pakka

କବିତା : ନାଲି ରିବନ

  • ଶୁଭଶ୍ରୀ ମହାରଣା

ତୁ ଆସିଲୁ ବୋଲି ତ’
ମୋହ ତୁଟା ଏ ଜୀବନରେ
ଏବେ ନାଲି ରିବନ କାଟୁଛି ପ୍ରେମ
ଲାଗୁଛି, ପ୍ରେମଋତୁର ହେଇଛି ପୁନରାଗମନ ।

ଋତୁ ଏବେ ନୂଆ ନୂଆ
ପାଦ ଥାପିଛି ତାରୁଣ୍ୟରେ
ବେଫିକର୍‌ ଗୀତ ଗାଇ
ନିଜକୁ ହଜାଉଛି ଖିଆଲି ଭାବନାରେ ।

ତୁ ଆସିଲୁ ବୋଲି ତ’
ରାତି ଏବେ ଅନ୍ଧାରର ପରଳ ଚିରି
ହସୁଛି ପାହାନ୍ତାରେ
ଦିନକୁ ହାତ ଠାରି ଡାକେ
ଉଦୟଭାନୁର ତିଳକ ଟିପାରେ ।

ତୁ ଆସିଲୁ ବୋଲି ତ’
ଫୁଲ ଏବେ ପରସ୍ତ ପରସ୍ତ
ରଙ୍ଗ ଭରୁଛି
ଝାଉଁଳେଇ ଯାଉଥିବା ପାଖୁଡ଼ାରେ
ପତ୍ରରେ ପ୍ରିୟତମର ନାଁ ଲେଖି
ଭସାଇ ଦେଉଛି ପ୍ରେମର ତଟିନୀରେ ।

ସେ ତଟିନୀ ଏବେ ସାଗରମୁହାଁ,
ପ୍ରେମରେ ଉବୁଟୁବୁ
ତଟିନୀ ଓଠରେ ସାଗରର ବାଲି
ଚୁମି ଚୁମି ତଟିନୀର ପ୍ରଶ୍ନ –
ଏ ପ୍ରେମର ଅବଧି କେତେ ?

ପ୍ରଶ୍ନ ନ ସରୁଣୁ ସାଗର କହିଚାଲିଛି –
“ଚିରକାଳ ମୋ ଛାତିରେ ତୋର ଘର
ତୁ ଆସିଲୁ ବୋଲି ତ’
ମୁଁ ଏବେ ଭରା ଭରା
ମୋ ଦେହରେ ସଂଚରି ଯାଉଛି ଜୀବନ
ତୋ ପ୍ରେମରେ ବାନ୍ଧି ରଖିଲେ ରଖିବୁ,
ମାରିଲେ ମାରିବୁ,
ତୋ’ ଠାରେ ପ୍ରେମ, ତୋ’ ଠାରେ ମରଣ ।”

  • ଶିକ୍ଷୟିତ୍ରୀ, ବିଡାନାସୀ, କଟକ
Leave A Reply

Your email address will not be published.

seventeen − 16 =