ପ୍ରଶାସନିକ କଟକଣାକୁ ଫୁ : ରାଜପଥରେ ଢାଙ୍କୁଣି ବିହୀନ ଓଭରଲୋଡିଂ ବାଲି ବୋଝେଇ ହାଇୱା : ଉଡୁଛି ଧୂଳି, ଯାତ୍ରୀ ହନ୍ତସନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ପରିବହନ ବିଭାଗ ପକ୍ଷରୁ ଓଭରଲୋଡିଙ୍ଗ ଦ୍ରବ୍ୟ ପରିବହନକୁ ବାରଣ କରାଯାଇଛି । ଏନେଇ ମଧ୍ୟ କଟକଣା ଜାରି କରାଯାଇଛି । ଏହାକୁ ଅମାନ୍ୟ କଲେ ଜରିମାନା ବ୍ୟବସ୍ଥା ବି ରହିଛି । ହେଲେ ଏହି ନିୟମକୁ ଆଖୁତି ଦେଇଛନ୍ତି ବାଲି ପରିବହନ କରୁଥିବା ହାଇୱା ଗାଡ଼ି ମାଲିକମାନେ । ସ୍ପଷ୍ଟ ଦିବା ଲୋକରେ ପ୍ରଶାସନିକ ନିୟମକୁ ଉଲଙ୍ଘନ କରୁଛନ୍ତି । ଜନସାଧାରଣଙ୍କ ସୁରକ୍ଷାକୁ ଉପେକ୍ଷା କରି ନିର୍ଦ୍ଧାରିତ ପରିମାଣ ଠାରୁ ଅଧୁକ ବାଲି ଲୋଡ କରି ରାଜପଥରେ ଚଳାଚଳ କରୁଛନ୍ତି । କଟକଣାକୁ ତିଳେ ମାତ୍ର ଭୁକ୍ଷେପ କରୁନ ବେଳେ ଦଣ୍ଡ ବ୍ୟବସ୍ଥା ପ୍ରତି ମଧ୍ୟ ଖାତିର ନାହିଁ । ପ୍ରତିଦିନ ବରଗଡ଼ ବୋରୁଗୁମ୍ମା ଜାତୀୟ ରାଜପଥ ୨୬ ଦେଇ ବହୁ ସଂଖ୍ୟାରେ ହାଇୱାରେ ଗାଡ଼ି ବାଲି ଓଭରଲୋଡିଙ୍ଗ କରି ଯାତାୟତ କରୁଛନ୍ତି । ତାହାପୁଣି ଢାଙ୍କୁଣି ନ ଘୋଡ଼ାଇ । ଯାତାୟତ ସମୟରେ ଅଧିକ ବେଗରେ ବେଫରୁଆ ଭାବେ ଚାଳକମାନେ ଗାଡି ଚଲାଉଛନ୍ତି । ଫଳରେ ହାଇୱା ପଛରେ ଯାଉଥିବା ଅନ୍ୟ ଗାଡିଗୁଡିକର ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଥିପ୍ରତି ପ୍ରଶାସନ ତୀକ୍ଷ୍ଣ ନଜର ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.