pakka

ଓକିଲଙ୍କ ଆନ୍ଦୋଳନ

kalikesh
  • ଗଜାନନ ମିଶ୍ର

ଅଦାଲତର କାର୍ଯ୍ୟରେ କେହି ବାଧା ସୃଷ୍ଟିକାରୀ ହୋଇ ପାରିବେ ନାହିଁ । ଓକିଲଙ୍କ ଆନ୍ଦୋଳନକୁ ନେଇ ଏପରି ଅସନ୍ତୋଷ ଓ କଡା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ଏଇଟା ସତ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେହି ନ୍ୟାୟପାଳିକାକୁ ଅସମ୍ମାନ କରି ପାରିବେ ନାହିଁ କି ଅଦାଲତର ରାୟକୁ ଅବମାନନା କରି ପାରିବେ ନାହିଁ । ଏହି ପରିପ୍ରେକ୍ଷୀରେ ଭାରତ ବର୍ଷର ପବିତ୍ର ଗ୍ରନ୍ଥ ଆମ ସମ୍ୱିଧାନ, ଯେଉଁଥିରେ ଝଲସୁଛି ଆତ୍ମାର ଉଚ୍ଚାରଣ, ଯାହାର ପ୍ରଥମ ଧାଡି, ‘ଆମ୍ଭେ, ଭାରତର ଲୋକେ’ ପାଖରେ ସାର୍ବଭୌମ କ୍ଷମତା ଦେଇଛି । ଜନଗଣଙ୍କ ପାଇଁ ସଭିଏଁ ଉତ୍ସର୍ଗୀକୃତ ଏଠି । ଜନଗଣଙ୍କ ସୁଖ ସୁବିଧା ପାଇଁ ଶତତ ଚେଷ୍ଟିତ । ଓକିଲଗଣ ମଧ୍ୟ ଲୋକଙ୍କ ପାଇଁ ଦିନରାତି କାର୍ଯ୍ୟରେ ବ୍ୟସ୍ତ । ପ୍ରତ୍ୟେକ ଓକିଲ ବିଚାରାଳୟର ଜଣେ ଜଣେ ବିଜ୍ଞ ଅଧିକାରୀ । ଯେପରି ବିଚାରପତିଙ୍କୁ ଅସମ୍ମାନ ପ୍ରଦର୍ଶନ ଦୋଷାବହ ଠିକ୍ ସେପରି ଓକିଲଙ୍କୁ ନୀଚ ଦୃଷ୍ଟିରେ ଦେଖି ବ୍ୟଙ୍ଗ ବିଦ୍ରୁପ କରିବା ଅସହ୍ୟ ।

ଜଣା ଯେ, ଓକିଲଙ୍କ ଦୃଢ ନେତୃତ୍ୱରେ ଭାରତର ମୁକ୍ତି ଆନ୍ଦୋଳନ ତୀବ୍ରରୂପ ଧାରଣ କରିଥିଲା । ଯାହା ଫଳରେ ବ୍ରିଟିଶ ସରକାର ଭାରତ ଛାଡି ଚାଲିଯିବାକୁ ବାଧ୍ୟ ହୋଇଥିଲେ । ସେହି ଓକିଲଙ୍କ ଉଚିତ୍ ନେତୃତ୍ୱରେ ଭାରତର ସମ୍ୱିଧାନ ରୂପରେଖ ପାଇଥିଲା । ଏଇଟା ସର୍ବଜନ ବିଦିତ ଯେ ବିଚାରାଳୟରେ ଓକିଲଙ୍କ ସେବା ଅତ୍ୟାବଶ୍ୟକ ଅଟେ । ସମାଜର ଗରିବ ଓ ନିମ୍ନସ୍ତରର ଲୋକଟିଏ ପାଇଁ ଅଦାଲତରେ ଓକିଲଟିଏ ଆଗେଇ ଆସେ, ଆଇନ ସହାୟତା କେନ୍ଦ୍ର ସବୁ ଠାରେ ଅଛି, ନାହିଁଁ । ତଥାପି କେଉଁଠି ନା କେଉଁଠି ଅଦାଲତି ବ୍ୟବସ୍ଥା ମଧ୍ୟରେ ଦୁର୍ବଳତା ରହିଛି, ଯାହାକୁ ତୁରନ୍ତ ଠିକ୍ କରାଯିବା ଉଚିତ୍ । ଏବେ ବି ଆମ ଭାରତର ଜନସାଧାରଣ ଅଶିକ୍ଷାରେ ଦାରିଦ୍ର୍ୟର ପକ୍ଷାଘାତରେ ଛଟପଟ ହେଉଛନ୍ତି । ଅର୍ଥାଭାବ ଓ ଅସଚେତନତା ଯୋଗୁଁ ନ୍ୟାୟ ଚକ୍ରର ମନ୍ଦଗତିର ଘଣାରେ ପେଶି ହେଉଛନ୍ତି । ମହାମହିମ ରାଷ୍ଟ୍ରପତି ସେଥିପାଇଁ ତିନି ଅଙ୍ଗ ଯଥା ନ୍ୟାୟପାଳିକା, କାର୍ଯ୍ୟପାଳିକା ଓ ବିଧାନପାଳିକା ମିଳିତ ଭାବରେ ସବୁ ସମସ୍ୟା ସମାଧାନ କରିବାକୁ ଆହ୍ୱାନ ଦେଇଛନ୍ତି ।

