csstore

କବିତା : ରାତିର୍ ସାଢ଼େ ଚାଏର୍

ପୁସ୍ତମ୍ ଯୁଆଡି

ଦିନ ସାରା କାମ୍‌ର ବୋଝ୍‌
ଘର୍’ନୁ ଅଫିସ୍‌
ଅଫିସ୍’ନୁ ଘର୍
ମକରା ଜାଲର୍‌ ଛଂଦି ଲେଖେଁ
ସତେ ଯେନ୍ତା ଗୁପ୍‌ଲିଛେ ଜୀବନ୍ !

ସାରା ସହର୍‌ଟାକେ
ଆବ୍‌ରୁଥିସି କିଲ୍‌ବିଲ୍ ଅଂଧାର୍,
ଇ ସମିଆକେ ଏକା
ଅସଁଖଲା କରି
ନିଜକେ ପାଲ୍‌ଟି ଦେସ ତମେ !!

ଝିଁକାରି ମାରୁଛେ, ରାଏତ୍ ବଢ଼ୁଛେ,
ଛାତି ତତୁଛେ, ମାଏଟ୍ ଶୀତ୍‌ଲୁଛେ
ଶୁନ୍‌ଶାନ୍ ଆକାଶ୍
ଜିଁଚେରେ ପଟ୍‌କ ନାଇଁ ଥେବୁଛେ
ତମେ ମୋର୍ କୁତି ଅଚାନକ୍ ଆଏଲା ବେଲ୍‌କେ
ଘଡି ଥି ସମିଆ ରାତିର୍ ଚାଏର୍‌ ବାଜି ଦୁଇ ମିନିଟ୍‌
ଦିନ୍ ଯାକର୍‌ ଉର୍‌ଘା ମେଟଉଥିଲିଁ କମଲ୍‌ ତଲେ !

କବାଟ ଠକ୍ ଠକ୍
ଚୁରି ଖନ୍ ଖନ୍ ଝନ୍ ଝନ୍
ପାଏଝଲ୍‌ ଛମ୍ ଛମ୍
ଘୁଲ୍‌ଘୁଲା ଢନ୍ ଢାନ୍
ଦଶରାର୍ ଦେବୀ ସବାର୍ ମେତାନ୍
ସମିଆ ଚାଏର୍‌ ବାଜି ଏଗାର ମିନିଟ୍ !

ନାଇଁ ନାଇଁ……
ତମେ ତ ପାଲ୍‌ଟି ଦେଇଛ ନିଜକେ
ଇଟା ମୋର୍ ମନର୍ ଭରମ୍ ହେଇଥିବା !

ଆସିଛ ଯେତେବେଲେ ବସ
ଖୋବ୍ ରାଏତ୍, ଘଣ୍ଟାରେ ସମିଆ ଚାଏର୍‌ ତେର
ଚାହା ଟିକେ ବସେଇ ଦେସିଁ ।
ତମର୍ ସିଗାରେଟ ବଏସେରା କେଁଜେ ?
ମୋର୍ ବି ତ’
ସିଗାରେଟର୍ ଫିସ୍ ଫିସ୍ କୁହୁଲାଥି
ଜଲୁଥେଁ ଛାତି, ଧୁଙ୍ଗିଆ ସାରା କ୍ୱାଟର୍
ତମେ ପଚ୍‌ରାଲ ମୋର୍ ଇଛା କାଣା ?
ଜବାବ ଦେଲିଁ
ଇଚ୍ଛାମନେ ନାଇଁ ନ ଇହାଦେ …..
ଶୁନୁଥିବେ କେନ ଫକିର ପଟନାଏକର୍ ଗୀତର ଧୂନ୍
କି ହେଇଯାଇଥିବେ ଅମୃତଲାଲ ସାହୁଙ୍କର୍
କେନ୍ ଉପନ୍ୟାସର ଗୁଟେ ଗୁଟେ ଚରିତ୍ର…..

ଚାହାଟା ପି’ ଦିଅ
ଶୀତ୍‌ଲି ଯିବା !
କଥା ହେମା ଯେ..
ଘଟି ଥି ଚାଏର୍‌ କୁଡେ଼ ।

ସପନ୍ ଦେଖାଲ
ଗୁଟେ ଅଜଣା ସହରର୍‌
ନାଇଁ
ଭୁଲେଁ ନାଇଁ ପଡେଁ
ଗୁର୍‌ଦୁ ବୁତା ଅଛେ ମୋର୍
ଏଡ଼େ ତୁର୍‌ତି ନାଇଁ ଯାଏଁ ।

ଆକ୍ୟୁରୀୟମର୍ ମାଛମାନେ ଖୋବ୍ ଭୁକେଁ
ଜନ୍ କେ ଉକିଆ ଦେବାର ବାକି ଅଛେ
ଫୁଲ୍’କେ ରସ୍
ନଏଦ୍ କେ ବୁହିବାର ଶିଖାମି
ଲେଖା ଯୁଖା ନାପ୍‌ଟେ ଦେମି
ସଂସାରକେ….

ଫଗୁନର୍ କହଁର
ପୀରତିର ଚିଠି
ପଠାବାର ଅଛେ ଦୂର…ଅନେକ ଦୂର
ଯ’ ତମେ ଫିରିଯ !!

ନି ଯାଏ” ବଲି ଜିଦ୍ ନାଇଁଯେ
ତମର୍ ପଛେ ପଛେ ଯାଉଛେଁ
ଯାହା ହେବା
ଜୀବନର୍ ଭାଗଶେଷ୍ ଥୁଇ ।

ଘଡି ଥି ସମିଆ ଚାଏର୍‌ ଅଠେଇଶ
ମନଭୁଲା କେ କାଏଁ ମନଧରା ଯେ
ଫୁଲର୍ ଦୁଲି ଝୁଲେଇ ଥ
ସୁନାର ପଲଁଙ୍କ୍ ସଜେଇ ଥ
ଥେବ, ଆଉ ଦିନାକେତେ
ପାପ ପୁଇନ୍ ହିସାବ ଦେଇ ଯିମି ।

ସମିଆ ସାଢେ଼ ଚାଏର୍‌
ତମେ ଫିରିଯ’ ନ…..

ମୁଇଁ ଙ୍କଶମି
କପଟିଆ ସକାଲ୍ କେ
ବକ୍ଷଝଏ ଦେଇ କଲା ଟିକା..!

କଁ କରେ କଁ…..
କଁ କରେ କଁ….
ଡକିଆ ଗଞ୍ଜା ଡାକି
ଫେର୍ କପଟିଆ ସକାଲ୍ ଟେ
ଉଜଲ୍ କରୁଥେ ମୋର ସହରକେ
ମୁଇଁ ଫିରୁଥେଁ ମୋର୍ ବର୍ତ୍ତମାନକେ !!

ଭୁତିବାହାଲ,ଗାଇସିଲାଟ,ବରଗଡ଼
ମୋ-୬୩୭୧୪୧୯୩୩୪

jayashree
Leave A Reply

Your email address will not be published.