟରେ ଯୋଗାଯୋଗର କୌଣସି ସେତୁ ବା ସମ୍ଭାବନା ରହନ୍ତାନାହିଁ । ଗୋଟିଏ ସହିତ ଅପରର ଖିଅ ଯୋଡ଼ା ହୋଇ ପାରନ୍ତା ନାହିଁ । କ’ଣ ହୁଅନ୍ତା ତା’ ହେଲେ? ପ୍ରତ୍ୟେକ ମୁଁ ପଣରୁ ତଥାକଥିତ ପରିଚୟର ବାରୁଦ ସରିବା ପରେ ନୀରବରେ ଆପେ ଆପେ ଫୁସ୍‌କି ଯାଆନ୍ତେ । ଛୋଟବଡ଼, ସାଧାରଣ ଅସାଧାରଣ, ସାର୍ଥକ ଅସାର୍ଥକ, ମହତ ପତିତ ଇତ୍ୟାଦି ବାରିବାକୁ ବା କଳିବାକୁ କୌଣସି ପରିପ୍ରେକ୍ଷୀ ହିଁ ମିଳନ୍ତା ନାହିଁ । ସର୍ବେ ହୁଅନ୍ତେ ଏକାକାର ।

ମାନବ ଅସ୍ତିତ୍ୱର ପରମ ବ୍ୟବସ୍ଥାପକ ପରମେଶ୍ୱର କିନ୍ତୁ ସେଭଳି କରି ନାହାନ୍ତି । ଅନ୍ୟ ବିଧାନ ଖଂଜିଛନ୍ତି । ମଣିଷକୁ ତାର ସୀମାବଦ୍ଧ ମୁଁ ପଣର ଅର୍ଗଳ ଭାଙ୍ଗି ମୁକ୍ତ ହୋଇ ପାରିବାର ତ୍ରାଣକାରୀ ସଂବେଗ ମଧ୍ୟ ଯୁଗପତ୍‌ ଭାବେ ମଂଜୁର କରିଛନ୍ତି । ତଥାକଥିତ ମୁଁ ପଣର ହିଡ଼ବାଡ଼ ଭାଂଗି ଅନ୍ୟ ସହିତ ଖିଅ ଯୋଡ଼ିବାର ପ୍ରେରଣା, ପ୍ରୋତ୍ସାହନ ଓ ପ୍ରବଣତା ସହଜାତ ଭାବେ ମିଳିଛି । ତାହାକୁ ହିଁ କୁହାଯାଏ ପ୍ରସାରଣ । ପ୍ରସାରଣ କ୍ଷମତା ହିଁ ଜଣକୁ ଅନ୍ୟ ସହିତ ଯୋଡେ଼, ପ୍ରସାରଣ ପ୍ରକ୍ରିୟା କିନ୍ତୁ ଚାହିଁ ଦେବା ମାତ୍ରକେ ଚଟ୍‌ ଜଲ୍‌ଦି ଭାବେ ହୋଇ ଯାଏନାହିଁ । କୌଣସି ଜଳା ଫାଙ୍କା ନ ରଖି ନିଦା ଓ ନିଦକ ଭାବେ ସ୍ତର ପରେ ସ୍ତର ହୋଇ ହିସାବରେ ଚାଲେ । ସର୍ବ ପ୍ରଥମ ସ୍ତର ହେଉଛି ଦେହ । ଦେହବୋଧକୁ ଡେ଼ଇଁଗଲେ ପ୍ରାଣଶକ୍ତି । ତାକୁ ଅତିକ୍ରମି ମଣିଷର ମନୋମୟ ଜଗତ । ସବୁରି ଊଦ୍ଧ୍ୱର୍ରେ ଚୈତ୍ୟସତ୍ତା । ଗୋଟିଏକୁ ହରବରରେ ଡେଇଁ ଅଧାପନ୍ତରିଆ ଭାବେ ଅନ୍ୟ ସ୍ତରକୁ ଯିବା ଚଳିବ ନାହିଁ । ଗୋଟିଏ ସ୍ତରର ଉପଲବ୍ଧି ଯଦି ଅସଂପୂର୍ଣ୍ଣ, ଅନିୟନ୍ତ୍ରିତ ଓ ଅପରିପକ୍ୱ ତେବେ ପରବର୍ତ୍ତି ପାଇଁ ଯାତ୍ରା ତମସାଚ୍ଛନ୍ନ ହେବାକୁ ବାଧ୍ୟ । ସବୁ ସ୍ତରର ଉପଲବ୍ଧ ଉପାଦାନ ଧରି ଅପରକୁ ଛୁଇଁ ପାରିବା, ଭେଦି ପାରିବା ହିଁ ସଂପର୍କ । ତେଣୁ ସଂପର୍କ ହେଉଛି ପ୍ରସାରଣର ମାଧ୍ୟମ । ପ୍ରସାରଣରେ ଜୀବନ ପ୍ରତ୍ୟୟର ପ୍ରେରଣା ଓ ପ୍ରତିଷ୍ଠା । ସଂପର୍କ ନାହିଁ ତ ପ୍ରସାରଣ ନାହିଁ । ପ୍ରସାରର ଅଭାବରେ ଜୀବାନୁୁଭବ ଅସମ୍ଭବ । ସେଇ କାରଣରୁ ସଂପର୍କ ହିଁ ଜୀବନ ବୋଲି କହି ଅନୁଭବି ଜନେ ଏଇ କଥାରେ ସୂଚନା ଦେଇଥିବେ ।

