
- କୃଷକଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସତର୍କ
- କୃଷକ କଲ୍ୟାଣ ଆମ ପାଇଁ ସର୍ବୋପରି, ସମ୍ଭାବ୍ୟ ଏଲ୍ ନିନୋ ପ୍ରଭାବ ପାଇଁ ସରକାର ପ୍ରସ୍ତୁତ: କୃଷି ମନ୍ତ୍ରୀ
- ମୌସୁମୀ ପୂର୍ବାନୁମାନ ମଧ୍ୟରେ, କୃଷି ମନ୍ତ୍ରଣାଳୟର ପ୍ରସ୍ତୁତି: ଜଳ, ବିହନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ଶ୍ରୀ ଶିବରାଜ ସିଂହ
- କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହଙ୍କ ନେତୃତ୍ୱରେ ଉନ୍ନତ ଜଳ ସଂରକ୍ଷଣ ଏବଂ ସମୟୋଚିତ ପ୍ରସ୍ତୁତି ମାଧ୍ୟମରେ ଖରିଫ ଉପରେ ପ୍ରଭାବକୁ ସୀମିତ କରିବାର ରଣନୀତି
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି କୃଷି କ୍ଷେତ୍ରର ବର୍ତ୍ତମାନର ସ୍ଥିତି ଏବଂ ଆଗାମୀ ଖରିଫ ଋତୁ ପାଇଁ ପ୍ରସ୍ତୁତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରି କୃଷି ସଚିବ ଏବଂ ସମ୍ପୃକ୍ତ ବରିଷ୍ଠ ଅଧିକାରୀମାନଙ୍କୁ କୃଷକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ପାଣିପାଗ ପୂର୍ବାନୁମାନ, ଜଳ ଉପଲବ୍ଧତା, ଫସଲର ସ୍ଥିତି, ବିହନ ଏବଂ ଅନ୍ୟାନ୍ୟ କୃଷି ଉପକରଣର ବ୍ୟବସ୍ଥା, ରାଜ୍ୟଗୁଡ଼ିକର ପ୍ରସ୍ତୁତି ଏବଂ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିର ମୁକାବିଲା ପାଇଁ କାର୍ଯ୍ୟ ଯୋଜନା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସମୀକ୍ଷା ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଗୁରୁତ୍ୱାରୋପ କରିଥିଲେ ଯେ କୃଷକଙ୍କ କଲ୍ୟାଣ ଆମ ପାଇଁ ସର୍ବାଧିକ ପ୍ରାଥମିକତା ଏବଂ ସମ୍ଭାବ୍ୟ ଏଲ୍ ନିନୋର ପ୍ରଭାବକୁ ମୁକାବିଲା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
ଏହି ବୈଠକରେ ସୂଚନା ଦିଆଯାଇଥିଲା ଯେ ଭାରତୀୟ ପାଣିପାଗ ବିଭାଗ (ଆଇ. ଏମ୍. ଡି.) ୨୦୨୬ ମସିହାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ଠାରୁ କମ୍ ହେବାର ସମ୍ଭାବନା ରହିଛି ଏବଂ ସାରା ଦେଶରେ ଦୀର୍ଘକାଳୀନ ହାରାହାରି (ଏଲ୍. ପି. ଏ.) ର ପ୍ରାୟ ୯୨ ପ୍ରତିଶତ ମୌସୁମୀ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏହା ମଧ୍ୟ ସୂଚିତ କରାଯାଇଥିଲା ଯେ ମୌସୁମୀ ଋତୁରେ ଏଲ୍ ନିନୋ ପରିସ୍ଥିତି ବିକଶିତ ହୋଇପାରେ, ଯଦିଓ ଚୂଡ଼ାନ୍ତ ଏବଂ ଅପଡେଟ୍ ମୂଲ୍ୟାଙ୍କନ ମେ ୨୦୨୬ ର ଶେଷ ସପ୍ତାହରେ ଜାରି କରାଯିବ। ସମୀକ୍ଷା ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ସ୍ପଷ୍ଟ କରିଛନ୍ତି ଯେ ପାଣିପାଗ ସମ୍ବନ୍ଧୀୟ ପୂର୍ବାନୁମାନକୁ ଗୁରୁତ୍ୱର ସହ ନେଇ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତିର ସହ ଆଗକୁ ବଢ଼ୁଛନ୍ତି ଏବଂ କୃଷକମାନଙ୍କୁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ସେ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ, ଉନ୍ନତ ଜଳ ପରିଚାଳନା, ଉନ୍ନତ ପ୍ରଯୁକ୍ତିବିଦ୍ୟା, ଜଳସେଚନ ସୁବିଧାର ସମ୍ପ୍ରସାରଣ ଏବଂ ଜଳବାୟୁ ଅନୁକୂଳ କୃଷି ପଦକ୍ଷେପ ମାଧ୍ୟମରେ ସମ୍ଭାବ୍ୟ ଆହ୍ୱାନର ପ୍ରଭାବକୁ ଉଲ୍ଲେଖନୀୟ ଭାବେ ନିୟନ୍ତ୍ରଣ କରାଯାଇପାରିବ।
ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଆଲୋକପାତ କରାଯାଇଥିଲା ଯେ ବର୍ତ୍ତମାନ ଦେଶର ଜଳଭଣ୍ଡାରଗୁଡ଼ିକରେ ଜଳ ସ୍ତର ସନ୍ତୋଷଜନକ ସ୍ଥିତିରେ ରହିଛି ଏବଂ ସାମଗ୍ରିକ ସଂରକ୍ଷଣ ସ୍ୱାଭାବିକଠାରୁ ଭଲ ରହିଛି। ଉପଲବ୍ଧ ଆକଳନ ଅନୁଯାୟୀ, ଏହି ଅବଧିରେ ଜଳଭଣ୍ଡାରର ସଂରକ୍ଷଣ ସାଧାରଣ ସ୍ତରର ୧୨୭.୦୧ ପ୍ରତିଶତ ରହିଛି, ଯାହା ଖରିଫ ଋତୁରେ ଜଳସେଚନ ଆବଶ୍ୟକତା ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିବ ଏବଂ ଆର୍ଦ୍ରତା ଅଭାବର ଆଶଙ୍କାକୁ ଯଥେଷ୍ଟ ହ୍ରାସ କରିବ। ଏହି ଆଧାରରେ, ବୈଠକରେ ଆକଳନ କରାଯାଇଥିଲା ଯେ ସମ୍ଭାବ୍ୟ ଏଲ୍ ନିନୋ ପ୍ରଭାବ ସତ୍ତ୍ୱେ, କୃଷି କ୍ଷେତ୍ର ଉପରେ ଏହାର ପ୍ରଭାବ ପୂର୍ବ ଦୃଷ୍ଟାନ୍ତ ତୁଳନାରେ ଅପେକ୍ଷାକୃତ କମ୍ ରହିବାର ସମ୍ଭାବନା ରହିଛି। ବିଶେଷ କରି ଉନ୍ନତ ଜଳ ଉପଲବ୍ଧତା, କ୍ଷୁଦ୍ର ଜଳସେଚନ, ବୈଜ୍ଞାନିକ ପରାମର୍ଶ, ଫସଲ ବିବିଧକରଣ ଏବଂ ସମୟୋଚିତ ହସ୍ତକ୍ଷେପ କାରଣରୁ ଚାଷ ପୂର୍ବ ଅପେକ୍ଷା ଅଧିକ ଦକ୍ଷ ଏବଂ ଅନୁକୂଳ ହୋଇପାରିଛି।
