
ସମାଜର ଜାତିଆଣ ଅନ୍ଧତ୍ୱ ଆଗରେ ହାରିଗଲା ମାନବିକତା : ମୃତ୍ୟୁ ପରେ ବି ମିଳିଲାନି ନିଜ ଭିଟାମାଟିର ସୁଖ, ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା
- ”ପୁଅର ଶବ ସତ୍କାର କଲେ ସମାଜ ଆମକୁ ମଧ୍ୟ ବାସନ୍ଦ କରିଦେବ, ତେଣୁ ଶବକୁ ଜଙ୍ଗଲରେ ଫିଙ୍ଗିଦିଅ” – ସାମାଜିକ ବାସନ୍ଦ ଭୟରେ ଜଣେ ଜନ୍ମକଲା ବାପାର ନିଷ୍ଠୁର ବକ୍ତବ୍ୟ।
ବଲାଙ୍ଗିର, (କେପିଏନ୍ଏସ୍) : ସମାଜ ଏକବିଂଶ ଶତାବ୍ଦୀରେ ପହଞ୍ଚିଛି । ବିଜ୍ଞାନ ଓ ପ୍ରଗତିର ଡିଣ୍ଡିମ ପିଟୁଛି । କିନ୍ତୁ ଆଜି ବି ଆମ ସମାଜର ମାନସିକତା କେତେ ଅନ୍ଧକାରାଚ୍ଛନ୍ନ ଓ କ୍ର୍ରୁର, ତାହାର ଏକ ଦୁଃଖଦ ତଥା ମର୍ମନ୍ତୁଦ ଚିତ୍ର ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲାରୁ । କେବଳ ଅନ୍ୟ ଜାତିରେ ବିବାହ କରିଥିବା ଅପରାଧରେ ଜଣେ ଯୁବକଙ୍କୁ ଜୀବିତ ଅବସ୍ଥାରେ ତ ଘରୁ ବାସନ୍ଦ କରାଯାଇଥିଲା । ହେଲେ ମୃତ୍ୟୁ ପରେ ବି ତାଙ୍କ ଶବକୁ ନିଜ ଜନ୍ମମାଟିରେ ଦୁଇ ମୁଠା ମାଟି କିମ୍ବା ନିଆଁ ଆଞ୍ଜୁଳା ଟିକିଏ ମିଳିଲାନି । ନିଜ ରକ୍ତର ସମ୍ପର୍କୀୟ ଓ ଗ୍ରାମବାସୀ ମୁହଁ ଫେରାଇ ନେବା ପରେ, ଶେଷରେ ମାନବିକତାର ପରିଚୟ ଦେଇ ଦେବଦୂତ ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ନୁନହାଡ ଗାଁର ୩୮ ବର୍ଷୀୟ ବିରେନ୍ ଧରୁଆ । ନିଜ ମନ ପସନ୍ଦର ଜୀବନସାଥୀଟିଏ ବାଛିଥିଲେ, ହେଲେ ସେ ଅନ୍ୟ ଜାତିର ହୋଇଥିବାରୁ ପରିବାର ଓ ସମାଜ ତାଙ୍କୁ ଗ୍ରହଣ କଲାନାହିଁ । ଘରୁ ବାସନ୍ଦ ହେବା ପରେ ଅନ୍ୟତ୍ର ରହି ସେ ନିଜ ସ୍ତ୍ରୀ ଓ ଦୁଇ କୁନି ଛୁଆଙ୍କ ପେଟ ପାଟଣା ପାଇଁ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ମଧ୍ୟ ନିଷ୍ଠୁର ଦାଦନ ଠିକାଦାର ତାଙ୍କୁ ଘରକୁ ଫେରିବାକୁ ଦେଇନଥିଲା । ଶେଷରେ କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ସେ ଲୁଚିଛପି ନିଜ ଅଞ୍ଚଳକୁ ଫେରି ପାଟଣାଗଡ ସବ-ଡିଭିଜନାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ରାତିରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ୍ ହସପିଟାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ହିଁ ବିରେନ୍ ଆଖି ବୁଜିଦେଇଥିଲେ । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ବେସାହାରା କରି ଚାଲିଗଲେ ବିରେନ୍, ହେଲେ ଦୁଃଖର ପାହାଡ଼ ଏତିକିରେ ସରିନଥିଲା । ଆଜି ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ବିରେନଙ୍କ ଅସହାୟ ସ୍ତ୍ରୀଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଅନ୍ୟ ଜାତିରେ ବିବାହର ଅହଂକାରରେ ଜଳୁଥିବା ପରିବାର, ଗ୍ରାମବାସୀ ଏବଂ ଜାତିଭାଇମାନେ ଶବକୁ ଗାଁକୁ ଆଣିବାକୁ ସିଧାସଳଖ ମନା କରିଦେଲେ । ସ୍ୱାମୀ ହରାଇ କାନ୍ଦୁଥିବା ସ୍ତ୍ରୀ ନିରୁପାୟ ହୋଇ ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନକୁ ଯୋଗାଯୋଗ କରିଥିଲେ । ସଂଗଠନର ସଦସ୍ୟମାନେ ତୁରନ୍ତ ପହଞ୍ଚି ମୃତକଙ୍କ ବାପାଙ୍କ ସହ ପ୍ରଥମେ ଯୋଗାଯୋଗ କରିଥିଲେ । ମାତ୍ର ସାମାଜିକ ବାସନ୍ଦର ଭୟ ଏତେ ତୀବ୍ର ଥିଲା ଯେ, ଜନ୍ମକଲା ବାପା କାନ୍ଦି କାନ୍ଦି କହିଥିଲେ “ଶବ ସତ୍କାର କଲେ ଗାଁ ଲୋକ ଆମକୁ ବାସନ୍ଦ କରିବେ, ତା’ ଅପେକ୍ଷା ଶବକୁ ଜଙ୍ଗଲରେ ଫିଙ୍ଗିଦିଅ ।” ସେହିପରି ଗ୍ରାମର ସରପଞ୍ଚ, ଯିଏ କି ଆଇନଗତ ଓ ନୈତିକ ଭାବେ ସାହାଯ୍ୟ କରିବା କଥା, ସେ ମଧ୍ୟ ବିଭିନ୍ନ ବାହାନା ଦେଖାଇ ଏହି ସମ୍ବେଦନଶୀଳ ଘଟଣାରୁ ନିଜକୁ ଦୂରେଇ ରଖିଲେ । ସମାଜର ଏହି କଠୋରତା ଏବଂ ଜାତିପ୍ରଥାର କ୍ରୁର ଚେହେରା ଆଗରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ କିନ୍ତୁ ହାର ମାନିନଥିଲା । ଅନେକ ବୁଝାସୁଝା ପରେ ମଧ୍ୟ ଗାଁ ଲୋକ ରାଜି ନହେବାରୁ, ସଂଗଠନର ସଦସ୍ୟ ଗୋବିନ୍ଦ ଚନ୍ଦ୍ର ଶତପଥୀ ଓ ଉତ୍ତମ ନନ୍ଦ ଆଗେଇ ଆସିଥିଲେ । ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କ ସମସ୍ତ ସହଯୋଗ କ୍ରମେ ବିଭୂତିପଡ଼ା ଶ୍ମଶାନ ଠାରେ ମୃତ ବିରେନଙ୍କର ସସମ୍ମାନ ଶବ ସତ୍କାର କରାଯାଇଥିଲା । ଏବଂ ସେହି ଅସହାୟ ବିଧବା ସ୍ତ୍ରୀ ଓ ଦୁଇ କୁନି ଛୁଆଙ୍କ ସହ ସବୁଦିନ ପାଇଁ ସାହାରା ହୋଇ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି, କେବେ ସରିବ ଏହି ଅନ୍ଧତ୍ୱ ? ପ୍ରଶାସନ କାହିଁକି ନୀରବ ? ଏହି ଘଟଣା କେବଳ ଗୋଟିଏ ପରିବାରର ଦୁଃଖ ନୁହେଁ ବରଂ ଆମ ସମଗ୍ର ସମାଜ ମୁହଁରେ ଏକ ଶକ୍ତ ଚାପୁଡ଼ା । ଜାତିପ୍ରଥା ନାମରେ ମଣିଷକୁ ମଣିଷ ବୋଲି ନଭାବିବା କେଉଁ ପ୍ରକାରର ପରମ୍ପରା ? ଜିଲ୍ଲାରେ ବାରମ୍ବାର ଏଭଳି ସାମାଜିକ ବାସନ୍ଦ ଓ ଅମାନୁଷିକ ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଶିଥିଳତା ଏଠାରେ ସ୍ପଷ୍ଟ ବାରି ହୋଇପଡ଼ୁଛି । ସାମାଜିକ ବାସନ୍ଦ କରି ଆଇନକୁ ହାତକୁ ନେଉଥିବା ଏଭଳି ଅସାମାଜିକ ଲୋକଙ୍କ ବିରୋଧରେ କାହିଁକି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ ? ଜିଲ୍ଲା ପ୍ରଶାସନ ଓ ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ସମ୍ପୃକ୍ତ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଗ୍ରାମାଞ୍ଚଳରେ ବ୍ୟାପକ ସାମାଜିକ ଜାଗରୁକତା ସୃଷ୍ଟି କରିବାର ଜରୁରୀ ଆବଶ୍ୟକତା ରହିଛି ବୋଲି ସଂଗଠନ ସଦସ୍ୟମାନେ ମତପ୍ରକାଶ କରିଛନ୍ତି ।