କବିତା : ଅସରା

ପ୍ରଦୀପ କୁମାର ପଣ୍ଡା

ସବୁକିଛି ସରି ଯାଇନି ବସୁଧାରୁ
ଯାହା ଚକିତ କରେ ଆମକୁ,
ଯେମିତି ତୁମ ଆକାଶର ମେଘ ।

ଆକାଶର ନୀଳିମାର ବି ଏକ ପରିମାପ ଅଛି,
ଆଉ ଟିକିଏ ଅଧିକା କି କମ ହୋଇ ଯାଇଥିଲେ
ବିଗିଡି ଯାଇଥାନ୍ତା ଯେମିତି ବସୁଧାର ସଂଘଟନ ।

ହାଡ଼ମାଂସର ଖତରେ ଗାଢ଼ ହୁଏ ଅରଣ୍ୟର ସବୁଜିମା,
ଦଳେ ଚଢେଇ ଉଡି ଯା’ନ୍ତି
ଲିଭେଇ ଦେଇ ପଶ୍ଚିମାକାଶର ସିନ୍ଦୂର,
ଗାଁଗଣ୍ଡା ହୀନ ବିସ୍ତିର୍ଣ୍ଣ ମାଳଭୂଇଁରେ
ଦୂରକୁ ଲମ୍ବି ଯାଇଥିବା ସରୁ ରାସ୍ତାକଡ଼ରେ
ଏକଲା ଠିଆ ହୋଇ
ସାବିତ୍ କରୁଥାଏ ତା’ର ଅହଂକାର ଗଛଟିଏ ।

ପୋଲର ବାଡ଼ ଉପରେ ଠିଆ ହୋଇ
ହାତ ଠାରି ଡାକୁଥାଏ ପତଳା ଛାଇଟିଏ
ଦୂରରେ ହଜି ଯାଉଥିବା
ପାଲହୀନ ନୌକାକୁ ଜହ୍ନରାତିରେ ।
ବୈଶାଖ ମଧ୍ୟାହ୍ନରେ
କାନ୍ଧରେ ଗଣ୍ଠିମରା ବୁଜୁଳା ବୋହି
ଦୂର ଗାଁ’ରୁ ଧଁ ସଁ ଆସୁଥିବା ଅଜଣା ଲୋକକୁ
ଚିହ୍ନେ ତୁମର ଆତ୍ମା।
ପ୍ରଳୟ ଘୋଟି ଆସିବା ଆଗରୁ
ଥୁପ୍ କରି ଡେଇଁ ପଶିଆସେ ସୁରୁ ବେଙ୍ଗଟିଏ
କବାଟ କଣକୁ,
ମରିଯିବା ଆଗରୁ ପ୍ରଜାପତିଟି ଛାଡି ଦେଇଯାଏ
ଗୀତଟିଏ ତୁମର ପାପୁଲିରେ ।

ହେଏ ପିଲାମାନେ, ଆସ ଆସ କହି
ଅଗନାଅଗନି ବନସ୍ତ ଭିତରେ
ହଜି ଯାଇଥିବା ବୁଢା ଲୋକଟି
ଫେରିଆସେ ସ୍ବପ୍ନରେ ଦିନେ ନା ଦିନେ ।

ହଜିଯିବା ଆଗରୁ ଆକାଶରେ
ମେଘ ଖଣ୍ଡକର ନାଁ ସିନା ହେଲା ନାହିଁ ଦେଇ,
ହେଲେ ସବୁକିଛି ହୋଇ ଯାଇନାହିଁ ଶୂନ୍ୟ ବସୁଧାରୁ ।

ଟିକିଏ ଝାଡିଝୁଣି ହୋଇ
ବସୁଧା ସଜାଡି ନିଏ ନିଜକୁ
ଦୁର୍ବିପାକରେ।

ସମ୍ବଲପୁର
ମୋ.ନଂ.୯୪୩୭୧୪୮୭୦୯

Leave A Reply

Your email address will not be published.