ଆଜି ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ଦ୍ୱାଦଶାହ : ବଲାଙ୍ଗିର ସାମ୍ବାଦିକ ଭବନରେ ଅନୁଷ୍ଠିତ ହେବ ସମୂହ ଶ୍ରଦ୍ଧାଂଜଳି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ଦ୍ୱାଦଶାହ । ଏହି ଅବସରରେ ବଲାଙ୍ଗିର ସାମ୍ବାଦିକ ଭବନରେ ଅନୁଷ୍ଠିତ ହେବ ସମୂହ ଶ୍ରଦ୍ଧାଂଜଳି ସଭା । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ମାଟିର ସାମ୍ବାଦିକ ଜଗତର ପିତାମହ ଭୀଷ୍ମ ସତ୍ୟନାରାୟଣ ୮୪ ବର୍ଷ ବୟସରେ ଗତ ୨୯ ତାରିଖ ଦିନ ଇହଲୀଳା ସମ୍ବରଣ କରିଥିଲେ । ସମସ୍ତଙ୍କୁ ଭଲ ପାଇବାର ସ୍ୱର୍ଗୀୟ ଗୁଣର ଅଧିକାରୀ ଥିଲେ ବଲାଙ୍ଗିର ସାମ୍ବାଦିକ ଜଗତର ପିତାମହ ଭୀଷ୍ମ ସ୍ୱର୍ଗତ୍‌ ସତ୍ୟନାରାୟଣ ବେହେରା । ବୟସର ଅପରାହ୍ନରେ ମଧ୍ୟ ତାଙ୍କ ଭିତରେ ରହିଥିବା ଯୁବକ ସୁଲଭ ଚଂଚଳତା ତାଙ୍କୁ ଦେଇପାରିଥିଲା ଏକ ସ୍ୱତନ୍ତ୍ର ପରିଚୟ । ସବୁଠାରୁ ବଡ଼ କଥା ହେଲା, ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ସେ ସାମ୍ବାଦିକତା କରିଛନ୍ତି । ଅନ୍ୟ ସମସ୍ତଙ୍କ ଦୁଃଖ ଓ ଦାବୀକୁ ଲୋକଲୋଚନକୁ ଆଣିବା ପାଇଁ ସାରା ଆୟୁଷ୍କାଳ ତପସ୍ୱାରତ ଥିଲେ । ପ୍ରତିଟି ସଂପର୍କ ପାଇଁ ଯଥୋଚିତ ନିଷ୍ଠା ତାଙ୍କ ମଧ୍ୟରେ ନିହିତ ଥିଲା । ଏକାଧାରରେ ସେ ଜଣେ ସାମ୍ବାଦିକ, ଲେଖକ, ଚଳଚ୍ଚିତ୍ର ଅଭିନେତା ତଥା ସୁବକ୍ତା । ସାମ୍ବାଦିକତା କ୍ଷେତ୍ରରେ ସାରା ଓଡ଼ିଶାରେ ସେ ସୁନାମ ଅର୍ଜନ କରିଥିଲେ । ପରୋପକାରୀ ମନୋଭାବ ଓ ସମସ୍ତଙ୍କୁ ଆପଣାର କରିନେବାର ପଗଳ୍ଭପଣରେ ସେ ଜଣେ ସଫଳ ପୁରୁଷ ଥିଲେ ବଲାଙ୍ଗିର ମାଟିରେ । ତାଙ୍କ ସ୍ନେହ, ଶ୍ରଦ୍ଧାରେ ଏତେ ଆତ୍ମୀୟତା ଥିଲା ଯେ, ସାରା ଓଡ଼ିଶାରେ ଯିଏ ବି ତାଙ୍କୁ ଥରେ ଭେଟିଛି, ସେ ନିଶ୍ଚୟ ମନେରଖିଛି । ତାଙ୍କ ଭଳି ଜଣେ ଦିବ୍ୟ ପୁରୁଷଙ୍କୁ ହରାଇ ବଲାଙ୍ଗିର ମାଟି ଅନେକ କିଛି ହରାଇଛି । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ପାଇଁ ବଲାଙ୍ଗିର ସାମ୍ବାଦିକ ଭବନରେ ସମୂହ ଶ୍ରଦ୍ଧାଂଜଳି ସଭାର ଆୟୋଜନ କରାଯାଇଛି ।

Leave A Reply

Your email address will not be published.