ବିଶ୍ଵ ଆଦିବାସୀ ଦିବସ ଅବସରରେ ସଂକଳ୍ପ ସଭା

ଟିଟିଲାଗଡ, (ଗୌରବ ଦର୍ଜୀ) : ପୃଥିବୀରେ ଶତକଡା ୫ ପ୍ରତିଶତ ଆଦିବାସୀ ବସବାସ କରୁଛନ୍ତି । ସାରା ବିଶ୍ୱରେ ୫୦ କୋଟିରୁ ଉର୍ଦ୍ଧ ଆଦିବାସୀଙ୍କ ଜନସଂଖ୍ୟା ପ୍ରାୟ ୭ ହଜାରରୁ ଉର୍ଦ୍ଧ ଆଦିବାସୀ ଭାଷା ପ୍ରଚଳିତ ଥିବା ବେଳେ ୫ ହଜାରରୁ ଉର୍ଦ୍ଧ ସଂସ୍କୃତି ରହିଛି । ୯ ଅଗଷ୍ଟ ୧୯୮୨ ମସିହା ଜେନେଭା ଠାରେ ମିଳିତ ଜାତିସଂଘର ସାଧାରଣ ପରିଷଦ ଆଦିବାସୀ ମାନଙ୍କ ବିଲୁପ୍ତ ପ୍ରାୟ ଭାଷା ଓ ସଂସ୍କୃତିର ସୁରକ୍ଷା ସଂରକ୍ଷଣ ଏବଂ ପୁନଃ ଉଦ୍ଧାର ପାଇଁ ପ୍ରସ୍ତାବ ଗୃହୀତ କରିଥିଲେ । ୧୯୯୪ରେ ବିଶ୍ଵ ଆଦିବାସୀ ଦିବସ ବା ଆନ୍ତର୍ଜାତୀୟ ଆଦିବାସୀ ଦିବସ ପାଳନ କରିବା ପାଇଁ ସଂକଳ୍ପ ପାଳିତ ହୋଇଆସୁଛି । ପୃଥିବୀର ୯୦ଟି ଦେଶ ୧୯୯୪ ମସିହାରୁ ଏହି ଦିବସ ପାଳନ କରି ଆସୁଛନ୍ତି । ୧୯୯୫ରୁ ୨୦୦୪ ପ୍ରଥମ ବିଶ୍ୱ ଆଦିବାସୀ ଦଶନ୍ଧି ଘୋଷଣା କରିଥିଲେ ୟୁନାଇଟେଡ ନେସନ୍‌ର ସ୍ଥାୟୀ ଆଦିବାସୀ ପରିଷଦ । ଉକ୍ତ ଦଶନ୍ଧିରେ ଆଦିବାସୀଙ୍କ ଶିକ୍ଷା, ସଂସ୍କୃତି, ଅର୍ଥନୈତିକ ବିକାଶ ପାଇଁ ସହଯୋଗ ଓ ପ୍ରୋତ୍ସାହନର ବିଷୟ ବସ୍ତୁ ଥିବା ବେଳେ ୨୦୦୫ରୁ ୨୦୧୫କୁ ୨ୟ ଦଶନ୍ଧିରେ ଆଦିବାସୀ ଜୀବନ ଶୈଳୀ, ପ୍ରଥା, ପରମ୍ପରା, କିମ୍ବଦନ୍ତୀ, ଇତିହାସ ଉପରେ ଫିଲ୍ମ ନିର୍ମାଣ, ଆଦିବାସୀ ମାନଙ୍କ ପାଇଁ ମାନବିକ ଅଧିକାର, ମର୍ଯ୍ୟାଦା, ଅସ୍ମିତାର ସହିତ ବିକାଶ, ଆଦିବାସୀଙ୍କ ପାଇଁ ଗଣମାଧ୍ୟମ ସଶକ୍ତିକରଣ ପାଇଁ ବିଭିନ୍ନ ରାଷ୍ଟ୍ର କାର୍ଯ୍ୟ କରିଥିଲେ । ପରିବେଶ ସୁରକ୍ଷାରେ ଆଦିବାସୀଙ୍କ ଅବଦାନକୁ ମିଳିତ ଜାତିସଂଘ ପ୍ରଶଂସା କରିଥିଲେ । ଆଦିବାସୀ ଜମି, ଜଳ, ଜଙ୍ଗଲ, ଜୀବନ ଜୀବିକାର ସୁରକ୍ଷା, ଅବକ୍ଷୟ ମୁଖି ଆଦିବାସୀ ଭାଷା, ସଂସ୍କୃତି, ଧର୍ମ, କଳା, ଭାସ୍କର୍ଯ୍ୟ, ନୈପୁଣତାର ପୁନରୁଦ୍ଧାର ପାଇଁ ମିଳିତ ଜାତିସଂଘର ସଦସ୍ୟ ଗଣ ସହଯୋଗ କରିବାକୁ ପରିଷଦରେ ପ୍ରସ୍ତାବ ପାରିତ ହୋଇଛି । ଆଦିବାସୀ ମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଚିକିତ୍ସା, ସୁବ୍ୟବସ୍ଥା, ସୁନିଶ୍ଚିତ କରିବା ଉପରେ ରାଷ୍ଟ୍ରମାନଙ୍କୁ ଦାୟିତ୍ଵ ନିହିତ କରିଛନ୍ତି । ବିଶ୍ଵ ଆଦିବାସୀ ଦିବସ ପାଳନ ଅବସରରେ ସର୍ବପ୍ରାଚୀନ ଏବଂ ସମୃଦ୍ଧିଶାଳି ପ୍ରଥା ପରମ୍ପରା, ସଂସ୍କୃତି, ବିଲୁପ୍ତ ପ୍ରାୟ ଭାଷା, ଜମି ଜଳ, ଜଙ୍ଗଲ, ପରିବେଶର ସୁରକ୍ଷା କରି ବାୟୁ ମଣ୍ଡଳର ଏବଂ ଜୈବ ବିବିଧତା ସୁରକ୍ଷା କରିବା ମୂଳ ଉଦ୍ଦେଶ୍ୟ । ଆଜି ଟିଟିଲାଗଡ ବ୍ଲକ ଆଦିବାସୀ ଭବନଠାରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବ୍ଲକ ସଭାପତି ପଦ୍ମନ୍ ପ୍ରାଧାନୀଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ପାଳିତ ହୋଇଯାଇଛି । ଟିଟିଲାଗଡର ଘଣ୍ଟାସୁନି ମନ୍ଦିରରୁ ବାଜା ବାଦ୍ୟ ବଜାଇ ଆଦିବାସୀ ପରମ୍ପରାର ଝଲକ ସହିତ ନୃତ୍ୟ ପରିବେଷଣ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ । ଆଦିବାସୀଙ୍କ ସମସ୍ୟା ସମ୍ବର୍ଦ୍ଧିତ ୭ ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉତ୍କଳ କନ୍ଧ ସମାଜର କେନ୍ଦ୍ର କମିଟି ସଭାପତି ଚିନ୍ତାମଣି ଭୋଇ, ମାଝୀ ପ୍ରଗଣାର ସମ୍ପାଦକ ବିରଞ୍ଚି ଭୋଇ, ସିଟି ସ୍କୁଲର ପ୍ରିନ୍ସିପଲ୍, ଯୁବରାଜ ମାଝୀ, ସମ୍ମାନିତ ଅତିଥି ଭାବେ ଲିଲି ମାଝୀ, ଗୋଲାପି ମାଝୀ, ରିନା ମାଝୀ, ହରି ମାଝୀ, ଗୋଲକ ସିଂହ ଭୋଇ ପ୍ରମୁଖ ଉଦବୋଧନ ଦେଇଥିଲେ ।

Leave A Reply

Your email address will not be published.