ସମୀକ୍ଷା ସମୟରେ, ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ୨୦୦୦ ରୁ ୨୦୧୬ ମଧ୍ୟରେ, କୃଷି ଉତ୍ପାଦନ ଉପରେ ଏଲ୍ ନିନୋର ପ୍ରଭାବ ଅପେକ୍ଷାକୃତ ଅଧିକ ସ୍ପଷ୍ଟ ଥିଲା, କାରଣ ସେହି ସମୟରେ ବର୍ଷା ନିର୍ଭରଶୀଳତା ଅଧିକ ଥିଲା, ଏବଂ ଜଳବାୟୁ ବିପଦର ମୁକାବିଲା ପାଇଁ ବ୍ୟବସ୍ଥା ବର୍ତ୍ତମାନ ତୁଳନାରେ ସୀମିତ ଥିଲା। ସାମ୍ପ୍ରତିକ ବର୍ଷଗୁଡ଼ିକରେ ବୈଷୟିକ ପ୍ରଗତି, ଉନ୍ନତ କୃଷି ପରିଚାଳନା, ଜଳ ସଂରକ୍ଷଣ, ଜଳସେଚନ ନେଟୱାର୍କର ସମ୍ପ୍ରସାରଣ ଏବଂ ଉନ୍ନତ ବିହନ ବ୍ୟବହାର ଫସଲ ଉତ୍ପାଦନରେ ଅଧିକ ସ୍ଥିରତା ଆଣିଛି। କେତେକ ଫସଲ, ବିଶେଷ କରି ଧାନ, ଅପେକ୍ଷାକୃତ ଅଧିକ ସ୍ଥିରତା ପ୍ରଦର୍ଶନ କରୁଥିବାବେଳେ ଅନ୍ୟ ଫସଲ ପାଇଁ ମଧ୍ୟ ଉପଯୁକ୍ତ ପରିଚାଳନା ପଦକ୍ଷେପ ପ୍ରସ୍ତୁତ କରାଯାଉଛି ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଯେ କ୍ଷେତ୍ର-ନିର୍ଦ୍ଦିଷ୍ଟ ଏବଂ ଫସଲ-ନିର୍ଦ୍ଦିଷ୍ଟ ରଣନୀତି ମାଧ୍ୟମରେ କୃଷକମାନଙ୍କୁ ସମୟୋଚିତ ପରାମର୍ଶ, ବିହନ, ସମ୍ବଳ ଏବଂ ବିକଳ୍ପ ପ୍ରଦାନ କରିବା ଉପରେ ସରକାରଙ୍କ ଧ୍ୟାନ ରହିଛି।
କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ରାଜ୍ୟ ଯେକୌଣସି ପ୍ରତିକୂଳ ପାଣିପାଗ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ବଜାୟ ରଖିବା ଏବଂ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଆକସ୍ମିକ ଯୋଜନାକୁ ସକ୍ରିୟ କରିବା। ସେ କହିଛନ୍ତି ଯେ ମଞ୍ଜି, ସାର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ କୃଷି ଉପକରଣର ଉପଲବ୍ଧତା ସୁନିଶ୍ଚିତ କରିବା ସହିତ ବିକଳ୍ପ ଫସଲ, ବିଳମ୍ବରେ ବୁଣିବା ରଣନୀତି ଏବଂ ମରୁଡ଼ି-ସହନଶୀଳ କିସମର ପ୍ରୋତ୍ସାହନ ଉପରେ ଗୁରୁତ୍ୱ ଦିଆଯିବା ଉଚିତ, ଯାହା ଦ୍ୱାରା କୃଷକମାନେ ବ୍ୟବହାରିକ ଏବଂ ତ୍ୱରିତ ସମାଧାନ ପାଇପାରିବେ। ବୈଠକରେ ସୂଚନା ଦିଆଯାଇଥିଲା ଯେ ଉଭୟ ଖରିଫ ଏବଂ ରବି ଋତୁ ପାଇଁ ବିହନ ଉପଲବ୍ଧତା ଆବଶ୍ୟକତାଠାରୁ ଅଧିକ, ଏବଂ ଆକସ୍ମିକ ପରିସ୍ଥିତି ପାଇଁ ଜାତୀୟ ବିହନ ସଂରକ୍ଷଣର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ପ୍ରସ୍ତୁତିର ଉଦ୍ଦେଶ୍ୟ ହେଉଛି ଏହା ସୁନିଶ୍ଚିତ କରିବା ଯେ ଯଦି ପ୍ରତିକୂଳ ପାଣିପାଗ କୌଣସି ଅଞ୍ଚଳକୁ ପ୍ରଭାବିତ କରେ, ତେବେ ବିକଳ୍ପ ବିହନ ଏବଂ ଉପଯୁକ୍ତ କିସମ ତୁରନ୍ତ ସେଠାରେ ଯୋଗାଇ ଦିଆଯାଇପାରିବ।