ପ୍ରସାରଣ ଯଦିଓ ଜୀବନ ଅନୁଭବର ବୁନିୟାଦି ବିଧାନ, ତାହା କିନ୍ତୁ ମାହାଳିଆ ମିଳେ ନାହିଁ । ଦରକାର ପଡ଼ୁଥିବା ମୂଲ୍ୟ ପୈଠ କରିବାକୁ ପଡେ଼ । ପ୍ରସାରଣ ବୋଲିବା ବ୍ୟାପାରଟିର ଦୁଇଟି ପକ୍ଷ । ପ୍ରୟୋଜନ ପୂରଣ ଏବଂ ଉନ୍ମୁକ୍ତିକରଣ । ଜଣେ ଅନ୍ୟର ଜୀବନକୁ ପ୍ରସାରିତ ହୋଇପାରେ, ତାର କୌଣସି ପ୍ରୟୋଜନର ପରିପୂରଣ ମାଧ୍ୟମରେ କିମ୍ବା ତାହା ଦ୍ୱାରା ନିଜର କୌଣସି ପ୍ରୟୋଜନର ପରିପୂରଣ ହେଉଥିବା ହେତୁ । ତାହାଦ୍ୱାରା ଜଣକର ଆଉ ଜଣକ ସହିତ ଯୋଗାଯୋଗ ସ୍ଥାପିତ ହୁଏ । ଜୀବନର ବାହ୍ୟ ପ୍ରସ୍ଥରେ ପାରସ୍ପରିକ ପ୍ରୟୋଜନ ପୂରଣ ପାଇଁ ଏ ଯେଉଁ ଯୋଗାଯୋଗ ହୁଏ, ତାହା ବି ଏକ ସଂପର୍କ ସ୍ଥାପନକୁ ସମ୍ଭବ କରେ । ତାହା ଘଟେ ବାହ୍ୟ ପ୍ରସ୍ଥର ଏକ ଔପଚାରିକ କାରବାରୀ ବ୍ୟାପାର ରୂପେ । ସାଂପ୍ରତିକ ସମାଜ ଜୀବନରେ ଏହା ବହୁଳାଂଶରେ ଦେଖିବାକୁ ମିଳୁଛି । ସାମାଜିକ ଜୀବନରେ ପାରସ୍ପରିକ ଦିଆନିଆ, କରାଧରା, ଯିବା ଆସିବା ଆଦି ଇତ୍ୟାଦି ସମସ୍ତ କ୍ରିୟାକର୍ମ ତାହାରି ବେଢ଼ା ଭିତରେ ବୁଲୁଛି । ସେଥିପାଇଁ ଅର୍ଥ ବାକ୍‌ ଓ ବାସ୍ତବ କର୍ମ ରୂପେ ଅନେକ କିଛିର ବିନିଯୋଗ ହେଉଛି । ମୋ’ ବେଳକୁ ସେ ଆସିଛି, ଦେଇଛି ଓ କରିଛି । ଅତଏବ ତା’ ବେଳକୁ ମୋର ପାଳି କିମ୍ବା ତା’ ବେଳକୁ ମୁଁ ପାଇଁ ହକ୍‌ଦାର ହେବି ଇତ୍ୟାଦି ଭାବନା, ଚିନ୍ତା ଏତେବେଳକୁ ଆମ ସାମାଜିକ ବେଭାରରେ ଖୁବ୍‌ ଚଳୁଛି ଏବଂ ସମସ୍ତଙ୍କୁ ଚଳାଉଛି । ସେଇ ସ୍ତରରେ ତାର ବି କିଛି ଆବଶ୍ୟକତା ଅବଶ୍ୟ ରହିଛି । ସେ ଯା’ ହେଉ ଗୋଟିଏ କଥା କିନ୍ତୁ ନିଷ୍କର୍ଷ ବାହାରୁଛି ଯେ, କୌଣସି କଥା ମାହାଳିଆରେ ହେବନି । ବିନା ଦେବାରେ କିଛି ମିଳିବନି । ଦେବା ହିଁ ପାଇବାର ଜନନୀ, ନ କରି ଯଦି ପ୍ରାପ୍ତି ଚାହିଁବ, ତେବେ ଦୁଃଖ ହିଁ ପଛରେ ଧାଇଁବ । ତେଣୁ ଅସ୍ତିତ୍ୱ ଧାରଣର ତାଗିଦ୍‌ରେ ଯେଉଁଠି ଯାହା ଆବଶ୍ୟକ ମୂଲ୍ୟ ପୈଠ କରିବାକୁ ପଡ଼ିବ । ହାଲୁକା ଭାବରେ ଏବର ଚଳନ୍ତି ଭାଷାରେ ତାକୁ ସଂପର୍କ ଟିକସ ବୋଲି ବି କୁହାଯାଇପାରେ ।

