ବାଉଁଶ ଶିଳ୍ପୀଙ୍କୁ ଉଦ୍ୟୋଗ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ମୁନିଗୁଡା. (କେପିଏନ୍‌ଏସ୍‌) : ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ସହାୟତାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗାଁର ୩୦ ଜଣ ସ୍ଵୟଂ ସହାୟକ ଦଳର ସଭ୍ୟାଙ୍କୁ ଉଦ୍ୟୋଗ ବିକାଶ କାର୍ୟ୍ୟକ୍ରମ (ଏମ୍.ଇ.ଡିପି) ଆଧିନରେ ବାଉଁଶ ଶିଳ୍ପ ତାଲିମ କାଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ପ୍ରକଳ୍ପ ପରିଚାଳକ ହୃଷିକେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଭିଆର ପଟ୍ଟନାୟକ ଶାଖା ପରିଚାଳକ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ମୁନିଗୁଡା ଶାଖା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ତାଲିମ କାର୍ୟ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ୧୨ ଦିନିଆ ତାଲିମ କାର୍ୟ୍ୟକ୍ରମର ଉଦ୍‌ଘାଟନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନୀଳାଚଳ ସାହୁ କ୍ଷେତ୍ର ଅଧିକାରୀ ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ, ମୁନିଗୁଡା, ରିତୁ ପାଣିଗ୍ରାହୀ କ୍ଷେତ୍ରାଧିକାରୀ ଆକ୍ସିସ୍ ବ୍ୟାଙ୍କ ମୁନିଗୁଡା, ଏକାଦଶୀ ବାରିକ ତାଲିମ ଦାତା କଟକ, ମନୋରଂଜନ ଦଲେଇ ବରିଷ୍ଠ ସାମ୍ବାଦିକ ମୁନୁଗୁଡା ପ୍ରମୁଖ ମଂଚାସୀନ ଥିଲେ । କାର୍ୟ୍ୟକ୍ରମ ବିଷୟରେ ସୂଚନା ଦେଇ ଶ୍ରୀ ସାହୁ କହିଥିଲେ କି, ମୁନିଖୋଲ ଗ୍ରାମରେ ଥିବା ସ୍ବୟଂ ସହାୟକ ଦଳର ୩୦ ଜଣ ପାରମ୍ପରିକ ବାଉଁଶଶିଳ୍ପୀ ଙ୍କୁ ୧୨ ଦିନ ତାଲିମ ପ୍ରଦାନ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ, ଯଦ୍ବାରା ସେମାନେ ପାରମ୍ପରିକ ବାଉଁଶ କାରିଗରୀ କୌଶଳ ଶିଖୀବା ସହିତ ବଜାର ଚାହିଦା ମୁତାବକ ନୂଆ ନୂଆ ଉତ୍ପାଦ ଉପଲବ୍ଧ କରାଇପାରିବେ । ଯଦିଓ ଏମାନେ ବାଉଁଶ କୁଟୀର ଶିଳ୍ପକୁ କୌଳିକ ବୃତି ହିସାବରେ ବହୁ ଦିନରୁ କରିଆସୁଛନ୍ତି ତଥାପି ଏମାନଙ୍କୁ ଆହୁରି ବାଉଁଶ ଶିଳ୍ପର ଦକ୍ଷତା ଆବଶ୍ୟକ ରହିଛି । ଏଣୁ ସେମାନଙ୍କ ଦକ୍ଷତା ବୃଦ୍ଧି, ନୂତନ ଉତ୍ପାଦନ, ବଜାରୀକରଣ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଦିର ଲକ୍ଷ୍ୟ ନେଇ ନାବାର୍ଡ ସହାୟତାରେ ଏହି ଉଦ୍ୟୋଗ ବିକାଶ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି । ଏହା ସହିତ ଆଗାମୀ ଦିନରେ ଏକ ଉତ୍ପାଦକ ସଂଘ ମାଧ୍ୟମରେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟଗୁଡିକର ବଜାରୀକରଣ କରାଯିବ । ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସୟଂ ସହାୟକ ଦଳର ମହିଳା ମାନଙ୍କୁ ଆର୍ଥିକ ସାକ୍ଷରତା ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ତଥା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବିଭିନ୍ନ ବ୍ୟାଙ୍କ ସେବା ବିଷୟରେ କହିଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ଦଲେଇ ନାବାର୍ଡ ତଥା ମହାଶକ୍ତି ଅନୁଷ୍ଠାନ ତରଫରୁ ମିଳୁଥିବା ଏହି ତାଲିମ ସୁଯୋଗର ସଦବ୍ୟବହାର କରି ଆର୍ଥିକ ସ୍ୱାବଲମ୍ବୀ ହେବାକୁ ଉପସ୍ଥିତ ମହିଳା ମାନଙ୍କୁ ଆହ୍ବାନ ଦେଇଥିଲେ ତାଲିମ ଦାତା ଶ୍ରୀ ଏକାଦଶୀ ବାରିକ ସବୁବେଳେ କିଛି ନୂଆ କରିବାର ଲକ୍ଷ୍ୟ ନେଇ ତଥା ନିଜ ଚତୁଃପାର୍ଶ୍ଵରେ ମିଲୁଥୁବା ସମ୍ବଳର ସଦବ୍ୟବହାର କରି ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ । ୧୨ ଦିନ ଶୃଙ୍ଖଳିତ ଭାବରେ ତାଲିମ ଗ୍ରହଣ କଲେ ନିଶ୍ଚିତ ଭାବରେ ସେମାନଙ୍କ ଜୀବନ ଜୀବିକାରେ ଏହାର ସୁପ୍ରଭାବ ପଡିବ ବୋଲି କହିଥିଲେ । କାର୍ୟ୍ୟକ୍ରମଟିକୁ ଅନୁଷ୍ଠାନ ତରଫରୁ ପ୍ରଶାନ୍ତ ମହାରଣା, ନରେନ୍ଦ୍ର ହିଆଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.