ଜ୍ୟୋତ୍ସାରାଣୀ ଭୋଇ (କିଟ୍ଟି)
ଓଷା କରିବାର ଉତ୍ସାହ ନେଇ
ଏକ ଗାମଲାର ଛୋଟ ବଟ ବୃକ୍ଷରେ
ସିନ୍ଦୂର ଚନ୍ଦନ ଧୂପ ଦୀପ ଟେକି
ମହକୁଥାଏ ସତୀ ମହକରେ ।
ଯା’ ହେଉ, ଦୁଇ ତିନି ବର୍ଷରେ
ସତୀତ୍ୱର ଡିଗ୍ରୀକୁ ପ୍ରାପ୍ତ କରିହେଲା
ଟିକେ ଅସ୍ପୃଶ୍ୟ ବୋଲି ।
ସାବିତ୍ରୀ କୁହେ –
ଏକା ସାଙ୍ଗରେ ବ୍ରତ କରି
ଉଚ୍ଚ ଜାତିର ମହିଳାଙ୍କ
ଲାଞ୍ଛନା ସହିବା ଠୁ ଅନେକ ଭଲ
ସାବିତ୍ରୀ ବ୍ରତ ନକରି
ନିଜ ଭିତରେ ନିଜେ
ସତୀ ହୋଇ ଜିଇଁବା ।
ବାପ ଘର ବିଲରେ
ତା’ ଅଭିମାନକୁ
ବର ଗଛ ମୂଳରେ ରଖି
କିଛି ଲୁହ ଢାଳି କହେ ମୋ ବ୍ରତର ସାଖି ତୁ
ମୋ ସତୀତ୍ୱ ତୋ ଡାଳ ପତ୍ରରେ ।
ବର ଗଛରେ
ସତୀତ୍ୱର ଓହଳ ସବୁ
ମାଟି ଛୁଇଁ ଗାଁ ସାରା
ଅମ୍ଳଜାନ ଖେଳେଇ ଯାଉଛି ।
ଗାଁ ମାଟିରେ
ଯନ୍ତ୍ରଣାର ଅଛୁଆଁ କଥାକୁ
ପବନରେ ଯାବୁଡି ଧରି
ବର ଗଛକୁ ହିିଁ କହୁଛି ।
ବର ଗଛ !
ଛୁଆଁ ଅଛୁଆଁ ଭାବିବୁନି
ପବନରେ ସବୁଠି ଖେଳିବୁ ।
ଖୋଜି ଦେବି
ତୋ’ ସହ ସାଥୀ ହେବା ପାଇଁ
ମୋ ଭଳି
କେତେକ ଅସ୍ପୃଶ୍ୟ ନାରୀଙ୍କୁ । ।