- ପ୍ରହଲ୍ଲାଦ ଶତପଥୀ
ଆସ, ଦିହେଁ ମିଶି ଲେଖିବା କବିତା ଏଇ ଶତାବ୍ଦୀର
କବିତାରେ ଡେଇଁଯିବା ସୀମା ସରହଦ ଏଇ ପୃଥିବୀର ।
ହସକୁ ଡେଇଁଯାଏ କବିତା
ଠିକ ସେମିତି ଆମେ ଡେଇଁଯିବା ଆଖିସବୁରେ
ଢେଉ ଖେଳୁଥିବା ଲୁହ ସବୁକୁ ।
ଶବ୍ଦ ନାଆ ହୁଏ, ନାବିକ ହୁଏ
ଶବ୍ଦ ବେଳେବେଳେ ସମୁଦ୍ର ବି ହୁଏ ।
କବିତା ଭିତରକୁ ପଶି, ଆସ ଆଉଥରେ
ଉବୁଟୁବୁ ହେବା ।
ମଶାଣିର ନିଆଁ ନିଭି ବସିଲାଣି
କିଛି କିଛି ନିଆଁବୋଳା ଶବ୍ଦ ଖୋଜିବା
ଆସ ଦିହେଁ ମିଶି
ଶୀତ ଲହରୀରେ ଗଛର ଡାଳପତ୍ର,
ମାନବିକତାର ପାପୁଲି ଥଣ୍ଡା ପଡ଼ିଲାଣି ।
ଜାଣିଥିଲେ, ତମେ ଜାଣିଥିବ ଠିକଣା
ନିରୁଦ୍ଧିଷ୍ଟ ଈଶ୍ୱରଙ୍କର
ନିଆଁ ଲଗେଇ ଗାଡିକୁ, ଧାଇଁ ପଳେଇଥିବା
ଦୁବୃର୍ତ୍ତ ମାନଙ୍କର
ତମକୁ ଜଣା ଫୁଲ ଫୁଟେଇବାର କଳା
ତମେ ହିଁ ଆଙ୍କିପାର ପୃଥିବୀର ପିଠିରେ ଟାଟୁ
ଗଲା ବିଶ୍ୱଯୁଦ୍ଧର ।
ଆସ, ଦିହେଁ ମିଶି ଲେଖିବା
ଏଯାଏଁ ଲେଖି ପାରିନଥିବା କବିତା ମହାମାରୀର
ଆସ ପରସ୍ପରର ମୁହଁକୁ ମୁଖା ପରିକା ପିନ୍ଧିବା
ଯେତେବେଳେ ମଣିଷ ଶୁନ୍ୟ ହେବାକୁ ବସିଛି ପୃଥିବୀ ।
ଆସ, କବିତାରେ ଖୋଜିବା ଅନ୍ୟ ଏକ ଗ୍ରହକୁ
ବିଷାକ୍ତ ଆଜିର ଏଇ ପବନ
ବିଷାକ୍ତ ଏଠି ଜଳ, ଜୀବନ
ସୂର୍ୟ୍ୟ ବି ଏଠି କୃତ୍ରିମ
ଜହ୍ନ ଦିଶେ ଖଣ୍ଡିଆ,
ଆତତାୟୀ ଆତତାୟୀ ଏଠି
ମଣିଷର ମନ ।
ତମେ ଯୁଆଡେ ଅନେଇବ ଫୁଲ ଫୁଟିବ
ତମେ ଯୁଆଡେ ଯିବ,
ପଛେ ପଛେ ସକାଳ ଯିବ ।
ଆମେ ଦିହେଁ ମିଶି ଆସ,
ରାତିକୁ ନେଇ ଖୁବ ଦୂରରେ ଛାଡ଼ିଆସିବା
ରାତି ହିଂସ୍ର
ବୋବାଉଥିବା ଏକ୍ଲା କୁକୁରର ଥମୁନଥିବା
ଏକ ଲମ୍ବ କାନ୍ଦ ପରି ତା’ର ଏକାକୀତ୍ୱ
ରାତି ଏଠି ସମବେତ କଂଠରେ ପ୍ରାର୍ଥନାରତ
ତାରା ମାନଙ୍କର ନୀରବ ଡାକ ।
ରାତି ନିଇତି ମୋ ପାଖକୁ ଆସୁଥିବା
ତମର ଏକ ଅଧ ଲେଖା ଚିଠିର ଆକାଶ ।
ଆସ, ଏକାଠି ପଢିବା ଏଇ ରାତିକୁ
ଯା’ର ପ୍ରତିଟି ଅକ୍ଷର ଦରମରା ମୁମୂର୍ଷୁ
ଆସ, ଫିଟେଇବା ବାଟ ଏଇ ରାତିର
ଯା’ର ଅସଂଖ୍ୟ ଗୁମ୍ଫା ଓ ପ୍ରହେଳିକାପୂର୍ଣ କବାଟ ।
ଆସ, ସବୁ ରାସ୍ତା ଦେଇ ଯିବା, ସବୁ ଥରକ ପରି
ଓ ପୁଣି ଫେରିଆସିବା ପରସ୍ପର ପାଖକୁ । ।
ମୋ.ନଂ. : ୯୪୩୭୧୫୦୯୫୧