କରୋନା ଫେରିବା ପରେ ଗଂଜାମ ଜିଲ୍ଲା ପ୍ରଶାସନ ପୁଣି ତତ୍ପର

ଗଂଜାମ, (କେ.ସତ୍ୟନାରାୟଣ ରେଡ୍ଡୀ) : ବର୍ତ୍ତମାନ କରୋନା ଫେରିବା ପରେ ଗଂଜାମ ଜିଲ୍ଲା ପ୍ରଶାସନ ପୁଣି ତତ୍ପରତା ପ୍ରକାଶ କରିଛି । ଆଜି ଏନେଇ ଏକ ଭି.ସି. ବୈଠକରେ ସମସ୍ତ ବିଷୟକୁ ତଦାରଖ କରିବା ସହ ଆଗାମୀ କାର୍ୟ୍ୟପନ୍ଥା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମତ ଦେଇଥିଲେ । ଏପ୍ରିଲ ମାସରୁ ଯାତ୍ରା ପାଳନ ସମୟ ଆରମ୍ଭ ହେଉଛି । ଏହି ସମୟରେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ମା’ ତାରାତାରିଣୀ ଯାତ୍ରା ଓ ଦଣ୍ଡଯାତ୍ରା ପାଳିତ ହେବାରୁ ଗହଳିଚହଳି ରହିବ । ସତର୍କତା ଅବଲମ୍ବନ ନକଲେ କରୋନା ସଂକ୍ରମଣ ନିଶ୍ଚିତ ରୂପେ ବୃଦ୍ଧି ପାଇବ । ସମସ୍ତ କାର୍ୟ୍ୟାଳୟରେ ମଧ୍ୟ ମାସ୍କ ପରିଧାନ, ସାନିଟାଇଜେସନ, ସାମାଜିକ ଦୂରତା ଓ ହାତଧୁଆ ଭଳି ନିୟମ କଡ଼ାକଡ଼ି ପାଳନ କରାଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଗତ କିଛିଦିନ ହେଲା ଗଂଜାମରେ କରୋନାରେ ୧୧ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । କୋଭିଡ଼୍ ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ ହେଲେ ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରବାସୀ ଭାରତୀଙ୍କୁ ଦଣ୍ଡନାଚ, ତାରାତାରିଣୀ ଯାତ୍ରା, ବୁଢ଼ୀ ଠାକୁରାଣୀ ଯାତ୍ରା, ଦୋଳ ଯାତ୍ରା ପାଳନ ନିମନ୍ତେ ଜିଲ୍ଲାକୁ ନ ଆସିବାକୁ କୁହାଯାଇଛି । ସେମାନେ ନ ଆସିଲେ ଗଂଜାମ ଜିଲ୍ଲାରେ ରହୁଥିବା ତାଙ୍କ ପରିବାର ବର୍ଗ ସଂକ୍ରମିତ ହେବେ ନାହିଁ ଏବଂ ସେମାନଙ୍କ ଅମୂଲ୍ୟ ଜୀବନ ସୁରକ୍ଷିତ ରହିବ । କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହେବ । ସାଂସ୍କୃତିକ କାର୍ୟ୍ୟକ୍ରମ ଅଭ୍ୟାସ ଓ ପରିବେଷଣ ବେଳେ କୋଭିଡ଼୍ ନିୟମ ଅନୁପାଳନ ନିହାତି କରିବାକୁ ଜଣାଇଥିଲେ । ଦଣ୍ଡନାଚରେ ମଧ୍ୟ ଭୋଜିଭାତ ହେବ ନାହିଁ । କେବଳ ଦଣ୍ଡୁଆମାନଙ୍କ ଦ୍ୱାରା ଦିନକୁ ଥରେ ମାତ୍ର ଖାଉଥିବା ପ୍ରସାଦ ପାରମ୍ପରିକ ସେବନ ପାଇଁ ଅନୁମତି ଦିଆଯାଇଛି । ମ୍ୟୁଜିକ୍‌, ଡ଼ିଜେ, ଡ଼୍ୟାନସ ସଂପୂର୍ଣ୍ଣ ବାରଣ କରାଯାଇଛି । ଯେଉଁମାନେ କୋଭିଡ଼୍ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ । ସଂପ୍ରତି ମନ୍ଦିରଗୁଡ଼ିକରେ କୋଭିଡ଼୍ ନିୟମ ଅନୁପାଳନ ହେଉନାହିଁ । କୋଭିଡ଼୍ ନିୟମ ଅନୁପାଳନ ନକରାଯାଇ ଖୋଲାଯାଉଥିବା ମନ୍ଦିରଗୁଡ଼ିକ ଦୁଇଦିନ ସକାଶେ ବନ୍ଦ କରିଦିଆଯିବ । ମନ୍ଦିର ଅଂଚଳରେ ଭୋଜିଭାତ ସଂପୂର୍ଣ୍ଣ ମନା । ଏପରିକି ମା’ ତାରାତାରିଣୀ ପୀଠରେ ଭୋଜିଭାତ କରି ଖାଇବାକୁ ବାରଣ କରାଯାଇଛି । ପୁନର୍ବାର ମନ୍ଦିର ଖୋଲିବା ନିମନ୍ତେ ମନ୍ଦିର ପରିଚାଳନା କମିଟି ଠାରୁ ଅଣ୍ଡରଟେକିଂ ଲେଖି ମନ୍ଦିର ଖୋଲିବାକୁ ଅନୁମତି ଦିଆଯିବ । କୋଭିଡ଼୍ ମହାମାରୀ ସମୟରେ ଯେଉଁସବୁ ନିୟମ ଗୁଡ଼ିକର ଅନୁପାଳନ କରାଯାଉଥିଲା ତାକୁ ପୁଣି କାର୍ୟ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବସ୍‌ଗୁଡ଼ିକରେ ଯାତ୍ରୀମାନେ ବିନା ମାସ୍କରେ ଯାତ୍ରା କରୁଛନ୍ତି । ଏଥିସକାଶେ ସଂପୃକ୍ତ ବସ୍‌ଗୁଡ଼ିକୁ ଦାୟୀ କରାଯିବ । ଗ୍ରାମାଞ୍ଚଳରେ ବାହାର ରାଜ୍ୟ କିମ୍ବା ଦେଶରୁ ଲୋକ ଆସିଲେ ସତର୍କ ରହିବାକୁ କୁହାଯାଇଛି । ବିନା ଅନୁମତିରେ କୌଣସି କାର୍ୟ୍ୟକ୍ରମ ଯେପରି ହେବ ନାହିଁ ସେଥି ନିମନ୍ତେ ଦୃଷ୍ଟଇ ଦେବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଦୁଇଟି ଟୀକା ଗ୍ରହଣ କରିଥିଲେ ମଧ୍ୟ ସତର୍କ ରହିବା ଜରୁରୀ । ସତର୍କ ରହିଲେ ହିଁ କରୋନାଠାରୁ ନିଜକୁ ସୁରକ୍ଷିତ ରଖିହେବ ବୋଲି ଜିଲ୍ଲାପାଳ କହିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦିବ୍ୟଲୋଚନ ମହନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚିବ ସମ୍ବିତ ରାଉତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପରିକ୍ଷତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.