jayashree

ଆସନ୍ତା ୧୧ରେ ଆନ୍ତର୍ଜାତୀୟ ବକ୍ତା ସିଷ୍ଟର ଶିବାନୀଙ୍କ ପାଇଁ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ରରେ ସଂସ୍ଥାର ନିର୍ଦ୍ଦେଶିକା ରାଜଯୋଗିନୀ ବିମଳା ଦିଦିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଆନ୍ତର୍ଜାତୀୟ ଖ୍ୟାତନାମା ବକ୍ତା ସିଷ୍ଟର ଶିବାନୀଙ୍କ ପାଇଁ ନଭେମ୍ବର ୧୧ ତାରିଖରେ ସେକ୍ଟର ୨ ଦୁର୍ଗାପୂଜା ପଡ଼ିଆରେ ଏକ ବିଶାଳ ସଭାର ଆୟୋଜନ କରାଯାଇଛି । ଯେଉଁଥିରେ ୨୦,୦୦୦ ବ୍ୟକ୍ତିବିଶେଷ ଅନଲାଇନ୍ ରେଜିଷ୍ଟ୍ରେସନ କରିଛନ୍ତି । ଏକ ଗଭୀର ବ୍ୟବହାରିକ ପ୍ରସଙ୍ଗ “ଅସ୍ଥିର ବାତାବରଣରେ ମନର ଶାନ୍ତି” ଉପରେ ତାଙ୍କର ବ୍ୟାଖ୍ୟାନକୁ ଶୁଣିବା ପାଇଁ ରାଉରକେଲା ସହରରେ ଏକ ଉତ୍ସୁକତା ରହିଛି । ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପାସ୍‌ର ବ୍ୟବସ୍ଥା ରଖାଯାଇଛି । ଯେଉଁଥିରେ ରାଉରକେଲା ତଥା ଆଖପାଖ ଅଞ୍ଚଳର ବ୍ରହ୍ମାକୁମାରୀ ସେବା କେନ୍ଦ୍ର ଗୁଡିକରୁ ପାସ୍ ସଂଗ୍ରହ କରିବା ପାଇଁ ବହୁସଂଖ୍ୟକ ଲୋକମାନଙ୍କ ପ୍ରବଳ ଭିଡ଼ ଲାଗି ରହିଥିବା ପରିଲକ୍ଷିତ ହୋଇଛି । ଯେଉଁମାନେ ରେଜିଷ୍ଟ୍ରେସନ କରି ପାରିନାହାନ୍ତି କିନ୍ତୁ ଭାଗ ନେବା ପାଇଁ ଇଚ୍ଛୁକ, ସେମାନେ ୯ ତାରିଖ ଶୁଦ୍ଧା ପାସ୍ ସଂଗ୍ରହ କରିବାକୁ କୁହାଯାଇଛି । ଏହି ପାସ୍ ଗୁଡ଼ିକ ସେବା କେନ୍ଦ୍ରମାନଙ୍କରେ ଏବଂ ସେକ୍ଟର ୨ ଦୁର୍ଗାପୂଜା ପଡ଼ିଆରେ ଉପଲବ୍ଧ ରହିବ । ଏହା ବ୍ୟତୀତ, ସେକ୍ଟର ୧୮ ସୋସିଆଲ ହୋମ୍‌ୋ (ଉପହାର) ପାନିପଥରୁ ଆସୁଥିବା ପ୍ରତିଷ୍ଠିତ ଜାତୀୟ ପ୍ରେରଣାଦାୟୀ ବକ୍ତା ବରିଷ୍ଠ ରାଜଯୋଗ ଶିକ୍ଷିକା ଅନିତା ଦିଦିଙ୍କ ଦ୍ୱାରା ଏକ ନିଃଶୁଳ୍କ ରାଜଯୋଗ ଶିବିରର ମଧ୍ୟ ଆୟୋଜନ କରାଯାଇଛି । ଏହି ଶିବିର ସକାଳ ୬.୩୦ ରୁ ୮ ଟା ଅଥବା ସନ୍ଧ୍ୟା ୬.୩୦ ରୁ ୮ ଟା ପର୍ଯ୍ୟନ୍ତ ନଭେମ୍ବର ୧୨ ରୁ ୧୪ ତିନିଦିନ ଧରି ଅନୁଷ୍ଠିତ ହେବ । ବ୍ୟସ୍ତମୟ ଜୀବନର ସରଳ ସମାଧାନ ସ୍ୱରୂପ ଏହି ଆକର୍ଷଣୀୟ ଶିବିରରୁ ଲାଭ ଉଠାଇବା ପାଇଁ ରେଜିଷ୍ଟ୍ରେସନ କରିପାରନ୍ତି କିମ୍ବା ନିଜର ନାମକୁ କେନ୍ଦ୍ରରେ ତାଲିକାଭୁକ୍ତ କରିବାକୁ ସମସ୍ତଙ୍କୁ ନିବେଦନ କରାଯାଉଛି । ସୂଚନାଯୋଗ୍ୟ ଯେ, ୧୧ ନଭେମ୍ବର ଶିବାନୀ ଦିଦିଙ୍କ କାର୍ଯ୍ୟକ୍ରମ ନିମନ୍ତେ ବ୍ରହ୍ମାକୁମାରୀ କେନ୍ଦ୍ର ଗୁଡିକରେ ନଭେମ୍ବର ୮ ତାରିଖ ପାସ୍ ମିଳିବାର ଶେଷ ତାରିଖ ରଖାଯାଇ ଥିଲେ ମଧ୍ୟ ନଭେମ୍ବର ୯ ତାରିଖରେ ସେକ୍ଟର ୨ ଦୁର୍ଗାପୂଜା ପଡ଼ିଆରେ ପାସ୍ ମିଳିବାର ବ୍ୟବସ୍ଥା କରାଯାଇଛି । ରାଉରକେଲାରେ ପ୍ରଥମ ଥର ପାଇଁ ଏଭଳି ଏକ ବିଶେଷ ସୁନ୍ଦର କାର୍ଯ୍ୟକ୍ରମକୁ ଉପଭୋଗ କରିବା ନିମନ୍ତେ ସଂସ୍ଥା ପକ୍ଷରୁ ନମ୍ର ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରାରମ୍ଭରେ ମିତା ଭଉଣୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିକେ ଅଞ୍ଜଳି, ବିକେ ପ୍ରିୟଙ୍କା, ବିକେ ଭାରତୀ, ବିକେ ବିଦ୍ୟା, ବିକେ ତ୍ରିଷ୍ଣା, ବିକେ ପୂଜା, ଶରତ ଭାଇ, ଅରୁଣ ଭାଇ, ଅମୂଲ୍ୟ ଭାଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.