ଲୋକଙ୍କ ସୁବିଧା ପାଇଁ ପ୍ରତି ବ୍ଲକରେ ମୁନସିଫ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡପାଳଙ୍କ ଅଦାଲତ ରହିଛି । ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ହୋଇଛି । ଅନେକ ଜାଗାରେ ଏକାଧିକ ଅତିରିକ୍ତ ଜିଲ୍ଲା ବିଚାରପତିଙ୍କ ନିଯୁକ୍ତି ହୋଇଛି । ଏସବୁ ଯଦି ଅଛି ତେବେ ପ୍ରତି ଦୁଇଶହ/ ତିନିଶହ କି.ମି. ଦୂରତାରେ ଉଚ୍ଚ ନ୍ୟାୟାଳୟ ଖୋଲିବାରେ ଅସୁବିଧା କେଉଁଠି ? ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ କୋଡିଏ ପଚିଶ ବିଚାରପତି ବସିବା ବଦଳରେ ପାଂଚ ପାଂଚଜଣ ଯଦି ଚାରି/ପାଂଚ ଜାଗାରେ ବସିବେ ତେବେ ବହୁତ ଲୋକ ଉପକୃତ ହେବେ, ଏହା ନିଶ୍ଚିତ । ଆମ ଓଡିଶା ବିଷୟରେ କଥା ପଡିଲେ କୁହାଯାଇପାରେ, କଟକରେ ଉଚ୍ଚ ନ୍ୟାୟାଳୟ ରହିଛି, ଏଇ କଟକଠାରୁ ନୁଆପଡା ପାଖାପାଖି ଛଶହ କି.ମି. । ଏତେ ଦୂରରୁ ଲୋକଟିଏ ଯାଇ ନ୍ୟାୟ ପାଇଁ ଆର୍ଥିକ, ମାନସିକ, ଶାରୀରିକ କଷ୍ଟ ବହୁତ ପାଇବ । ଏମିତି ବି ବଲାଙ୍ଗିରରେ ପାଟଣା ରାଜ୍ୟରେ ଉଚ୍ଚ ନ୍ୟାୟାଳୟ ଥିଲା । ୧୯୪୮ରେ କଟକ ଉଚ୍ଚ ନ୍ୟାୟାଳୟ ସହିତ ମିଶିଗଲା । ଏକ ପ୍ରକାର ଏହା ଲୋକ ବିରୋଧୀ କାର୍ଯ୍ୟ ନ ଥିଲା କି ? ଏବେ ସେହି ଉଚ୍ଚ ନ୍ୟାୟାଳୟର ପୁନଃ ସ୍ଥାପନ ଦାବୀରେ ଆନ୍ଦୋଳନ କରିବା କଣ ପାପ ?

ଗଣତନ୍ତ୍ର ଶାସନ ହେଉଛି ଲୋକଙ୍କର ଲୋକଙ୍କ ପାଇଁ ଲୋକଙ୍କ ଦ୍ଵାରା । ରାଷ୍ଟ୍ରପତି ହୁଅନ୍ତୁ କି ବିଚାରପତି, ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ଯନ୍ତ୍ରୀ, ଭାରତୀୟ ପ୍ରଶାସନିକ ସେବୀ ହୁଅନ୍ତୁ କି ଚତୁର୍ଥ ଶ୍ରେଣୀ କର୍ମଚାରୀ ସମସ୍ତେ ଭାରତୀୟଙ୍କ ସେବାରେ ନିୟୋଜିତ, ଏ କଥା ଭୁଲିଗଲେ ହେବ ନାହିଁ । ଓକିଲଗଣ କିନ୍ତୁ ସର୍ବସାଧାରଣ ସକାଶେ ପାଟି ଫିଟାଇ ନ କହିବେ ତ କହିବ ଆଉ କିଏ ? ସମସ୍ତେ ଲୋକଙ୍କ ଟିକସଟଙ୍କାରେ ଚଳୁଛନ୍ତି । ଲୋକଙ୍କ ପାଇଁ ଯେଉଁ କାର୍ଯ୍ୟ ମଙ୍ଗଳକର ସେଇଟାକୁ ଶୀଘ୍ର କରିଦେବା ଉଚିତ୍ । ଆମ ଓଡିଶା ରାଜ୍ୟ କଣ ଏତେ ଛୋଟ ଯେ, ଆଉ ଗୋଟିଏ ବା ଦୁଇଟି ଉଚ୍ଚ ନ୍ୟାୟାଳୟ ସତରେ କରାଯାଇ ପାରିବ ନାହିଁ ! ୟା ସହିତ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ନ୍ୟାୟପାଳିକାର ଭାରତୀୟ କରଣ । ବିଚାରାଳୟରେ ଭାରତୀୟ ଭାଷାର ବ୍ୟବହାର ପାଇଁ କେବେ ଠୁ ଆନ୍ଦୋଳନ ଚାଲିଛି । ଏମିତି ବି ୧୯୬୫ରୁ ଆଉ ବିଦେଶୀ ଭାଷାର ସ୍ଥାନ ନାହିଁ । ଅଷ୍ଟମ ସୂଚୀରେ କୌଣସି ବିଦେଶୀ ଭାଷାର ଉଲ୍ଲେଖ ନାହିଁ । ଭାରତର ପ୍ରଧାନ ବିଚାରପତି ମହୋଦୟ ଏ ଦିଗରେ କାର୍ଯ୍ୟ କରିବା ନିହାତି ଆବଶ୍ୟକ । ଲୋକଙ୍କ ଭାଷାରେ ବିଚାରାଳୟରେ କାର୍ଯ୍ୟ ନ ହେବା ଦ୍ଵାରା ଲୋକଙ୍କ ଠାରୁ ବିଚାରାଳୟ ଦୂରେଇ ଯାଉ ନାହିଁ କି ? ଭାରତୀୟ ଭାଷା ଆନ୍ଦୋଳନ, ନୂଆଦିଲ୍ଲୀରୁ ଅନେକ କାର୍ଯ୍ୟକ୍ରମ କରି ଚାଲିଛି । ‘ସତ୍ୟମେବ ଜୟତେ’ର ସଠିକ୍ ରୂପାୟନ ହେବ ସ୍ଥାନୀୟ ଭାଷା ବ୍ୟବହାର ହେଲେ ହିଁ । ନ୍ୟାୟାଳୟ ଲୋକାଭିମୁଖି ହେଲେ ସ୍ୱତଃ ନ୍ୟାୟର ମାନ ସମ୍ମାନ ବୃଦ୍ଧି ହେବ ।

  • ତପୋବନ, ଟିଟିଲାଗଡ
pp
Leave A Reply

Your email address will not be published.

12 − four =