ଶ୍ରୀ ଚୌହାନ ସ୍ପଷ୍ଟ କରିଛନ୍ତି ଯେ କୃଷକମାନଙ୍କୁ ଯେକୌଣସି ଅସୁବିଧାରୁ ରକ୍ଷା କରିବା ପାଇଁ ଏକ ତଦାରଖ ବ୍ୟବସ୍ଥା ସକ୍ରିୟ ରହିଛି ଏବଂ ପରିସ୍ଥିତିର ନିୟମିତ ସମୀକ୍ଷା କରାଯାଉଛି। ରାଜ୍ୟଗୁଡ଼ିକ ସହିତ ନିରନ୍ତର ସମନ୍ୱୟ, ଫସଲ ପାଣିପାଗ ନିରୀକ୍ଷଣ, ଜିଲ୍ଲା କୃଷି ଆକସ୍ମିକ ଯୋଜନାର ଅପଡେଟ୍ ଏବଂ ସଙ୍କଟ ପରିଚାଳନା ପାଇଁ ସଂସ୍ଥାଗତ ବ୍ୟବସ୍ଥା ମାଧ୍ୟମରେ ସମୟୋଚିତ ନିଷ୍ପତ୍ତି ସୁନିଶ୍ଚିତ କରାଯାଉଛି। ଶ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ କେବଳ ସମ୍ଭାବ୍ୟ ବିପଦର ଆକଳନ କରିବା ନୁହେଁ, ବରଂ ଏଭଳି ସମସ୍ତ ପଦକ୍ଷେପ ଆଗୁଆ ନେବା, ଯାହାଦ୍ୱାରା କୃଷକମାନଙ୍କ ଆତ୍ମବିଶ୍ୱାସ ଅକ୍ଷୁର୍ଣ୍ଣ ରହିବ, ଚାଷ କାର୍ଯ୍ୟ ଜାରି ରହିବ, ଏବଂ ଖରିଫ ଋତୁ ସୁରୁଖୁରୁରେ ଆଗକୁ ବଢ଼ିପାରିବ। ଉନ୍ନତ ଜଳ ପରିଚାଳନା, ଜ୍ଞାନକୌଶଳର ବିକାଶ, ଉନ୍ନତ କୃଷି ପଦ୍ଧତି ଏବଂ ସମୟୋଚିତ ପଦେକ୍ଷପ ମାଧ୍ୟମରେ ସମ୍ଭାବ୍ୟ ଆହ୍ୱାନର ପ୍ରଭାବକୁ ହ୍ରାସ କରାଯାଇପାରିବ ଏବଂ କୃଷକଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ କରାଯାଇପାରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।
ଐତିହାସିକ ତୁଳନା ପ୍ରଗତି ଦର୍ଶାଉଛି: ୨୦୧୬ ପୂର୍ବର ଏଲ୍ ନିନୋ ସମୟରେ, ସୀମିତ ଭିତ୍ତିଭୂମି କାରଣରୁ ଏହାର ପ୍ରଭାବ ଅଧିକ ଗୁରୁତର ଥିଲା; ସମ୍ପ୍ରସାରିତ ଜଳସେଚନ, ଜଳବାୟୁ ଅନୁକୂଳ ମଞ୍ଜି ଏବଂ କଡ଼ା ନିରୀକ୍ଷଣ ଦ୍ୱାରା ସୁଦୃଢ଼ ଆଜିର ବ୍ୟବସ୍ଥା-ଆଶ୍ୱାସନା ଦେଉଛି ଯେ ବର୍ତ୍ତମାନ ବାଧାବିଘ୍ନ ସୀମିତ ହେବ। ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ନିରନ୍ତର ସମନ୍ୱୟ-ଫସଲ ଏବଂ ପାଣିପାଗ ନିରୀକ୍ଷଣ ଏବଂ ସଂସ୍ଥାଗତ ସଙ୍କଟ ପରିଚାଳନା ପ୍ରୋଟୋକଲ ଦ୍ୱାରା ଆହୁରି ମଜବୁତ ହୋଇ କୃଷକଙ୍କ ଆତ୍ମବିଶ୍ୱାସ ଏବଂ ଖରିଫ ଚାଷର ନିରବଚ୍ଛିନ୍ନ ଗତିକୁ ସୁନିଶ୍ଚିତ କରିଥାଏ ।