ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ଭିଜିଲାନ୍ସ ଜାଲରେ ପଡିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ଏକ କାର୍(ନଂ-ଓଡ଼ି୧୫କେ ୬୧୧୧) ଯୋଗେ ଆଜି ସମ୍ବଲପୁର ଯାଉଥିବା ବେଳେ ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା ଟୋଲଗେଟ ନିକଟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଅଧିକାରୀମାନେ କାର୍ରୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପାଇଥିଲେ । ହେଲେ ଥାନା ଅଧିକାରୀ ଟଙ୍କାର ହିସାବ ଦେଇ ପାରି ନ ଥିବା ଜଣାପଡ଼ିଛି ।
ସେହିପରି ବରଗଡ଼ ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡିରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ରଞ୍ଜନ ପ୍ରଧାନ ଏକ ଜମି ବିବାଦର ସମାଧାନ ପାଇଁ ୭ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନା ଅନୁସାରେ ରୁଷୁଡ଼ା ଫାଣ୍ଡି ପଣ୍ଡକିପାଲି ଗ୍ରାମର ଚୈତନ୍ୟ କୁଦେଇଙ୍କଠାରୁ ସେହି ଲାଞ୍ଚ ଟଙ୍କା ନେଉବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲେ । ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ଏବଂ ରୁଷୁଡ଼ା ଫାଣ୍ଡି କନେଷ୍ଟବଳ ରଞ୍ଜନଙ୍କୁ ସମ୍ବଲପୁର ଭିଜିଲାନ୍ସ ଅଫିସରେ ଅଟକ ରଖି ଅଧିକ ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।