ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କିଛି ଦିନ ହେବ ସହରରେ ଜିଲ୍ଲା ପ୍ରସାଶନ ତରଫରୁ ଉଠା ଦୋକାନୀ ଉଚ୍ଛେଦ ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଛି । ଉଠା ଦୋକାନୀ ମାନଙ୍କୁ ସହରର ବିଭିନ୍ନ ଅଂଚଳରେ ଥଇଥାନ କରିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ଆଜି ଉଠା ଦୋକାନୀମାନେ ଜିଲ୍ଲା ପ୍ରଶାସନ ଦ୍ୱାରା କାରାଯାଇଥିବା ଥଇଥାନ ବ୍ୟବସ୍ଥାକୁ ନାପସନ୍ଦ କରିବା ସହ ସେମାନେ ଯେଉଁ ସ୍ଥାନରେ ଦୋକାନ କରିଛନ୍ତି, ତାଙ୍କୁ ସେହି ସ୍ଥାନରେ ଥଇଥାନ କରାଯାଉ ବୋଲି ଦାବୀ କରିଛନ୍ତି । ଆଜି ସକାଳୁ ପାଟଣାଗଡ ଓ ଟିଟିଲାଗଡ ରୋଡ ସ୍ଥିତ ବିଭିନ୍ନ ଉଠା ଦୋକାନୀ ମାନେ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଦର୍ଶନ ଯୋଗୁଁ ରାସ୍ତା ବନ୍ଦ ହେବା ଆଶଙ୍କାରେ ପୋଲିସ ସମସ୍ତ ବିକ୍ଷୋଭକାରୀଙ୍କୁ ଥାନା ପରିସରକୁ ନେଇ ଆସିଥିଲା । ପରେ ପରେ ବଲାଙ୍ଗିର ପୌରପାଳିକାର କାର୍ୟ୍ୟନିର୍ବାହୀ ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିବା ପରେ, ସମସ୍ତ ଉଠା ଦୋକାନୀଙ୍କୁ ନିଜର ଦୋକାନ ଓ ଠିକାଣାର ଏକ ତାଲିକା ପ୍ରଦାନ କରିବା ପାଇଁ କହିବା ସହ ଆସନ୍ତା ୩ ଦିନ ଭିତରେ ଜିଲ୍ଲା ପ୍ରଶାସନ ଏହି ସମସ୍ୟା ବିଷୟରେ ଗୁରୁତ୍ୱର ସହ ବିଚାର କରିବା ସହ ସମାଧାନର ରାସ୍ତା ପ୍ରସ୍ତୁତ କରିବ ବୋଲି ଆଶ୍ୱାସନା ଦେଇଥିଲେ ।
ପ୍ରକାଶ ଯେ, କରୋନା ଯାତନାରେ ଉଠା ଦୋକାନୀମାନଙ୍କ ଅର୍ଥନୈତିକ ଅବସ୍ଥା ସଂପୁର୍ଣ୍ଣ ରୁପେ ଭାଙ୍ଗି ପଡିଥିବା ବେଳେ ଅନ୍ଲକ୍ ପରେ ସେମାନେ ରାସ୍ତା କଡରେ ଦୋକାନ ଖୋଲି ଥିଲେ । କିଛି ପ୍ରଇଭେଟ ଲୋନ୍ କରିଥିବା ବେଳେ ଆଉ କିଛି ଉଠା ଦୋକାନୀଙ୍କୁ ସରକାର ପ୍ରଦତ୍ତ ଦଶ ହଜାର ଟଙ୍କା ଲୋନ୍ କରି କରି କୌଣସି ମତେ ନିଜର ଜୀବିକା ଉପାର୍ଜନ କରୁଥିଲେ । କିନ୍ତୁ ବିଗତ କିଛି ଦିନ ହେବ ତାଙ୍କୁ ତାଙ୍କର ପରିବାର ପୋଷଣ କରୁଥିବା ଦୋକାନରୁ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅତି ନିର୍ଦ୍ଦୟ ଭାବେ ତଡି ଦିଆଯାଇଛି । ରାସ୍ତା କଡରେ ବିଭିନ୍ନ ଦୋକାନ କରି ଯାହା କିଛି ରୋଜଗାର କରୁଥିଲେ, ପ୍ରଶାସନ ପ୍ରଦତ୍ତ ପେଲେସ ପଡିଆରେ ସେଭଳି ରୋଜଗାର ହେବ ବୋଲି କୌଣସି ଆଶା ନାହିଁ । ଏଭଳି ସ୍ଥିତିରେ ତାଙ୍କର ପରିବାରର ଭରଣ ପୋଷଣ ଅନିଶ୍ଚିତତାର ଅନ୍ଧାର ଭିତରେ । ତେଣୁ ସମସ୍ତ ଉଠା ଦୋକାନୀମାନେ ଯେଉଁଠି ଅଛନ୍ତି, ଜିଲ୍ଲା ପ୍ରଶାସନ ତାଙ୍କୁ ସେଇଠି ହିଁ ଥଇଥାନ କରନ୍ତୁ ବୋଲି ଉଠା ଦୋକାନୀମାନେ ପ୍ରକାଶ କରିଛନ୍ତି ।