- ସବିତା ଭୋଇ
ଆପଣା ଲୋକକୁ ହରାଇବା ଦୁଃଖ
ଅନୁଭବି ସିନା ବୁଝେ
ହୃଦୟ ଦରଦ ଦହି ଚାଲିଥାଏ
ଅବୁଝା ଲୁହରେ ଭିଜେ ,
ସମୟ ଚକରେ ଯୁଝେ ।
ଯହିଁ ଆଖି ପଡେ ଅଭୁଲା ଚେହେରା
ନାଚି ଯାଏ ଆଖି କୋଣେ
ଆଖେପାଖେ ସର୍ବେ ତଥାପି ଖୋଜଇ
ଝଲସେ ସ୍ମୃତିରେ ଜଣେ,
ଗୁଣିହୁଏ ତା’ର ଗୁଣେ ।
ଅଫେରା ରାଇଜେ ପାଦ ଯା’ର ପଡେ଼
କେଉଁ ଅଶୁଭ ବେଳାରେ
ପ୍ରିୟଜନ ତାକୁ ଯେତେ ଖୋଜିଲେ ବି
ପାଆନ୍ତି ନି ଜୀବନରେ,
ଶୂନ୍ୟସ୍ଥାନ ହୃଦୟରେ ।
ଜନମ ମରଣ ସବୁ ବିଧି ଖେଳ
ଏକଥା ବା କେ’ ନଜାଣେ
ଅକାଳେ ଝରିବା ଯନ୍ତ୍ରଣାଟା କେତେ
ସହିବା ଲୋକ ହିଁ ଜାଣେ,
ଭାଗ୍ୟକୁ ହିଁ ହୀନ ମଣେ । ।