ପ୍ରସାରଣ ଅନ୍ୟତମ ପକ୍ଷ ଆତ୍ମ ଉନ୍ମୁକ୍ତିକରଣ । ତାର ଗୁଣାଗୁଣ ଚିହ୍ନା ଯାଉ । ଅନ୍ୟ ଜଣକ ପାଖରେ ମୁଁ ବିନା ଆପତ୍ତି ବା ସଂକୋଚରେ ନିଜକୁ ଖୋଲି ପାରିବି । ସେ ମଧ୍ୟ ମୋ ଠାରୁ ସେତକ ସେଇଭଳି ପାଇବା ପାଇଁ ହକ୍‌ଦାର ହେବ । ପାରସ୍ପରିକ ହୃଦୟ ବିନିମୟର ଅବସର ସଂପୂର୍ଣ୍ଣ ଉଦାର ଓ ଉନ୍ମୁକ୍ତ ରହିବ । ପରସ୍ପର ମଧ୍ୟରେ ଆପଣା ଆପଣାର ପାପପୁଣ୍ୟ, ଉତ୍‌ଥାନ ପତନ, ସ୍ଫଳନ ଉତ୍ତରଣର ସଂବାଦ ନିଦକ ଓ ନିରାପଦ ଭାବରେ ବିନିମୟ ହୋଇ ପାରିବ । ସଂପର୍କ ସ୍ଥାପନର ଏହା ପ୍ରାମାଣିକ ସ୍ତର । ତହିଁରେ ଯାହାକୁ ଷଡ଼ବିଧି ପ୍ରୀତି ଲକ୍ଷଣ (ଖାଇବା ଖୁଆଇବା, ଦେବାନେବା ଓ ଗୋପନ କଥା କହିବା ଶୁଣିବା) ବୋଲି କୁହାଯାଏ । ତାହା ଅକ୍ଷତ ଓ ଅବ୍ୟାହତ ରହେ । ଏଇ ସ୍ତରର ପ୍ରୀତିଚର୍ଯ୍ୟା ବି କିନ୍ତୁ ଦେୟମୁକ୍ତ ନୁହେଁ । ପ୍ରୟୋଜନୀୟ ମୂଲ୍ୟର ଭରଣା କରାଯିବା ସେଇଠି ବି ଅବଶ୍ୟମ୍ଭାବୀ ସର୍ତ୍ତ ।

