ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜ ବୋଡାସମ୍ବର ହାଇସ୍କୁଲ, ପ୍ରତିଷ୍ଠା ଦିବସର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ ଜୁବ୍ଲି ପାଳନ କରୁଛି । ଏଇ ପରିପ୍ରେକ୍ଷୀରେ ଆଜି ହାଇସ୍କୁଲ ପରିସରରେ ପ୍ଲାଟିନମ ଜୁବୁଲି ପାଳନ କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ସମାରୋହ ଏକ ଭବ୍ୟ ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି । ୧୯୪୪ ରୁ ୧୯୬୫ ପର୍ୟ୍ୟନ୍ତ ବରିଷ୍ଠ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ କନିଷ୍ଠ ପୁରାତନ ଛାତ୍ର ମାନେ ସମ୍ବର୍ଦ୍ଧନା ଦେବା କାର୍ୟ୍ୟକ୍ରମ ବେଶ ନିଆରା ଥିଲା । ସମାରୋହ ପୂର୍ବରୁ ଅନୁଷ୍ଠିତ ଅଶୋକ କୁମାର ବହିଦାରଙ୍କ ସଂଯୋଜିତ ସଭାରେ କମିଟିର ସଭ୍ୟ ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ମୁଖ୍ୟ ସଂଯୋଜକ ଡଃ ମାନଭଞ୍ଜନ ପ୍ରଧାନ, ହାଇସ୍କୁଲ ପ୍ରଧାନ ଶିକ୍ଷକ ସରୋଜ କୁମାର ଭୁଏ, ଉପ ସଭାପତି ମନୋରଞ୍ଜନ ସିଂ ବରିହା ଓ ସଂପାଦକ ପ୍ରଫେସର ଡଃ ବିରଞ୍ଚି ସାହୁ ମଞ୍ଚାସୀନ ଥିଲେ । ମା’ ସମଲେଇ ଏବଂ ବାଗଦେବୀଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ମଳନ କରି ଶ୍ରୀ ବରିହା ପ୍ରାକ୍ତନ ଛାତ୍ର ତଥା ଶିକ୍ଷକ ରାମନାରାୟଣ ପାଣିଗ୍ରାହୀ, ନବୀନ ଚନ୍ଦ୍ର ପାଢୀଙ୍କ ଗହଣରେ ସମାରୋହକୁ ନଡିଆ ବାଡେ଼ଇ ଉଦଘାଟନ କରିଥିଲେ । ପୁରନ୍ଦର ଶାସ୍ତ୍ରୀଙ୍କ ଦେବମନ୍ତ୍ରର ଅପୂର୍ବ ଝଙ୍କାରରୁ ସମ୍ବର୍ଦ୍ଧନା ସମାରୋହ ଆରମ୍ଭ ହୋଇଥିଲା । ସହ ସମ୍ପାଦକ ଗୋବିନ୍ଦ ପାଣିଗ୍ରାହୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସଂଯୋଜକ ଡଃ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଇ ଅବସରରେ ପ୍ଲାଟିନମ ଜୁବୁଲି ଲୋଗୋ ଉନ୍ମୋଚିତ ହୋଇଥିଲା । ଦୂର ଦୂରାନ୍ତରୁ ଆସିଥିବା ଶତାଧିକ ପୁରାତନ ବରିଷ୍ଠ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର, ପୁଷ୍ପମାଲ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବ ଯାଇଥିଲା । ଅନେକ ସମ୍ବର୍ଦ୍ଧିତ ବ୍ୟକ୍ତି ଭାବବିହ୍ବଳ ହୋଇ ନିଜସ୍ବ ଅନୁଭୂତି ପ୍ରକାଶ କରିଥିଲେ । ପରିଶେଷରେ ଡଃ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ୟ୍ୟକ୍ରମକୁ ପ୍ରୀତମ ମେହେର, ସଦାନନ୍ଦ ପୁରୋହିତ, ଡଃ ଭକ୍ତ ଚନ୍ଦ୍ର ସାହୁ, ରାଜକିଶୋର ଯୋଶୀ, ଗଙ୍ଗାଧର ପାଢୀ, ସଚ୍ଚିଦାନନ୍ଦ ବହିଦାର, ଜୟ ନାରାୟଣ ତ୍ରିପାଠୀ, ବେଣୁ ମାଧବ ଦୋରା, ଜିତେନ୍ଦ୍ରୀୟ ପ୍ରସାଦ ଗୁରୁ, ରବି ନାରାୟଣ ଦୋରା, ଚିନ୍ମୟ କୁମାର ପଣ୍ତା, ଜିତେନ୍ଦ୍ର ଦାଶଙ୍କ ସମେତ ହାଇସ୍କୁଲର ସମସ୍ତ ଶିକ୍ଷକ, କର୍ମଚାରୀ, ଅନେକ ଛାତ୍ର ପରିଚାଳନାରେ ସହଯୋଗ କରିଥିଲେ ।