om academy

ଟ୍ୱିଟର ଯୋଗେ ଉପାନ୍ତ ଗାଁର ସେଫାଳି ପାଇଲେ ସଫଳତା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିକାଲି ଯୁବପିଢ଼ି ସ୍ମାର୍ଟ ମୋବାଇଲ କେବଳ ସାମାଜିକ ଗଣମାଧ୍ୟମ ବ୍ୟବହାର କରିବା ପାଇଁ ରଖିଥାନ୍ତି । ଏହି ସାମାଜିକ ଗଣମାଧ୍ୟମର ଅପବ୍ୟବହାର ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅନେକ ଅସହାୟ ସାମାଜିକ ଗଣମାଧ୍ୟମ ପାଇଁ ସହାୟତା ପାଇ ପାରୁଛନ୍ତି ଏଥିରେ ସନ୍ଦେହ ନାହିଁ । ସୂଚନାଯୋଗ୍ୟ ଯେ, ଏମିତି ଏକ ଗାଁର ଜଣେ ଉଚ୍ଚ ଶିକ୍ଷିତା ଯୁବତୀ ଅଛନ୍ତି ଯିଏ ଘରେ ଥାଇ ଲୋକଙ୍କ ପାଖରେ କିପରି ସରକାରୀ ସାହାଯ୍ୟ ପହଞ୍ଚି ପାରିବ ସବୁବେଳେ ଚିନ୍ତା କରୁଛନ୍ତି । ଏମିତି ଗୋଟିଏ ଗାଁ ଯେଉଁଠାରେ ନେଟୱର୍କ ମଧ୍ୟ ଠିକ୍ ଭାବେ ପାଏନାହିଁ । ସେହି ଗାଁର ଯୁବତୀ ଜଣଙ୍କ କଥା ଯେଉଁ ଗାଁରେ ଟୁଇଟର, ଫେସବୁକ ବିଷୟରେ ଅଧାରୁ ଅଧିକ ଲୋକ ଜାଣିନାହାଁନ୍ତି । ବରଗଡ଼ ଜିଲ୍ଲା ଉପାନ୍ତ ଅଞ୍ଚଳ ଭାବେ ପରିଚିତ ଗାଇସିଲେଟ ବ୍ଲକର ରାଇସଲପଦର ଗାଁର ସେଫାଳି ସାହୁଙ୍କ କଥା । ସେଫାଳି ପ୍ରତ୍ୟେକ ଦିନ ସକାଳୁ ଉଠିବା ପରେ ଦୈନନ୍ଦିନ କାର୍ୟ୍ୟ ଆରମ୍ଭ କରିଥାନ୍ତି । ଏହି କାର୍ୟ୍ୟର ସର୍ବାଗ୍ରେ ଥାଏ ବିଭିନ୍ନ ଖବରକାଗଜ ପଢିବା ସହିତ ସୋସିଆଲ ମିଡ଼ିଆ ଜରିଆରେ ଆସୁଥିବା ଖବର ଗୁଡ଼ିକ ଅନୁଧ୍ୟାନ କରିବା । ଏହି ଖବରକାଗଜ ମାନଙ୍କ ଜରିଆରେ ଅସହାୟ ମାନେ କେଉଁଠି ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ତ କେଉଁ ଗାଁରେ ରାସ୍ତା ନାହିଁ ପ୍ରଭୃତି ଖବର ଉପରେ ତାଙ୍କ ନଜର ଅଟକି ରହିଯାଏ । ଏହାପରେ ସେ ସଙ୍ଗେ ସଙ୍ଗେ ଉକ୍ତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଟୁଇଟ ଜରିଆରେ ଅବଗତ କରିଥାନ୍ତି । ଏହି ସବୁ କରିବା ପାଇଁ ତାଙ୍କୁ ନେଟୱର୍କ ସମସ୍ୟା ଯୋଗୁଁ ତାଙ୍କ ଛାତ ଉପରକୁ କିମ୍ବା ବାଡ଼ିକୁ ବାରମ୍ବାର ଯିବାକୁ ପଡିଥାଏ । ନିଜ ଟୁଇଟ ଜରିଆରେ ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟ ସରକାରଙ୍କ ସହାୟତା ପଠାଇବା ପାଇଁ ଉଦ୍ୟମ କରିଥିଲେ ଯେଉଁଥି ପାଇଁ ଶ୍ରମ ବିଭାଗ ତରଫରୁ ତାଙ୍କ ଉତ୍ତର ମିଳିବା ସହ ପ୍ରଶଂସା ମଧ୍ୟ ପାଇଥିଲେ ସେଫାଳି । ନିକଟରେ ଗୋଟିଏ ନାବାଳକ ଶିଶୁ ପାଠପଢାରୁ ବଞ୍ଚିତ ହୋଇ ଜୋତା ପାଲିସ କରୁଥିବା ବିଷୟ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏହା ଦେଖି ସେଫାଳି ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପିଲାର ପାଠପଢା ପାଇଁ ମୋବାଇଲ ଯୋଗାଇବା ସକାଶେ ଅନୁରୋଧ କରିଥିଲେ । ଆଜି ଉକ୍ତ ନାବାଳକ ହାତରେ ମୋବାଇଲ ଦେଇଛି ରାଜଗାଙ୍ଗପୁର ପୌର ପ୍ରଶାସନ । ତେବେ ଏହି ଖବର ସେଫାଳିଙ୍କୁ ଟୁଇଟ ଯୋଗେ ପୌର ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି ଏହାପରେ ଖୁସି ଅନୁଭବ କରିଛନ୍ତି ଏହି ଉପାନ୍ତ ଗାଁର ଯୁବତୀ ସେଫାଳି ସାହୁ । ଏପରି ଅନେକ ସମସ୍ୟା ବିଷୟରେ ସେ ଟୁଇଟ ଏବଂ ଫେସବୁକ ଯୋଗେ ରାଜ୍ୟ ତଥା ବାହାର ସମସ୍ୟା ଗୁଡ଼ିକ ମଧ୍ୟ ଉକ୍ତ ରାଜ୍ୟ ସରକାରମାନଙ୍କ ପାଖକୁ ପହଞ୍ଚାଇବାର ମାଧ୍ୟମ ସାଜିଛନ୍ତି ସେଫାଳି । ବର୍ତ୍ତମାନ ସମୟରେ ଯୁବପିଢ଼ି ସାମାଜିକ ଗଣମାଧ୍ୟମର ଦୁର୍ବ୍ୟବହାର କରି ପଥଭ୍ରଷ୍ଟ ହେଉଥିବା ବେଳେ ସେଫାଳି ପରି ଅନେକ ଯୁବକ ଯୁବତୀ ଏହି ମାଧ୍ୟମ ଜରିଆରେ ଲୋକଙ୍କ ସମସ୍ୟା ଗୁଡ଼ିକୁ ସରକାରଙ୍କ ପାଖରେ ସହଜରେ ପହଞ୍ଚାଇ ସମାଧାନ ଦିଗରେ ସହଯୋଗ କରୁଛନ୍ତି ଏହା ନିଶ୍ଚିତ ଭାବରେ ପ୍ରଶଂସାଯୋଗ୍ୟ ।

Leave A Reply

Your email address will not be published.