ଏଇ ସ୍ତରରେ ଦେୟ ପୂରଣ କୌଣସି ବୈଷୟିକ ବିଚାରରେ ହୁଏ ନାହିଁ । ତାହା କରାଯାଏ ଅନ୍ତର ଉତ୍ସାରିତ ଏକ ପ୍ରତ୍ୟାଶା ଶୂନ୍ୟ ପ୍ରେରଣାରେ । ଆତ୍ମକାମୀ ନ୍ୟସ୍ତସ୍ୱାର୍ଥ ନ ଥାଏ । ତେଣୁ ତାହା ବସ୍ତୁବାଦୀ ହିସାବ ନିକାଶର ଊଦ୍ଧ୍ୱର୍ରେ । ଯାହା ବି କରାଯାଏ ବା ଦିଆଯାଏ, ତହିଁରୁ ବିନିମୟ ମୂଲ୍ୟ ଆଦାୟ ଆଶା ରହେ ନାହିଁ । ଅବଶ୍ୟ ମଣିଷକୁ ପ୍ରୟୋଜନୀୟ ମାଧ୍ୟମ ରୂପେ ଯାହା ଯେମିତି ଆବଶ୍ୟକ ଦେବା ଥୋଇବାକୁ ବା ସହିବା ସମ୍ଭାଳିବାକୁ ପଡ଼ିଥାଏ । ସବୁକିଛି ମଣିଷ କରିଥାଏ ପ୍ରଶାନ୍ତ ଚିତ୍ତରେ, ଦାବୀ କଟାଳ ଶୁଣି ବା ଚାପଗ୍ରସ୍ତ ମାନସିକତାରେ ନୁହେଁ ।

ସ୍ୱରୂପ ଯାହା ବି ହେଉ ଉଭୟ ସ୍ତରରେ ଦେୟ ପୂରଣର ଆବଶ୍ୟକତା ଅନିବାର୍ଯ୍ୟ । ତହିଁରେ ଫାଙ୍କି ଦେଲେ ଚଳିବ ନାହିଁ । ଫାଙ୍କି ଦେଲେ ଫାଙ୍କିର ଅଧିକାରୀ ହେବା ହିଁ ଥୟ । ଜୀବନରେ ଯୋଗ୍ୟତା ଓ ସାମର୍ଥ୍ୟ ଅର୍ଜନ ଅନିବାର୍ଯ୍ୟ । ତା’ ହୋଇ ପାରିଲେ ଜୀବନର ସୌନ୍ଦର୍ଯ୍ୟ ଓ ସନ୍ତୁଳନ ବଜାୟ ରହିବ । ମାନବ ଅସ୍ତିତ୍ୱର ମୌଳିକ ଧୃତି ଅବ୍ୟାହତ ରହିବ । ସେଥିପାଇଁ ପ୍ରାଜ୍ଞ ପୁରୁଷଙ୍କ ଉଚ୍ଚାରଣ – ‘Live is an extansion, but never a free service.’
ଭୁବନେଶ୍ୱର, ମୋ.ନଂ.୯୯୩୭୭୪୦୬୭୬

Leave A Reply

Your email address will not be published.