om academy

କଂଟାବାଂଜି ଜିଆର୍‌ପି ପୋଲିସ ଦ୍ୱାରା ଗତ ରାତିରେ ୫୬ ପୁରୁଷ,୧୮ ମହିଳା ସହ ୧୩ ନାବାଳକ ଦାଦନ ଶ୍ରମିକ ଉଦ୍ଧାର : ୩ ଦାଦନ ସର୍ଦ୍ଦାର ଫେରାର

jsm

କଂଟାବାଂଜି, (ମନିଶ କୁମାର ହଂସ) : ମଂଗଳବାର ରାତି ସାଢେ ୧୧ଟା ସମୟରେ କଂଟାବାଂଜି ଓ ଟିଟିଲାଗଡ ଜିଆର୍‌ପି ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମିଳିତ ଭାବେ ପ୍ଲାଟ ଫର୍ମ ନଂ.୨ରେ ଚଢାଉ କରି ୭୪ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଛି । ସମସ୍ତ ୭୪ଜଣ ଦାଦନ ଶ୍ରମିକଙ୍କ ମଧ୍ୟରୁ ୫୬ ଜଣ ପୁରୁଷ,୧୮ ଜଣ ମହିଳା ଓ ୧୩ ଜଣ ଶିଶୁ ଶ୍ରମିକକୁ ଘଟଣାସ୍ଥଳରୁ ଉଦ୍ଧାର କରିଛି । ଉଦ୍ଧାର ସମୟରେ କେତେକ ପୁରୁଷ ଦାଦନ ଶ୍ରମିକଙ୍କ ସହ ତିନି ଜଣ ଦାଦନ ସର୍ଦ୍ଦାର ପ୍ଲାଟ ଫର୍ମରୁ ଫେରାର ହୋଇଯାଇଥିଲେ । ମିଳିଥିବା ସୂଚନା ଅନୁସାରେ ଏଲଟିଟିଇ ଲୋକମାନ୍ୟ ତିଲକ୍‌–ବିଶାଖାପାଟଣା ସ୍ପେସାଲ ଟ୍ରେନରେ ରାତିରେ ଦାଦନ ଶ୍ରମିକ ଭାବେ ହାଇଦ୍ରାବାଦକୁ ଶ୍ରମିକମାନଙ୍କୁ ଚାଲାଣ କରାଯାଉଥିଲା । ଚାଲାଣ କରୁଥିବା ୩ ସର୍ଦ୍ଦାରମାନେ କଂଟାବାଂଜି ଆଶ୍ରମ ପଡାର ଯୁବନ ମାଝି, ରାଜୁ ଖାନ ଓ ରାଜା ଖାନ ବୋଲି କଂଟାବାଂଜି ଜିଆରପି କହିଥିବା ବେଳେ ରାତିରେ ହିଁ ସେମାନେ ଫେରାର ହୋଇଯାଇଥିବାରୁ ପୋଲିସ ଗିରଫ କରିପାରି ନାହିଁ । ଏହା ପରେ ଜିଆରପି ପୋଲିସ କଂଟାବାଂଜି ଶ୍ରମ ଇନ୍ସପେକ୍ଟରଙ୍କୁ ରାତିରେ ଖବର ଦେଇଥିଲେ । ଚାଲାଣ ହେଉଥିବା ଶ୍ରମିକମାନଙ୍କ ପାଖରେ ଯାତ୍ରା ଟିକଟ ନ ଥିବା ବେଳେ ମୁଭ୍‌ମେଂଟ ଅର୍ଡର ମଧ୍ୟ ନ ଥିବାରୁ ଜିଆରପି ପୋଲିସ ଶ୍ରମିକମାନଙ୍କୁ ରାତିରେ ଅଟକ ରଖି ବୁଧବାର ସକାଳୁ ସଂପୃକ୍ତ ଅଂଚଳର ଗ୍ରାମବାସୀ ଏବଂ ପରିବାର ବର୍ଗଙ୍କୁ ସ୍ଥାନୀୟ ତହସିଲଦାର ତଥା ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଅଶୋକ କୁମାର ମାଝି, କଂଟାବାଂଜି ଥାନା ଆଇଆଇସି ସତ୍ୟଜିତ କନ୍ଦନକେଲଙ୍କ ଉପସ୍ଥିତିରେ ଜିମା ଦେବା ସହ ସେମାନଙ୍କ ଗାଁମାନଙ୍କୁ ପଠାଇଥିଲେ । ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନେ ବେଲପଡା, ପାଟାଣାଗଡ, ଲୋଇସିଂହା, ଗୋଲାମୁଣ୍ଡା, ବଙ୍ଗୋମୁଣ୍ଡା, ସିନ୍ଧେକେଲା ଥାନା ଅଂଚଳର ବୋଲି ଜଣାପଡିଛି । ବେଆଇନ ଭାବେ ଚାଳାଣ କରୁଥିବା ଫେରାର ତିନି ଜଣ ଦାଦନ ସର୍ଦ୍ଦାରଙ୍କ ବିରୁଦ୍ଧରେ ଟିଟିଲାଗଡ ଜିଆରପି କେସ ନଂ.୩୯/୨.୧୨.୨୦୨୦ ରୁଜୁ କରି ଅଧିକ ଅନୁସଂଧାନ କରୁଥିବା କଂଟାବାଂଜି ଜିଆରପି ସବ୍‌ ଇନ୍ସପେକ୍ଟର ମୋହନ କୁମାର ନାୟକ ସୂଚନା ଦେଇଛନ୍ତି । ଏହି ଚଢଉରେ ଟିଟିଲାଗଡ ଜିଆରପି ଇନ୍ସପେକ୍ଟର ଅବନୀ କୁମାର ସାହୁ, ସବ୍‌ ଇନ୍ସପେକ୍ଟର ସି. ତିର୍କି, ଏଏସଆଇ ଏଲ. ଦଣ୍ଡସେନା ଓ କଂଟାବାଂଜି ଏଏସଆଇ ଉମେଶ କୁମାର ଅହିର ଚଢାଉରେ ସାମିଲ ଥିଲେ ।

Leave A Reply

Your email address will not be published.